ମହାନଦୀକୁ ମାରିବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର; ଶୁଖାପଡୁଛି ବଡ଼ନଦୀ, ଆଗକୁ ସ୍ଥିତି ଭୟଙ୍କର

ଭୁବନେଶ୍ୱର: ‘ନିତି’ ଆୟୋଗ ରିପୋର୍ଟ ଅନୁସାରେ ଭାରତର ୬୦ କୋଟି ଲୋକ ଜଳସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ପରି ୨୧ଟି ସହରର ଭୂତଳ ଜଳସ୍ତର ଶୂନ୍ୟ ହେବା ଅବସ୍ଥାରେ ପହଞ୍ଚିଛି। ୨୦୦୧ ମସିହାରେ ଦେଶର ଲୋକଙ୍କ ପାଇଁ ହାରାହାରି ୧୮୧୬ ଘନମିଟର ପାଣି ଉପଲବ୍ଧ ହେଉଥିବାବେଳେ ୨୦୧୧ରେ ଏହା ୧୫୪୬ ଘନମିଟର ଓ ୨୦୨୧ବେଳକୁ ଏହା ୧୩୬୭ ଘନମିଟରକୁ ହ୍ରାସ ପାଇଛି। ଆଗାମୀ ଦିନରେ ଏହି ପରିମାଣ ଆହୁରି ହ୍ରାସ ପାଇବା ଆଶଙ୍କା ସୃଷ୍ଟି […]

ଭୁବନେଶ୍ୱର: ‘ନିତି’ ଆୟୋଗ ରିପୋର୍ଟ ଅନୁସାରେ ଭାରତର ୬୦ କୋଟି ଲୋକ ଜଳସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ପରି ୨୧ଟି ସହରର ଭୂତଳ ଜଳସ୍ତର ଶୂନ୍ୟ ହେବା ଅବସ୍ଥାରେ ପହଞ୍ଚିଛି। ୨୦୦୧ ମସିହାରେ ଦେଶର ଲୋକଙ୍କ ପାଇଁ ହାରାହାରି ୧୮୧୬ ଘନମିଟର ପାଣି ଉପଲବ୍ଧ ହେଉଥିବାବେଳେ ୨୦୧୧ରେ ଏହା ୧୫୪୬ ଘନମିଟର ଓ ୨୦୨୧ବେଳକୁ ଏହା ୧୩୬୭ ଘନମିଟରକୁ ହ୍ରାସ ପାଇଛି। ଆଗାମୀ ଦିନରେ ଏହି ପରିମାଣ ଆହୁରି ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଦେଶର ଗ୍ରାମାଞ୍ଚଳରେ ବ୍ୟବହାର ହେଉଥିବା ପାନୀୟ ଜଳର ୯୦ % ଭୂତଳସ୍ତରରୁ ସଂଗୃହୀତ ହେଉଥିବାବେଳେ ସହରାଞ୍ଚଳରେ ଏହାର ପରିମାଣ ୬୦%। ଏକପକ୍ଷରେ ଲୋକସଂଖ୍ୟା ବୃଦ୍ଧି, କ୍ଷେତକୁ ଜଳସେଚନ ଓ ଶିଳ୍ପ ନିମନ୍ତେ ଜଳ ବ୍ୟବହାର ବଢ଼଼ୁଥିବାବେଳେ ଅନ୍ୟପକ୍ଷରେ ଭୂତଳଜଳସ୍ତର ହ୍ରାସ ଭବିଷ୍ୟତ ପାଇଁ ସମସ୍ୟା ସୃଷ୍ଟି କରିବା ଆଶଙ୍କା ସୃଷ୍ଟି କରିଛି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପାଣିର ଆବଶ୍ୟକତା ଓ ଭବିଷ୍ୟତ ଯୋଜନାକୁ ନେଇ ରାଜ୍ୟ ସରକାର ଚିନ୍ତିତ। ଓଡ଼ିଶାର ଲୋକସଂଖ୍ୟା ଏବେ ସାଢ଼େ ୪ କୋଟି ଛୁଇଁଲାଣି। ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ସହ ଚାଷକାର୍ଯ୍ୟ, ଶିଳ୍ପାୟନ ଆଦି ନିମନ୍ତେ ପ୍ରଚୁର ଜଳ ଲୋଡ଼ା ପଡ଼ୁଛି। ଜଳବାୟୁ ପରିବର୍ତ୍ତନ ଜନିତ ଅନିୟମିତତ ବର୍ଷା ଏ କ୍ଷେତ୍ରରେ ଭବିଷ୍ୟତରେ ସବୁଠୁ ବଡ଼ ସମସ୍ୟା ଭାବରେ ଉଭା ହେବା ଆଶଙ୍କା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରିବାରକୁ ପାଇପ୍‍ ଯୋଗେ ପାନୀୟ ଜଳ ଓ କ୍ଷେତକୁ ଜଳସେଚନ ନିମନ୍ତେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରିଛନ୍ତି; ମାତ୍ର ଜଳର ଅମିତବ୍ୟୟିତାକୁ ରୋକିବା ଓ ନୂତନ ଜଳ ଉତ୍ସର ସନ୍ଧାନ କରା ନ ଗଲେ ଭବିଷ୍ୟତରେ ଭୟଙ୍କର ସମସ୍ୟା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି।

ମହାନଦୀ ଉପମୁଣ୍ଡରେ ଛତିଶଗଡ଼ ଗୋଟାକ ପରେ ଗୋଟାଏ ବନ୍ଧ ବାନ୍ଧି ଚାଲିଛି। ରାଜ୍ୟର ଅନୁରୋଧ, ଦାବିକୁ ଗ୍ରହଣ କରିନାହିଁ। ପରିଣତିସ୍ୱରୂପ ମହାନଦୀରେ ଜଳ ପ୍ରବାହ ବର୍ଷକୁ ବର୍ଷ ହ୍ରାସ ପାଉଛି। ୨୦୦୫-୦୬ ବର୍ଷ ବେଳକୁ ମହାନଦୀରେ ନଭେମ୍ବର ମାସ ବେଳକୁ ୦.୬୭୮ ନିୟୁତ ଏକରଫୁଟ୍‍ ଜଳ ପ୍ରବାହିତ ହେଉଥିବାବେଳେ ୨୦୨୧ରେ ଏହା ପାଖାପାଖି ଦୁଇ ତୃତୀୟାଂଶ ହ୍ରାସ ପାଇଛି। ସେମିତି ଅଣ ମୌସୁମୀ କାଳରେ ଜଳପ୍ରବାହ ମଧ୍ୟ କମିଛି। ଟ୍ରିବ୍ୟୁନାଲ ଗଠନ ହେବା ପରେ ଗୋଟାକ ପରେ ଗୋଟାଏ ବୈଠକ ବସିଥିଲେ ମଧ୍ୟ ରାଜ୍ୟ ସ୍ୱାର୍ଥକୁ କେନ୍ଦ୍ର ସରକାର, ଜାତୀୟ ଜଳ ଆୟୋଗ, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ କେହି ଦୃଷ୍ଟି ଦେଉ ନାହାନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ବ୍ରାହ୍ମଣୀ ନଦୀ ଉପତ୍ୟକାରେ ସିମ୍‍ଡ଼େଗା, ଗୁମଲା, ରାଞ୍ଚି, ଲୋହରଡ଼େଗା,ପଶ୍ଚିମ ସିଂହଭୂମ ଜିଲାଗୁଡ଼ିକରେ ପାଖାପାଖି ଦେଢ଼ ଡ଼ଜନ ପ୍ରକଳ୍ପଗୁଡ଼ିକ ନିର୍ମାଣ କରିଛନ୍ତି। ସ୍ଥଳବିଶେଷରେ ପ୍ରକଳ୍ପଗୁଡ଼ିକର ଉଚ୍ଚତା ୧୭ ମିଟରରୁ ୩୯ ମିଟର ପର୍ଯ୍ୟନ୍ତ କରାଯାଇଛି। ଏହାବ୍ୟତୀତ ଲରୁଆ, ତପ୍‍କରା, ଗୁଚ୍ଚାଓପା, ଧନଶିଙ୍ଗ୍‍ଟୋଲି, ଜୟପୁର, ଲାଟ୍ରାଟୁ, ମଶାରିଆ, ନନ୍ଦିନୀ ଓ ପରାସ ଡ୍ୟାମ୍‍ ନିର୍ମାଣ କରାଯାଇଛି। ଏହାଛଡ଼ା ପଶ୍ଚିମ ସିଂହଭୂମି ଜିଲାରେ ସତ୍‍ପୋଟ୍‍କା, ଗୁମ୍‍ଲା ଜିଲାରେ କାନ୍ସ ଓ ରାଞ୍ଚି ଜିଲାରେ ବାସୁକୀ ଡ଼୍ୟାମ ନିର୍ମାଣାଧୀନ ରହିଛି। ପରିଣତି ସ୍ୱରୂପ ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ କମିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ୨୦୫୦ ବେଳକୁ ରାଜ୍ୟର ଆବଶ୍ୟକତା ଅନୁସାରେ ୮୫ ବିଲିଅନ କ୍ୟୁବିକ୍‍ ମିଟର (ବିସିଏମ୍‍) ଜଳ ଆକଳନ ଚିନ୍ତାର ବିଷୟ ହୋଇଛି।

ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁସାରେ୨୦୫୦ ବେଳକୁ ପାନୀୟ ଜଳ ପାଇଁ ୩.୦୦୬ ବିଲିଅନ କ୍ୟୁବିକ୍‍ ମିଟର ଜଳ ଆବଶ୍ୟକ ପଡ଼ିପାରେ। ଚାଷ ପାଇଁ ୪୯.୪୦୮ ବିସିଏମ୍‍, ଶିଳ୍ପ ପାଇଁ ୧.୯୫ ବିସିଏମ୍‍, ପରିବେଶ ସନ୍ତୁଳନ ପାଇଁ୨୯.୪୦ ବିସିଏମ୍‍ ଓ ଅନ୍ୟ ଉଦ୍ଦେଶ୍ୟରେ ୦.୪୦ ବିସିଏମ୍‍ ଜଳର ଆବଶ୍ୟକତା ରହିଛି। ବର୍ତ୍ତମାନ ଉପଲବ୍ଧ ଜଳର ଉଚିତ୍‍ ବିନିଯୋଗ ହେଲେ ଏହି ଆବଶ୍ୟକତା ପୂରଣ ଅସମ୍ଭବ ହେବ ନାହିଁ ବୋଲି ମନେ କରାଯାଉଛି, କିନ୍ତୁ ଏଥିଲାଗି ଉପଯୁକ୍ତ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି ହେବା ଆବଶ୍ୟକ ଜଳ ଆବଶ୍ୟକତା ଭରଣା ନିମନ୍ତେ ଭୂପୃଷ୍ଠ (ସର୍‍ଫେସ) ଜଳ ଅର୍ଥାତ୍‍ ନଦୀ, ପୋଖରୀ, ହ୍ରଦ, ଝରଣା ଆଦିରୁ ୬୪.୧୫୨ ବିସିଏମ୍‍ ଜଳ ଆହରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ସେହିପରି ୨୦.୦୧ ବିସିଏମ୍‍ ଭୂତଳ ଜଳ ଆହରଣ କରାଯିବ।

ଜଳସମ୍ପଦ ବିଭାଗର ପରିସଂଖ୍ୟାନ ଅନୁସାରେ ସମ୍ପ୍ରତି ରାଜ୍ୟକୁ ବାର୍ଷିକ ମୋଟ ୧୦୮.୧୧ ବିଲିଅନ କ୍ୟୁବିକ୍‍ ମିଟର ଜଳ ବିଭିନ୍ନ ନଦୀରୁ ମିଳୁଛି। ମହାନଦୀରୁ ସର୍ବାଧିକ ୫୦.୯୩୯ ବିସିଏମ୍‍ ଜଳ ମିଳୁଥିବା ଆକଳନ ହେଉଛି। ସେହିପରି ବ୍ରାହ୍ମଣୀରୁ ୧୩.୩୦, ବୈତରଣୀରୁ ୭.୫୬, ଋଷିକୂଲ୍ୟାରୁ ୩.୯୪, ବୁଢ଼ାବଳଙ୍ଗରୁ ୩.୧୧, ବଂଶଧାରାରୁ ୫.୦୮, କୋଲାବରୁ ୧୧.୦୮, ଇନ୍ଦ୍ରାବତୀରୁ ୬.୨୬, ବାହୁଡ଼ାରୁ ୦.୪୩, ନାଗାବଳୀରୁ ୨.୮୫ ଓ ସୁବର୍ଣ୍ଣରେଖାରୁ ୨.୩୮ ବିସିଏମ୍‍ ଜଳ ମିଳୁଛି। ତେବେ ଏଥିରୁ ରାଜ୍ୟରୁ ୮୨.୮୪ ବିସିଏମ୍‍ ଆସୁଥିବାବେଳେ ଅନ୍ୟ ରାଜ୍ୟରୁ ପ୍ରବାହିତ ଜଳର ପରିମାଣ ୨୫.୨୭୨ ବିସିଏମ୍‍। ମାତ୍ର ରାଜ୍ୟ ସବୁଠାରୁ ଅଧିକ ନିର୍ଭର କରୁଥିବା ମହାନଦୀରେ ଜଳ ପ୍ରବାହ ଯେପରି ହ୍ରାସ ପାଇ ଚାଲିଛି ତାହା ଓଡ଼ିଶା ପାଇଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

About The Author: The Sakala