ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ସରକାର: ବିଜେଡି

ସରକାରଙ୍କ ଅପାରଗତା ଲାଗି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର: ରାଜ୍ୟର ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଶବ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ଓପିଡି, ଆଇପିଡି, ଆଉଟଡୋର ରୋଗୀମାନଙ୍କ ଚିକିତ୍ସା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତର ପ୍ରଭାବ ପଡ଼ିଛି।  ସରକାର ଅହଙ୍କାର ମନୋଭାବ ରଖି ଡାକ୍ତରମାନଙ୍କ ନ୍ୟାୟୋଚିତ ଦାବି ବିଷୟରେ ଆଲୋଚନା ନ କରି ରୋଗୀମାନଙ୍କ ଜୀବନ ସହ ଖେଳୁଥିବାରୁ ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜେଡି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। 

ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ୯ ଜାନୁଆରୀ ୨୦୨୬ରେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏସନ୍‌ (ଓମସା)ର କର୍ମକର୍ତ୍ତାଙ୍କ ସହ ଡାକ୍ତରମାନଙ୍କର ୧୦ ଦଫା ଦାବି ଉପରେ ଆଲୋଚନା ହୋଇଥିଲା।ଦୁଇରୁ ତିନି ମାସ ମଧ୍ୟରେ ସମାଧାନର ବାଟ ବାହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା; କିନ୍ତୁ କମିଟି ଗଠନ ହୋଇପାରିଲା ନାହିଁ। ଫଳସ୍ୱରୂପ ଜୁଲାଇ ୧ ତାରିଖରୁ ଧର୍ମଘଟ ନେଇ ଓମସା ନୋଟିସ ଦେଇଥିଲା। ଜୁନ୍‌ ୨ ତାରିଖରେ ସରକାରଙ୍କ ସହ ବୈଠକ ହୋଇଥିଲେ ମଧ୍ୟ କୌଣସି ନିର୍ଭରଯୋଗ୍ୟ ଆଶ୍ୱାସନା ମିଳିନଥିଲା। ୩୦ ଜୁନ୍‌ ବୈଠକରେ ଡାକ୍ତରମାନଙ୍କ ଦାବି ଉପରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବାରୁ ଧର୍ମଘଟ ସ୍ଥଗିତ ହୋଇପାରିଲା ନାହିଁ। ଡାକ୍ତରମାନଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରନ୍ତୁ, ନ ହେଲେ କୌଣସି ଅଘଟଣ ଘଟିଲେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ। 

ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଗତ ତିନି ଦିନ ଧରି ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡ଼ିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ସରକାର ସମୟରେ ଡିଏସିପିର ୬, ୧୨, ୧୮ ଓ ୨୪ ବର୍ଷର ପଦୋନ୍ନତି ବ୍ୟବସ୍ଥାକୁ ମଞ୍ଜୁର କରାଯାଇଥିଲା। ବୀମା ସହିତ ଡାକ୍ତରମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ପୂରଣ କରାଯାଇଥିଲା। ଡାକ୍ତରମାନଙ୍କୁ କର୍ମ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନର ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ କେନ୍ଦ୍ରୀୟ ଡିଏସିପି ଲାଗୁ କରିବା ପାଇଁ ଓମସା ଦାବି କରିଛି। ଦାବି ପୂରଣ କରିବା ପରିବର୍ତ୍ତେ ସରକାର ନିଜର ଗର୍ବ ଓ ଅହଂକାରକୁ ଆଗରେ ରଖି କାର୍ଯ୍ୟ କରୁଛନ୍ତି।  ରୋଗୀ ସେବାକୁ ପ୍ରାଥମିକତା ଦେଇ ଡାକ୍ତରମାନଙ୍କ ସହ ସରକାର ଆଲୋଚନା କରନ୍ତୁ, ସେମାନଙ୍କ ଦାବି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେ ଦାବି କରିଥିଲେ। 

ପ୍ରତାପ ଜେନା କହିଥିଲେ ଯେ ବର୍ତ୍ତମାନ ସରକାରୀ ଡାକ୍ତରଖାନାଗୁଡ଼ିକର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି, ଯାହାର ପ୍ରଭାବ ସାଧାରଣ ରୋଗୀଙ୍କ ଉପରେ ପଡ଼ୁଛି। ଗତ ୩ ଦିନ ଧରି ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଥିବାରୁ ଉଦେବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଡାକ୍ତରମାନେ ଆନ୍ଦୋଳନ ବନ୍ଦ ନ କରିବେ, ତେବେ ସେମାନଙ୍କର ପଞ୍ଜୀକରଣ ବାତିଲ କରାଯିବ ବୋଲି ପାଲଟା ଧମକ ଦିଆଯାଉଛି। ଡାକ୍ତରମାନଙ୍କ ସହ ଆଲୋଚନା କରି ସରକାର ସମାଧାନର ବାଟ ବାହାର କରନ୍ତୁ, ନଚେତ୍‌ ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସେ କହିଥିଲେ।

About The Author: Madhusudan Das