ଲାଞ୍ଚ ନେଉଥିବା ବେଳେ ବାଲିଆପାଳ ସବ୍-ରେଜିଷ୍ଟ୍ରାରଙ୍କୁ ଧରିଲା ଭିଜିଲାନ୍ସ

ବାଲେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନିଷା ମିଶ୍ର। ଜମିର ବିକ୍ରି ଦଲିଲ ପଞ୍ଜିକରଣ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରାଯାଇଛି।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ୦.୧୪ ଡେସିମିଲ ପରିମିତ ‘ବାଜ୍ୟାପ୍ତି ସ୍ଥିତିବାନ’ କିସମର ଜମିର ପଞ୍ଜିକରଣ ପାଇଁ ସବ୍-ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ। ମାତ୍ର ଓଆରଏସ (ORS) ଅଧିକାରୀ ମନିଷା ମିଶ୍ର ଏଥିପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଏହି ମୂଲଚାଲ ୭,୦୦୦ ଟଙ୍କାରେ ସ୍ଥିର ହୋଇଥିଲା।

ଲାଞ୍ଚ ନଦେବାକୁ ଚାହିଁ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ଅଭିଯୋଗକାରୀଙ୍କଠାରୁ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ମନିଷା ମିଶ୍ରଙ୍କଠାରୁ ଲାଞ୍ଚ ବାବଦ ସମସ୍ତ ୭,୦୦୦ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।

About The Author: Madhusudan Das