୨୯ରେ ଆଉ ଏକ ଲଘୁଚାପ, ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚମବଙ୍ଗ-ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡ ମୁହାଁ ହେବ। ଏହା ଓଡ଼ିଶାଠାରୁ ଦୂରରେ ରହିଥିଲେ ହେଁ ଏହା ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି […]

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚମବଙ୍ଗ-ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡ ମୁହାଁ ହେବ। ଏହା ଓଡ଼ିଶାଠାରୁ ଦୂରରେ ରହିଥିଲେ ହେଁ ଏହା ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ସୋମବାର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ ଯୋଗୁଁ ୩୦ତାରିଖରୁ ବର୍ଷାର ପ୍ରଭାବ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଆସନ୍ତା ସେପ୍ଟେମ୍ୱର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲ୍‌‌ାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ସହ ସମୁଦ୍ର ମଧ୍ୟରେ ପବନ ବେଗ ବୃଦ୍ଧି ହେବାର ଆଶଙ୍କା ରହିଛି। ଏଥିପାଇଁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସବମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସତର୍କତା ପରେ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସ୍‌‌ଆରସି ସତର୍କ କରାଇଛନ୍ତି। ଏହାସହିତ ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୮ ତାରିଖ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ୨୯ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ୪୮ ଘଣ୍ଟା କେନ୍ଦ୍ରୀୟ ବଙ୍ଗୋପାସାଗରରେ ରହି ୩୧ ଓ ସେପ୍ଟେମ୍ବର ୧ରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ନିକଟରେ ରହି ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହାଁଇପାରେ। ଏହାଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଯଦିବା ୩୧ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ, କିନ୍ତୁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନାହିଁ। ତେବେ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତିରେ ମଧ୍ୟମ ଓ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଭୁବନେଶ୍ୱରରେ ୨୮ରୁ ୩୧, ଦକ୍ଷିଣ ଆଭ୍ୟନ୍ତରୀଣରେ ୨୮ରୁ ଏବଂ ସମ୍ବଲପୁରରେ ୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

About The Author: The Sakala