ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବାଲେଶ୍ୱର: ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ୫ ଦିନ ଧରି ନିଖୋଜ ଥିଲେ ନାବାଳିକା ଜଣକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ବର୍ତ୍ତନା ପଞ୍ଚାୟତ ଅଧୀନସ୍ଥ ହେରାପଦା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ନାବାଳିକା ଜଣକ ଜଳେଶ୍ୱର ପୋଲିସ ସୀମା ଅଧୀନସ୍ଥ ପଶ୍ଚିମବାଡ଼ ପଞ୍ଚାୟତର ବାସିନ୍ଦା ବୋଲି ଜଣାପଡିଛି। 

ଗତ ବୁଧବାର ସନ୍ଧ୍ୟାରେ ନାବାଳିକା ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ସ୍ଥାନୀୟ ବଜାରକୁ ଚାଟ୍ ଖାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଏହା ପରେ ପରିବାର ଲୋକେ ନିକଟସ୍ଥ ପୋଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ। ସୁଲତାନପୁର ଗ୍ରାମର ଜଣେ ଯୁବକ ତାଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଥିଲେ। ପରିବାରର ଆରୋପ ମୁତାବକ, ପୋଲିସ ଉକ୍ତ ଯୁବକକୁ ଅଟକ ରଖିଥିଲା, କିନ୍ତୁ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବା ନାବାଳିକାଙ୍କୁ ନଖୋଜି ତାକୁ ଛାଡି ଦେଇଥିଲା। 

ଗୁରୁବାର ଦିନ ହେରାପଦା ସ୍ଥିତ ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ପଡ଼ିଥିବା ସ୍ଥାନରୁ କିଛି ଦୂରରେ ନାବାଳିକାଙ୍କ ଚପଲ ଏବଂ ଓଢ଼ଣୀ ପଡିଥିବା ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ। ଝିଅଟିର ମୁହଁ, ଛାତି ଏବଂ ପେଟରେ ପୋଡ଼ା ଦାଗ ରହିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। 

ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଳି ଦିଆଯାଇଛି ବୋଲି ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତୀବ୍ର ତଦନ୍ତ ଚଳାଇଛି। ଅନ୍ୟପଟେ ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

About The Author: Madhusudan Das