ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ଖଲ୍ଲିକୋଟ: ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ସରକାରୀ ରାସନ ସାମଗ୍ରୀ ଉପରେ ଏବେ ଚୋରଙ୍କ ନଜର । ବାଣ୍ଟିବା ବଦଳରେ ବଜାରରେ ବିକ୍ରି ହେଉଛି ଶିଶୁଙ୍କ ଚାଉଳ ଓ ଛତୁଆ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗାଁରୁ ଆସିଛି ଏଭଳି ଏକ ସାଂଘାତିକ ଅଭିଯୋଗ। ଅଙ୍ଗନବାଡ଼ି କେନ୍ଦ୍ରରୁ ଚୋରା ଚାଲାଣ ବେଳେ ରେଡ ହେଣ୍ଡରେ ଧରିଲେ ଗାଁ ଲୋକେ । ୫ ବସ୍ତା ଚାଉଳ, ୧୧ ପ୍ୟାକେଟ୍ ଛତୁଆ, ୨ ପ୍ୟାକେଟ ଲେଖାଏଁ ମୁଢି ଏବଂ ବୁଟ ଏକ ଅଟୋରେ ଲୋଡ୍ ହୋଇ ବିକ୍ରି ପାଇଁ ଯାଉଥିବା ବେଳେ ମାଡ଼ି ବସିଲେ ଗ୍ରାମବାସୀ। ଅଟୋ ଡ୍ରାଇଭର ସହ ଅଙ୍ଗନବାଡ଼ି ଦିଦିଙ୍କ ଭାଇଙ୍କୁ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ। 

ପୂର୍ବରୁ ଅନେକ ଥର ଅଙ୍ଗନବାଡ଼ି କେନ୍ଦ୍ରରୁ ସାମଗ୍ରୀ ଚୋରି ହେଉଥିବା ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିଲା। ଆଜି ସେହି ସନ୍ଦେହ ସତ ପ୍ରମାଣିତ ହୋଇଛି। ଆଜି ଅଟୋରେ ଲୋଡ୍ କରାଯାଇ ବାହାରକୁ ବିକ୍ରି ପାଇଁ ନିଆଯାଉଥିବା ସମୟରେ ଗାଁ ଲୋକେ ସତର୍କତାର ସହ ଚଢ଼ାଉ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଁଚି ଅଟୋ ଡ୍ରାଇଭର, ଅଙ୍ଗନବାଡି ଦିଦିଙ୍କ ଭାଇ ସମେତ ଅଙ୍ଗନବାଡି ଦିଦିକୁ ଅଧିକ ପଚରାଉଚରା ପାଇଁ ଥାନାକୁ ଡ଼ାକିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଗାଁ ଲୋକଙ୍କ ଏହି ଅଭିଯୋଗକୁ ଅଙ୍ଗନବାଡି ଦିଦି ଖଣ୍ଡନ କରିବା ସହ ଏସବୁ ଚାଉଳ ନିଜର ଏବଂ ଛତୁଆ, ମୁଢି, ବୁଟ ବଳକା ଥିବାରୁ ଗାଁକୁ ପଠାଉଥିଲି ବୋଲି କହିଛନ୍ତି ଅଙ୍ଗନବାଡି ଦିଦି ।

About The Author: Madhusudan Das