ହାଣ୍ଡିଧୁଆ: ଅନୁଗୁଳ ଜିଲ୍ଲାର ତାଳଚେର ସହର ହେଉଛି ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ। ତାଳଚେର ଅଞ୍ଚଳରେ ସ୍ଥାନେସ୍ଥାନେ ମଦ ମାଫିଆ ମାନଙ୍କ ଦୌରାତ୍ମ୍ୟ ଯୋଗୁଁ ସାରା ତାଳଚେର ଏବେ ଭୟର ବାତାବରଣ ଭିତରେ ଗତି କରୁଛି। କେତେବେଳେ ଚୋରି ତ ଆଉ କେତେବେଳେ ଡକାୟତି ରାହାଜାନି ଭଳି ସଙ୍ଗୀନ ଅପରାଧ ତାଳଚେର ଅଞ୍ଚଳରେ ଘଟି ଚାଲିଛି। ସାଧାରଣ ଜନତା ଘରୁ ବାହାରିବା ପୂର୍ବରୁ ଚିନ୍ତା କରି ଘରୁ ବାହାରୁଛନ୍ତି । ତେବେ ସାଧାରଣ ଲୋକଙ୍କ ଉପରେ ମଦ ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ତା ସାଙ୍ଗକୁ ମଦ ପିଇ ମାତାଲ ଅବସ୍ଥାରେ ଥିବା ଯୁବକ ମାନଙ୍କ ଚୋରି ଡକାୟତି ଭଳି ଅପରାଧିକ କାର୍ଯ୍ଯକଳାପ ଜନସାଧାରଣଙ୍କ କଷ୍ଟକୁ ଦୁଇଗୁଣିତ କରୁଛି।
ତେବେ ସହରର ପ୍ରତି ଗଳି କନ୍ଦି କିମ୍ବା ଗ୍ରାମାଞ୍ଚଳରେ ଥିବା ତେଜରାତି ଦୋକାନ ଗୁଡିକରେ ଖୋଲାମଖୋଲା ଭାବେ ଦେଶୀ ଓ ବିଦେଶୀ ମଦର ବିକ୍ରୟ ବଢିଚାଲିଥିଲା ବେଳେ ତାଳଚେର ଅବକାରୀ ବିଭାଗର ସ୍ଥାଣୁତା ଏକ ବଡ ପ୍ରଶ୍ନବାଚୀ ହୋଇ ଛିଡ଼ାହୋଇଛି। ଅନ୍ୟପଟେ ସହରରେ ଅନେକ ଛୋଟ ବଡ ହୋଟେଲ ଓ ଢ଼ାବା ରହିଥିବା ବେଳେ ସେଠାରେ ଦେଶୀ ଓ ବିଦେଶୀ ମଦ ଖୋଲମ ଖୋଲା ଭାବେ ବିକ୍ରି ହୁଏ। ମଦ ମାଫିଆ ଏବଂ ହୋଟେଲ ଢ଼ାବା ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଇ ତାଳଚେର ଅବକାରୀ ବିଭାଗ ନିଘୁଡ଼ ନିଦରେ ଶୋଇ ରହିଛି ବୋଲି ମତ ପ୍ରକାଶ କରିଛନ୍ତି କିଛି ସ୍ଥାନୀୟ ବୁଦ୍ଧିଜୀବୀ ।
ଏମିତିକି ସ୍ଥାନୀୟ ଆମ୍ବପଳାସ ଅଞ୍ଚଳରୁ ଉଭୟ ନକଲି ଦେଶୀ ଓ ବିଦେଶୀ ମଦ ତାଳଚେରକୁ ଚୋରା ଚାଲାଣ ହେଉଥିବା ବେଳେ ଏହି ମଦ ବିଭିନ୍ନ ଢ଼ାବା ଓ ହୋଟେଲ ଗୁଡିକରେ ବେଆଇନ ଭାବେ ବିକ୍ରି ହେଉଥିବାର ବିଶେଷ ସୂତ୍ରରୁ ଖବର ମିଳୁଛି। କାଁଭାଁ ତାଳଚେର ଅବକାରୀ ବିଭାଗ ଛୋଟମୋଟ ଚୋରା ମଦ ବେପାରୀଙ୍କୁ ଧରି କୋର୍ଟ ଚାଲାଣ କରୁଥିବା ବେଳେ ବଡବଡ ମଦ ବେପାରୀଙ୍କ ଠାରୁ ମୋଟା ଅଙ୍କର ମାସିକିଆ ବଟି ନେଇ ଖସେଇ ଦିଆଯାଉ ଅଛି। ଏଠାରେ ହାତୀ ଗଳି ଯାଉଥିବା ବେଳେ ପିମ୍ପୁଡିକୁ ବାଟ ନାହିଁ । ତେବେ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ମାସିକିଆ ଭାବେ ଆମଠାରୁ ଟଙ୍କା ନିଅନ୍ତି ଓ ଯେତେବେଳେ ଚଢ଼ାଉ ହେବାର ଥିବ ସେତେବେଳେ ସେ ଆମକୁ ଆଗୁଆ ସୂଚନା ଦିଅନ୍ତି ବୋଲି କିଛି ମଦ ବ୍ୟବସାୟୀ ନିଜର ନାମ ଗୋପନ ରଖି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି। ତେବେ ତାଳଚେର ଅବକାରୀ ବିଭାଗର କେଉଁକେଉଁ କର୍ମଚାରୀଙ୍କୁ ନେଇ ଚୋରା ମଦ ବ୍ୟାପାରୀଙ୍କ ଠାରୁ ମାସିକିଆ ଚାନ୍ଦା ଆଦାୟ କରନ୍ତି ତାହା ତଦନ୍ତ ସାପେକ୍ଷ। ତେବେ ପ୍ରତିକ୍ରିୟା ନିମନ୍ତେ ଅବକାରୀ ବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ପାରିନଥିଲା କ୍ଷତେବେ ଜିଲ୍ଲାର ଅବକାରୀ ଆରକ୍ଷୀ ଅଧିକ୍ଷକ ଏହା ଉପରେ ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।