ଦିଗହରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା : ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର : ସାରଠାରୁ ଆରମ୍ଭ କରି ପିଏମ୍‌‌ କିଷାନ ସମ୍ମାନ ନିଧି ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସବୁକ୍ଷେତ୍ରରେ ଓଡ଼ିଶାର ଚାଷୀଙ୍କୁ ପ୍ରତାରିତ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି। କମ୍ପାନୀଗୁଡ଼ିକ ଫସଲ ବୀମା ବାବଦରେ ହଜାର ହଜାର କୋଟି ଟଙ୍କା ଆଦାୟ କରୁଥିବା ବେଳେ ଅନ୍ୟପଟେ ଓଡ଼ିଶାର […]

ଭୁବନେଶ୍ୱର : ସାରଠାରୁ ଆରମ୍ଭ କରି ପିଏମ୍‌‌ କିଷାନ ସମ୍ମାନ ନିଧି ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସବୁକ୍ଷେତ୍ରରେ ଓଡ଼ିଶାର ଚାଷୀଙ୍କୁ ପ୍ରତାରିତ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି। କମ୍ପାନୀଗୁଡ଼ିକ ଫସଲ ବୀମା ବାବଦରେ ହଜାର ହଜାର କୋଟି ଟଙ୍କା ଆଦାୟ କରୁଥିବା ବେଳେ ଅନ୍ୟପଟେ ଓଡ଼ିଶାର ଚାଷୀଙ୍କୁ ଶୋଷଣ କରିବାରେ ବ୍ୟସ୍ତ ଅଛନ୍ତି। ଯାହାଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।

ବୀମା କମ୍ପାନୀମାନଙ୍କର ଏପରି ମନମାନି ବିରୋଧରେ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଥିଲେ ହେଁ କେନ୍ଦ୍ର ଏହି ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଅସନ୍ତୋଷ ବଢ଼଼ିବାରେରେ ଲାଗିଛି। କେନ୍ଦ୍ର ସରକାରଙ୍କ ଏପରି କୃଷକ ମାରଣ ନୀତିକୁ ବିରୋଧ କରିଛି ବିଜେଡି। ଏହାର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ  ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।

ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଏହି ଦୁର୍ଦ୍ଦଶା ଦୂର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଥିଲେ ଏବଂ ତୁରନ୍ତ ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ପ୍ରଦାନ କରୁନାହାନ୍ତି।  ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଚାଷୀଙ୍କ ଅଧିକାର ଓ ଉନ୍ନତି ଲାଗି ସଂଗ୍ରାମ କରିଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱତନ୍ତ୍ର କୃଷି ବଜେଟ୍‌‌ ଉପସ୍ଥାପନ କରିଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ‘କାଳିଆ’ ଯୋଜନା ପ୍ରଣୟନ କରିବା ସହିତ କୃଷି ବିଭାଗକୁ କୃଷି ଓ କୃଷକ କଲ୍ୟାଣ ବିଭାଗରେ ପରିଣତ କରାଯାଇଛି। ଚାଷୀଙ୍କ ସହାୟତାରେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାସଲ କରିଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ହେଲା, କେନ୍ଦ୍ର ସରକାରଙ୍କ ନୀତି ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛନ୍ତି।

କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ପ୍ରସଙ୍ଗରେ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ହାଲୁକାରେ ନେଇ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଆମ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ ଲାଗି ନାର୍ଯ୍ୟ ପଦକ୍ଷେପ ନେଉନାହାନ୍ତି। ବିଶେଷ କରି ଜାତୀୟ ଫସଲ ବୀମା ପୋର୍ଟାଲ ସହିତ ରାଜ୍ୟ ଲ୍ୟାଣ୍ଡ୍‌‌ ରେକର୍ଡ଼ ପୋର୍ଟାଲକୁ ଲିଙ୍କ୍‌‌ କରାଯାଇଛି। ସିସିଇ-ଏଗ୍ରି ଆପ୍‌‌ ଜରିଆରେ କ୍ରପ୍‌‌ କଟିଙ୍ଗ୍‌‌ ଏକ୍ସପେରିମେଣ୍ଟ (ସିସିଇ) ଡାଟା ସଂଗ୍ରହ କରାଯାଇଛି। କୃଷି ଫସଲ ବୀମା ମନିଟରିଂ ମଡ୍ୟୁଲକୁ ଉନ୍ନତ କରାଯାଇଛି। କେବଳ ସେତିକି ନୁହେଁ, ଓଡ଼ିଶାର ଚାଷୀମାନେ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ସର୍ବାଧିକ ଲାଭ ପାଇବେ, ସେଥିପାଇଁ ଓଡ଼ିଶା ସରକାର ଫସଲ ବୀମା ପ୍ରିମିୟମ ସବ୍‌‌ସିଡ୍‌‌ର ନିଜ ଭାଗ ନିୟମିତ ଭାବେ ପ୍ରଦାନ କରିଆସୁଛନ୍ତି। ମାତ୍ର ଏତେ ସବୁ ପଦକ୍ଷେପ ନେବା ସତ୍ତ୍ବେ ବୀମା କମ୍ପାନୀଗୁଡ଼ିକ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଏଯାଏଁ ସେମାନଙ୍କ ପ୍ରାପ୍ୟ ୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରୁନାହାନ୍ତି ବୋଲି କହିଛନ୍ତି ବିଜେଡି ମହିଳା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

୨୦୨୧ ଅଗଷ୍ଟ ୧୦ ତାରିଖରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି କୃଷି ପ୍ରସଙ୍ଗରେ ଲୋକସଭାରେ ଏହାର ୨୯ତମ ରିପୋର୍ଟ ଉପସ୍ଥାପିତ କରିଥିଲେ। ଏହି ରିପୋର୍ଟର ଏକ ଅଂଶ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଏକ ମୂଲ୍ୟାୟନ’ରେ ବୀମା କମ୍ପାନୀଗୁଡ଼ିକ କେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନର ପ୍ରିମିୟମରୁ ପ୍ରଚୁର ଲାଭ କରୁଛନ୍ତି, ଅଥଚ ତୁଳନାତ୍ମକ ଭାବେ ଚାଷୀଙ୍କୁ ଯଥେଷ୍ଟ କମ୍‌‌ ଫସଲ ବୀମା ରାଶି ପ୍ରଦାନ କରୁଛନ୍ତି ବୋଲି ଉଲ୍ଲେଖ କରାଯାଇଛି। ଫସଲ ବୀମା ପ୍ରଦାନ କରିବାରେ ବୀମା କମ୍ପାନୀଗୁଡ଼ିକର ଏଭଳି ଅହେତୁକ ବିଳମ୍ବ ଯୋଗୁଁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଗଭୀର କ୍ଷୋଭ ପ୍ରକାଶ ପାଇଛି।

About The Author: The Sakala