ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର କପିଳାସଠାରେ ଜଣେ ଯୁବତୀ ଓ ତାଙ୍କର ଯୁବକ ସାଥୀଙ୍କ ଉପରେ ଅତ୍ୟାଚାର ଘଟଣାକୁ ୭୨ ଘଣ୍ଟା ପୁରି ନଥିବା ବେଳେ ପୁରୀର ଏକ ରେଷ୍ଟୁରାଣ୍ଟରେ ଏକ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ ମରାଯିବା ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମ ସମ୍ମୁଖରେ ଏହି ଦମ୍ପତି ଜୀବନ ଥିବା ଯାଏଁ ଆଉ କେବେ ପୁରୀ ଆସିବେ ନାହିଁ ବୋଲି ମନ୍ତବ୍ୟ ଦେବା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ପ୍ରଦର୍ଶିତ କରୁଛି ବୋଲି ବିଜେଡି କହିଛି। ବିଜେପି ସରକାରଙ୍କର ଗତ ଅଢେ଼ଇ ବର୍ଷ ଶାସନରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁଥିପାଇଁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ବିଜେଡି କହିଛି।
ବିଜେଡି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ ଗତ ଅଢେଇ ବର୍ଷର ବିଜେପି ଶାସନରେ ନିୟମିତ ବ୍ୟବଧାନରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକମାନଙ୍କ ସହିତ ଅଘଟଣ ଘଟି ଚାଲିଛି। ଏହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରଦର୍ଶିତ କରିବା ସହିତ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋପାଳପୁର ବେଳାଭୂମିଠାରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶାକୁ ସମଗ୍ର ଦେଶରେ ଓ ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେବାକୁ ପଡିଥିଲା। ଗୋପାଳପୁର ଘଟଣା ପରେ ବାଲି ହରଚଣ୍ଡୀ, ଧଉଳି, ରାୟଗଡା ଇତ୍ୟାଦି ଜାଗାରେ ସମାନ ପ୍ରକାରର ଘଟଣା ଘଟିଥିଲା । ଗତ ତିନି ଦିନ ଭିତରେ ଏହିପରି ଦୁଇ ଦୁଇଟି ଘଟଣା ଲୋକଲୋଚନକୁ ଆସିଲାଣି। ପ୍ରଥମେ ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ତାଙ୍କର ଯୁବକ ସାଥୀ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ। ଏହାପରେ ପୁରୀ ସହରର ଏକ ରେଷ୍ଟୁରାଣ୍ଟରେ କର୍ଣ୍ଣାଟକରୁ ଆସିଥିବା ଏକ ଦମ୍ପତିଙ୍କ ଉପରେ ମାଡ ମରାଯାଇଥିବା ଅଭିଯୋଗ ଆସିଛି। ନିୟମିତ ବ୍ୟବଧାନରେ ଘଟୁଥିବା ଏହିପରି ଘଟଣା ଯୋଗୁଁ ଓଡ଼ିଶା ନିନ୍ଦା ସାଉଁଟୁଛି। ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ଏହି କାରଣରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧୨ ପ୍ରତିଶତ କମି ଯାଇଛି। କିନ୍ତୁ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ତେଣୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରୁଛି ବୋଲି ଡ. ମହାନ୍ତି କହିଛନ୍ତି।