ଭୁବନେଶ୍ବର : ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ଦେଇଛି ବିଜୁ ଜନତା ଦଳ। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି ସାଂସଦ ମାନସ ମଙ୍ଗରାଜ। ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବୁଧବାର ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ସେ ସୂଚାରୁ ରୂପେ ତୁଲାଇଛନ୍ତି । ଏବେ ନୂଆ ଦାୟିତ୍ବ ଦେଇଥିବାବେଳେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ।
ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ମିଳିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ। ବିଜେଡି ସାଂସଦ ଅମର ପଟ୍ଟନାୟକ, ମାନସ ମଙ୍ଗରାଜଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ମାନସ ନିଶ୍ଚିତ ଏହି ଦାୟିତ୍ୱ ଭଲ ଭାବେ ତୁଲାଇବେ। ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଦଳର ବାର୍ତ୍ତା ତାଙ୍କ ମାଧ୍ୟମରେ ଆସେ। ଅନ୍ୟଜଣେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି ବହୁତ ଭଲ ହେଲା ଯେ ମାନସ ମଙ୍ଗରାଜ ରାଜ୍ୟସଭା ବିଜେଡି ମୁଖ୍ୟ ସଚେତକ ହେଲେ। ତାଙ୍କ ପରି ଲୋକ ତାଙ୍କ ପରି ଅଭିଜ୍ଞତା ଆମ ପାଇଁ ଜରୁରୀ। ଦଳ ବହୁତ ଭଲ ନିଷ୍ପତ୍ତି ନେଲା। ଠିକ ସମୟରେ ଠିକ ଲୋକଙ୍କୁ ଦାୟିତ୍ୱ ମିଳିଛି। ମୁଁ ଓ ଆମ ଦଳ ବହୁତ ଖୁସି। ମୁଖ୍ୟ ସଚେତକ ଭାବେ ତାଙ୍କ ଦାୟିତ୍ୱ ରହିବୁ, କେଉଁମାନେ ବିଲ ଆଲୋଚନାରେ ଭାଗ ନେବେ, କେତେ ସମୟ କହିବେ ଓ କଣ କହିବେ ସେଥିରେ ସାହାଯ୍ୟ କରିବେ। ଦଳର ନିର୍ଦେଶ ସେ ସମସ୍ତ ସଦସ୍ୟଙ୍କ ପାଖରେ ପହଞ୍ଚାଇବେ ଓ ସଦସ୍ୟମାନେ ତାକୁ ଠିକ ଭାବେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ପ୍ରଶାନ୍ତ ନନ୍ଦ ।