ପୁଣି ଧର୍ମେନ୍ଦ୍ରଙ୍କୁ ମାନସଙ୍କ ଟ୍ବିଟ୍‌ : ଶ୍ରୀମନ୍ଦିରକୁ ନେଇ ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳୁଛି ରାଜ୍ୟ ବିଜେପି

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରସାଦର ମହାତ୍ମ୍ୟ ସଂକ୍ରାନ୍ତରେ ବ୍ଲଗର କାମିଆ ଜାନୀଙ୍କ ଭିଡିଓ ଆସିବା ପରେ ରାଜ୍ୟ ବିଜେପି ଫେକ୍‌ ନ୍ୟୁଜ୍ ଜରିଆରେ ଅପପ୍ରଚାର କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନେତା ନୁହନ୍ତି କେନ୍ଦ୍ରମନ୍ତ୍ରୀ ମଧ୍ୟ ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି। ଯାହାକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସହିଷ୍ଣୁତାକୁ କଟୁ ଶବ୍ଦରେ ବିଜେଡି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ମାନସ ମଙ୍ଗରାଜ ସମାଲୋଚନା କରିଥିବା […]

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରସାଦର ମହାତ୍ମ୍ୟ ସଂକ୍ରାନ୍ତରେ ବ୍ଲଗର କାମିଆ ଜାନୀଙ୍କ ଭିଡିଓ ଆସିବା ପରେ ରାଜ୍ୟ ବିଜେପି ଫେକ୍‌ ନ୍ୟୁଜ୍ ଜରିଆରେ ଅପପ୍ରଚାର କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନେତା ନୁହନ୍ତି କେନ୍ଦ୍ରମନ୍ତ୍ରୀ ମଧ୍ୟ ଫେକ୍ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି। ଯାହାକୁ ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସହିଷ୍ଣୁତାକୁ କଟୁ ଶବ୍ଦରେ ବିଜେଡି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ମାନସ ମଙ୍ଗରାଜ ସମାଲୋଚନା କରିଥିବା ବେଳେ ଆଜି ପୁଣି ଟ୍ବିଟରେ ଟ୍ୟାଗ୍‌ କରି ନୈତିକତାର ପାଠ ପଢାଇଛନ୍ତି।

ରାଜ୍ୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱୈତ ଆଚରଣକୁ କଟାକ୍ଷ ସହ ‘ପରିକ୍ରମା’ ପ୍ରକଳ୍ପକୁ ତାଙ୍କର ଅସହିଷ୍ଣୁତାକୁ ନେଇ ଗତକାଲି ପ୍ରଶ୍ନ ଉଠାଇ ମାନସ ମଙ୍ଗରାଜ ସୋସିଆଲ ମିଡିଆ ‘ଏକ୍ସ’ ପୋଷ୍ଟ କରିଥିଲେ। ଆଉ ଏହାପରେ ଆଜି ଗଣମାଧ୍ୟମରେ ଧର୍ମେନ୍ଦ୍ରଙ୍କ ବୟାନ ଆସିବା ପରେ ପୁଣି ସୋସିଆଲ ମିଡିଆ ‘ଏକ୍ସ’ ରେ ଟ୍ୟାଗ୍‌ କରି ଧର୍ମେନ୍ଦ୍ରଙ୍କୁ ମାନସ ମଙ୍ଗରାଜ କହିଛନ୍ତି ‘‘ ଭାଇ, ଆପଣ ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଶା ତଥା ଓଡିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ହେଲେ, ଆପଣଙ୍କ ଦଳର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖିଛନ୍ତି ।


ଯେଉଁ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ, ସେ ଯେତେବେଳେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ ସଙ୍ଗେ ସଙ୍ଗେ ତାଙ୍କୁ ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବା ପାଇଁ ଆପଣଙ୍କ ଅନୁଗତ ଗୋଷ୍ଠୀ ଅପଚେଷ୍ଟା କଲେ । କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।’’

ଉଲ୍ଲେଖଯୋଗ୍ୟ କାମିଆ ଜାନି ଦେଶର ଜଣେ ଖ୍ୟାତନାମା ବ୍ଲଗର ଓ ବୃତ୍ତଚିତ୍ର ନିର୍ମାତା। ବିଭିନ୍ନ ଧାର୍ମିକ ପୀଠ ବିକାଶ କାର୍ଯ୍ୟକ୍ରମ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବିଭିନ୍ନ ଧାର୍ମିକ ପୀଠର ବ୍ଲଗ୍‌ ଓ ଡ଼କୁମେଣ୍ଟାରୀ ପ୍ରସ୍ତୁତ ପାଇଁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ପାଇଁ କାର୍ଯ୍ୟ କରିଛନ୍ତି। ବିଭିନ୍ନ ଧାର୍ମିକ ପ୍ରତିଷ୍ଠାନ, ମନ୍ଦିର ବୁଲିବୁଲି ସେ ନିଜର ବୃତ୍ତଚିତ୍ରର ବ୍ଲଗ୍‌ ସାମାଜିକ ଗଣମାଧ୍ୟମରେ ଅତୀତରେ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ତାଙ୍କର ଫଟୋ, ବ୍ଲଗ୍‌କୁ ସେୟାର କରିଛନ୍ତି । ସେତେବେଳେ କାହିଁ ଧର୍ମେନ୍ଦ୍ର ଏ ସମ୍ପର୍କରେ ପ୍ରଶ୍ନ କଲେ ନାହିଁ? ନିଜ ଦଳର ଶୀର୍ଷ ନେତାଙ୍କ ସମ୍ପର୍କରେ ଟିପ୍ପଣୀ ଦେଲେ ନାହିଁ। କିନ୍ତୁ ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରସଙ୍ଗରେ କାମିଆ ବ୍ଲଗ୍‌ ପ୍ରସ୍ତୁତ କରିବା ଦ୍ୱାରା ସେ କେଉଁ ଅପରାଧ କଲେ ଯେ, ଧର୍ମେନ୍ଦ୍ରଙ୍କ ଅସହିଷ୍ଣୁତା ସବୁ ସୀମା ଅତିକ୍ରମ କରିଗଲା ବୋଲି ଗତକାଲି ପ୍ରଶ୍ନ କରିଥିଲେ ସାଂସଦ ମାନସ ମଙ୍ଗରାଜ।


ଶ୍ରୀମନ୍ଦିର ପରିକ୍ରମା ପକ୍ରଳ୍ପକୁ ରାଜ୍ୟ, ଜାତୀୟ ସ୍ତରରେ ସଭିଏଁ ପ୍ରଶଂସା କରୁଛନ୍ତି। ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁ ନିଜ ଖୁସି ବ୍ୟକ୍ତ କରିଛନ୍ତି। ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଶ୍ରୀ ମନ୍ଦିର ଚର୍ତୁଃପାଶ୍ୱର୍ ବିକାଶ ଦେଖି ଚକିତ ହୋଇଯାଉଛନ୍ତି। ମୁକ୍ତକଣ୍ଠରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରୁଛନ୍ତି, କିନ୍ତୁ ଓଡ଼ିଶା ବିଜେପି ନେତାମାନେ ଏହାକୁ ହଜମ କରିପାରୁ ନାହାନ୍ତି। ଓଡିଶାର ପ୍ରଶଂସା ଶୁଣିଲେ ରାତିର ନିଦ ଉଡିଯାଉଛି। ବିଶ୍ୱର ଆରାଧ୍ୟ ଦେବତାଙ୍କ ମନ୍ଦିର ବିକାଶ କାମକୁ ସେମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେଥିପାଇଁ ରାଜ୍ୟ ବିଜେପି ନେତା ଡାହା ମିଛ କହି କୁତ୍ସାରଟନା କରିବାରେ ବ୍ୟସ୍ତ ଅଛନ୍ତି। ସତ କଥା ହେଲା ଶ୍ରୀମନ୍ଦିର ପ୍ରକଳ୍ପ ହେଉ ଅବା ରାଜ୍ୟ ପାଇଁ ସଫଳତା ଆଣୁଥିବା କୈାଣସି ବି ପ୍ରସଙ୍ଗ, ଗୈାରବାନ୍ୱିତ ହେବା ବଦଳରେ ରାଜ୍ୟ ବିଜେପି ନେତା ଇର୍ଷାନ୍ୱିତ ହୋଇଉଠନ୍ତି। ସଥିପାଇଁ ସବୁ ରାଜନୈତିକ ଦଳର ନେତାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରାଜ୍ୟ ବିଜେପିର କର୍ମୀ ଅଣ୍ଡା ମାରିଥିଲେ। ପବିତ୍ର କାର୍ଯ୍ୟ ସାରି ପୁଣ୍ୟର ସହର ପୁରୀରୁ ଫେରିବା ବେଳେ ଏଭଳି ହୀନ କାର୍ଯ୍ୟ ପାଇଁ, ଏହି କେନ୍ଦ୍ରମନ୍ତ୍ରୀ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗିଥିଲେ। ଏବେ କିନ୍ତୁ ଆଉ ଏକ ପାଦ ଆଗକୁ ଯାଇ କାମିଆ ଜାନିଙ୍କ ଭିଡ଼ିଓ ପ୍ରସ୍ତୁତିକୁ ରାଜନୈତିକ ରଙ୍ଗ ଦେବାରେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ଟିମ୍‌ ପୂରା ବ୍ୟସ୍ତ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ।

About The Author: The Sakala