ପୁରୀ: ପବିତ୍ର ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଭୋଇ ସେବାୟତଙ୍କର ହୃଦଘାତରେ ମୃତ୍ୟୁ ଘଟିଛି, ଯାହାଫଳରେ ରଥଖଳାରେ ଶୋକର ଛାୟା ଖେଳିଯାଇଛି। ମୃତ ସେବାୟତ ଜଣକ ହେଉଛନ୍ତି ଧୋବା ଭୋଇ। ସେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇବା ପରେ ପୁରୀ ଜିଲ୍ଲାପାଳ ରଥଖଳା ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ। ସେବାୟତଙ୍କ ବିୟୋଗରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।