ପୂଜା ଉଜାଡ଼ିବ ବାତ୍ଯା ! , ପୁରୀରୁ ଗୋପାଳପୁର ମଧ୍ଯରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା

ଭୁବନେଶ୍ଵର: ଓଡ଼ିଶାର ଦକ୍ଷିଣ ଉପକୂଳରେ ଘସି ହୋଇ ଚାଲିଗଲା ‘ଗୁଲାବ’ । ମାତ୍ର ଗୁଲାବ ଯାଉଯାଉ ଆଉ ଏକ ବାତ୍ୟା ଓଡ଼ିଶା ମୁହାଁ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅକ୍ଟୋବର ୧୦ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଗଭୀରି ଅବପାତ ଓ ପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ […]

ଭୁବନେଶ୍ଵର: ଓଡ଼ିଶାର ଦକ୍ଷିଣ ଉପକୂଳରେ ଘସି ହୋଇ ଚାଲିଗଲା ‘ଗୁଲାବ’ । ମାତ୍ର ଗୁଲାବ ଯାଉଯାଉ ଆଉ ଏକ ବାତ୍ୟା ଓଡ଼ିଶା ମୁହାଁ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅକ୍ଟୋବର ୧୦ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଗଭୀରି ଅବପାତ ଓ ପରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ପ୍ରତି ସମୁଦ୍ର ପୃଷ୍ଠରେ ବାତ୍ୟା ଅନୁକୂଳ ପରିସ୍ଥିତି ରହିଛି ଏବଂ ଘନୀଭୂତ ଅବପାତ ବାତ୍ୟା ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆଘାତ ଦେବାର ଆଶଙ୍କା ସୃଷ୍ଟି କରିଛି। ଯାହାଦ୍ବାରା ରାଜ୍ୟ ପାଇଁ ଅକ୍ଟୋବର ପୁଣିଥରେ ଅଶୁଭ ସାବ୍ୟସ୍ତ ହୋଇପାରେ ବୋଲି ଆକଳନ କରାଯାଉଛି।

ସମ୍ଭାବ୍ୟ ବାତ୍ୟା ୧୨ ରାତି କିମ୍ବା ୧୩ ତାରିଖ  ସକାଳ ସମୟରେ ଉପକୂଳ ଅତିକ୍ରମ କରିପାରେ ବୋଲି ବିଭିନ୍ନ ମଡେଲ୍ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ଅନୁସାରେ ଏହି ସାମୁଦ୍ରିକ ଝଡ଼ ଗୋପାଳପୁର-ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି । ଆମେରିକାର ଜିଏସ୍ଏସ୍ ମଡେଲ୍‌ ଏବଂ ୟୁରୋପର ଇସିଏମଡବ୍ଲ୍ୟୁଏଫ୍ ମଡେଲ୍‌ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଦୁଇ ମଡେଲ୍‌ ସମେତ ଭାରତର ଏନ୍‌କମ୍ ମଡେଲ୍ ଏହି ଆଶଙ୍କାକୁ ଆହୁରି ମଜଭୁତ କରୁଛି ।

ଅନୁରୂପ ଭାବରେ ଗତ ୩୦ ସେପ୍ଟେମ୍ବରରେ ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନରେ ମଧ୍ୟ ଅକ୍ଟୋବର ହିତୀୟ ସପ୍ତାହର ପ୍ରଥମାର୍ଦ୍ଧରେ ଗୋଟିଏ ଲଘୁଚାପ କ୍ଷେତ୍ରର ପୂର୍ବନୁମାନ କରାଯାଇ ସାରିଛି। ପୂର୍ବରୁ ୨୦୧୮ ଅକ୍ଟୋବର ୧୧ରେ ‘ତିତଲୀ’, ୨୦୧୩ ଅକ୍ଟୋବର ୧୨ ତାରିଖରେ ଫାଇଲିନ, ୨୦୧୪ ଅକ୍ଟୋବର ୧୨ରେ ‘ହୁଡ୍‌ହୁଡ୍’ ଭଳି ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସମ୍ଭାବ୍ୟ ବାତ୍ୟାଟି ମଧ୍ୟ ୧୧-୧୩ ଅକ୍ଟୋବର ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବାର ଆଶଙ୍କା ଥିବାରୁ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ଓ ଓଡ଼ିଶା ସହିତ ଏହାର ନିବିଡ଼ତାକୁ ମଜଭୂତ କରୁଛି।

ଅନ୍ୟପଟେ ମୌସୁମୀ ଅପସାରଣ ପରେ ବାତ୍ୟାଗୁଡ଼ିକ ସାଧାରଣତଃ ଅଧିକ ଶକ୍ତିଶାଳୀ ହୋଇଥାଏ। ଆସନ୍ତା ୬ ତାରିଖଠାରୁ ଦେଶରେ ମୌସୁମୀ ଅପସାରଣ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଯାହାଦ୍ବାରା ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେଲେ ଏହାର ତୀବ୍ରତା ଓ ଗତିପଥକୁ ନେଇ ଭୟ ଆରମ୍ଭ ହୋଇଛି। ବର୍ତ୍ତମାନ ମାଡାନ୍ ଜୁଲିୟନ ଓସିଲେନସନର ସକରାତ୍ମକ ପ୍ରଭାବ ରହିଛି। ଏହା ବାତ୍ୟା ସୃଷ୍ଟି କରିବାରେ ଅତ୍ୟଧିକ ସହାୟକ ହୋଇଥାଏ । ସେହିପରି ଉତ୍ତର ଆଣ୍ଡାମାନ ସାଗରରେ ବର୍ତ୍ତମାନ ୩୦-୩୧ ଡିଗ୍ରୀ ସେଲ୍‌ଫ ସିୟସ ତାପମାତ୍ରା ସହିତ ବାୟୁ ପ୍ରବାହ ସ୍ଥିର ରହୁଛି । ଯାହାକି ବାତ୍ୟା ସୃଷ୍ଟି ଏକ ବଳିଷ୍ଠ ବାତାବରଣ ସୃଷ୍ଟି କରୁଛି। ‘ଗୁଲାବ’ ସୃଷ୍ଟି ହେବା ନେଇ ବିଭିନ୍ନ ବିଦେଶୀ ସଂସ୍ଥା। ବହୁ ଆଗରୁ ପୂର୍ବାନୁମାନ କରିଥିଲେ। ଅନ୍ତିମ ମୂହୁର୍ତ୍ତରେ ଆଇଏମଡି ପକ୍ଷରୁ ବାତ୍ୟା ସମ୍ପର୍କରେ ସୂଚନା ଦିଆଯାଇଥିଲା। ତେଣୁ ଏହି କ୍ଷେତ୍ରରେ ମଧ୍ୟ ବିଦେଶୀ ଓ ଭାରତୀୟ ମଡେଲକୁ ପାଣିପାଗ ବିଜ୍ଞାନୀମାନେ ଗୁରୁତର ସହ ନେଇ ଘଟଣା ଉପରେ ନଜର ରଖୁଛନ୍ତି ।

About The Author: The Sakala