ପ୍ରେରଣାଦାୟୀ ବିକାଶ: ବରା ବେପାରୀରୁ ଡାକ୍ତରୀ ଛାତ୍ର, ‘ଏକ୍ସ’ରେ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର: ନିଷ୍ଠା, କଠିନ ଅଧ୍ୟବସାୟ ଏବଂ ସମର୍ପଣ ମନୋଭାବ ମଣିଷକୁ ଶ୍ରେଷ୍ଠ କରିଥାଏ। ଏହାର ନିଚ୍ଛକ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନ ଓସ୍ତପଡ଼ା ପଞ୍ଚାୟତ କେ. ରାଣୀପଡ଼ା ଗାଁର ବିକାଶ ସାହୁ। ଏକଦା ନିଜ ସାନଭାଇ ସହ ବରା ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ବିକାଶ ଗାଁ ସରକାରୀ ସ୍କୁଲରୁ ପାଠ ପଢ଼ି ଏବେ ମେଡିକାଲ ପାଠପଢ଼ା ଆରମ୍ଭ କରିଛନ୍ତି। ନିଜ ଗାଁର ସେ ପ୍ରଥମ ପିଲା, ଯିଏ ଡାକ୍ତର […]

ଭୁବନେଶ୍ୱର: ନିଷ୍ଠା, କଠିନ ଅଧ୍ୟବସାୟ ଏବଂ ସମର୍ପଣ ମନୋଭାବ ମଣିଷକୁ ଶ୍ରେଷ୍ଠ କରିଥାଏ। ଏହାର ନିଚ୍ଛକ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାନ ଓସ୍ତପଡ଼ା ପଞ୍ଚାୟତ କେ. ରାଣୀପଡ଼ା ଗାଁର ବିକାଶ ସାହୁ। ଏକଦା ନିଜ ସାନଭାଇ ସହ ବରା ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ବିକାଶ ଗାଁ ସରକାରୀ ସ୍କୁଲରୁ ପାଠ ପଢ଼ି ଏବେ ମେଡିକାଲ ପାଠପଢ଼ା ଆରମ୍ଭ କରିଛନ୍ତି। ନିଜ ଗାଁର ସେ ପ୍ରଥମ ପିଲା, ଯିଏ ଡାକ୍ତର ହେବାକୁ ଯାଉଛନ୍ତି। ବିକାଶଙ୍କ ଏହି ସଫଳତା ପାଇଁ ପୂରା ଗାଁ ଗର୍ବରେ ଫାଟି ପଡ଼ୁଛି। ଅପରପକ୍ଷେ, ବିକାଶଙ୍କ ଏପରି ସଫଳତାକୁ ନେଇ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍‌‌ ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନେଇ ନବୀନ ପୋଷ୍ଟ କରିଛନ୍ତି। ବିକାଶଙ୍କୁ ପ୍ରଶଂସା କରି ନବୀନ କହିଛନ୍ତି ଯେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପାର୍‌‌ କରି ସରକାରୀ ସ୍କୁଲର ଛାତ୍ର ବିକାଶ ନିଜ ଗ୍ରାମର ପ୍ରଥମ ପିଲା ଭାବେ ଡାକ୍ତର ହେବାକୁ ଯାଉଛନ୍ତି। ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ବେ ବିକାଶଙ୍କର ନିଷ୍ଠା ଏବଂ ଦୃଢ଼ ସଂକଳ୍ପ ଓ ଇଚ୍ଛାଶକ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି। ସେହିପରି ବିକାଶଙ୍କ ସ୍ୱପ୍ନ ସାକାର ଦିଗରେ ସହାୟତା ପ୍ରଦାନ କରିଥିବା ସାମାଜିକ ଅନୁଷ୍ଠାନ ‘ବିପଦର ବନ୍ଧୁ ସଂଗଠନ’କୁ ମଧ୍ୟ ପ୍ରଶଂସା କରିଛନ୍ତି ନବୀନ।

ସୂଚନାଯୋଗ୍ୟ, ୧୮ ବର୍ଷୀୟ ବିକାଶଙ୍କ ବାପା ଗୁଜୁରାଟର ସୁରତରେ ଶ୍ରମିକ ଭାବେ ଦାଦନ ଖଟୁଥିଲେ। ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ଉପରେ ପରିବାରର ବୋଝ ଲଦି ହୋଇପଡ଼ିଥିଲା। ନିଜ ସାନଭାଇ ସହ ସେ ବରା-ପିଆଜି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ବିକାଶ ବେଶ୍‌‌ ମେଧାବୀ ଥିଲେ। କଠିନ ଅଧ୍ୟବସାୟ ଫଳରେ ସେ ନିଟ୍‌‌ ଓ ଜେଇଇ ମେନ୍‌‌-୨୦୨୪ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ସେ ଏବେ ଏମ୍‌‌କେସିଜିରେ ଏମ୍‌‌ବିବିଏସ୍‌‌ର ପ୍ରଥମ ବର୍ଷର ଛାତ୍ର।

ବିକାଶଙ୍କ ସଂଘର୍ଷ କାହାଣୀ ନିଆରା ଓ ପ୍ରେରଣାଦାୟୀ। ତାଙ୍କର ଦୃଷ୍ଟିଶକ୍ତି କମ୍‌‌ ହୋଇଥିବା ବେଳେ ସେ ଜଣେ ଦିବ୍ୟାଙ୍ଗ। ପରିବାରର ଅଭାବ ଅନଟନ କାରଣରୁ ସେ ଯୁକ୍ତ ଦୁଇରେ ଗୋଟିଏ ବର୍ଷ ବିରତି ନେଇଥିଲେ। ବିଧବା ମା’ ଓ ସାନଭାଇର ଯତ୍ନ ନେବା ସହ ଦୁଇ ଭଉଣୀଙ୍କୁ ବିବାହ ବି କରାଇଥିଲେ। ଏହି ସମୟରେ ବିକାଶଙ୍କୁ ସହଯୋଗର ହାତ ବଢ଼ାଇଥିଲା ସାମାଜିକ ସଂଗଠନ ‘ବିପଦର ବନ୍ଧୁ’। ସଂଗଠନର ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗ କାରଣରୁ ବିକାଶ ପୁନଃ ନିଜର ଯୁକ୍ତଦୁଇ ପାଠପଢ଼଼ା ଆରମ୍ଭ କରିପାରିଥିଲେ।

ସୂଚନାଯୋଗ୍ୟ ଯେ ବିକାଶ ଦଶମରେ ୬୦୦ରୁ ୫୮୮ ମାର୍କ ବା (୮୯%) ମାର୍କରଖି ଉତ୍ତୀର୍ଣ୍ଣ ହୋଇଥିଲେ। କେବଳ ମାଟ୍ରିକ୍‌ ନୁହେଁ, ଯୁକ୍ତ ଦୁଇ ପାଠପଢ଼଼ାରେ ମଧ୍ୟ ଉକ୍ତ ସଂଗଠନ ବିକାଶକୁ ସହଯୋଗର ହାତ ବଢ଼ାଇଥିଲା। ସଂଗଠନର ଆଉ ଜଣେ ସଦସ୍ୟ ଚିନ୍ମୟ ଦଳାଇ ସହାୟତା କରିବା ସହ ବ୍ରହ୍ମପୁର ଖଲ୍ଲିକୋଟରେ ଥିବା ବିକାଶଙ୍କ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ଯୁକ୍ତ ଦୁଇରେ ବିକାଶ ୬୦୦ରୁ ୪୫୫ ମାର୍କ (୭୫ପ୍ରତିଶତ) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଜେଇଇ ମେନ୍‌‌‌ରେ ତାଙ୍କ ରାଙ୍କ ୨୧୨ (୮୦.୦୨ %), ଓୟୁଏଟିରେ ୨୦୦ରୁ ୧୧୪ ଏବଂ ନିଟ୍‌‌ରେ ୫୩୩ ରାଙ୍କ ରଖିଥିଲେ। ସେହିପରି ବିପଦର ବନ୍ଧୁ ସଂଗଠନର ସଦସ୍ୟମାନେ ଏମ୍‌‌କେସିଜି ନାମଲେଖା ଲାଗି ୫୦ ହଜାର ଟଙ୍କା ଦେଇଥିବା ଜଣାପଡ଼ିଛି।

About The Author: The Sakala