ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

ଭୁବନେଶ୍ୱର: ବୁଧବାର ରାଜ୍ୟ କ୍ୟାବିନେଟ ପ୍ରଚଳିତ ଥିବା ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତିର ଉପଧାରା ୩ରେ ଦୁଇଟି ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଥମଟି ହେଉଛି ପ୍ରଚଳିତ ନୀତିର ଧାରା ୩ ଅଧୀନରେ ଥିବା ଭବିଷ୍ୟତ ସ୍ୱାଧୀନ ଶକ୍ତି ଉତ୍ପାଦନକାରୀ (ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ରଡ୍ୟୁସର ବା ଆଇପିପି) ସହ ପ୍ରସ୍ତାବିତ ଏମ୍‌ଓୟୁ ଶୀର୍ଷକକୁ ସଂଶୋଧନ କରି ‘ପ୍ରସ୍ତାବିତ’ ଶବ୍ଦକୁ ବିଲୋପ କରାଯାଇଛି। ଏହା ପରିବର୍ତ୍ତେ ‘ଭବିଷ୍ୟତ ଆଇପିପି ସହ ଏମ୍‌ଓୟୁ’ ହେବ। ଦ୍ୱିତୀୟରେ ପ୍ରଚଳିତ ନୀତିର ଉପଧାରା ୩(ସସସ)କୁ ସଂଶୋଧନ କରି ଲେଖାଯାଇଛି ଯେ ବର୍ତ୍ତମାନ ଥିବା ଆଇପିପିଠାରୁ ତାପଜ ଶକ୍ତି କେନ୍ଦ୍ରର ୧୪ପ୍ରତିଶତ/୧୨ ପ୍ରତିଶତ ବିଦ୍ୟୁତ୍‌କୁ କେବଳ ପରିବର୍ତ୍ତନଶୀଳ ମୂଲ୍ୟରେ କ୍ରୟ କରିବାର ଅଧିକାର ବଦଳରେ, ତାପଜ ଶକ୍ତି କେନ୍ଦ୍ରରୁ ବାହାରୁଥିବା ବିଦ୍ୟୁତ୍‌ର ମାତ୍ର ୫ ପ୍ରତିଶତକୁ ପରିବର୍ତ୍ତନଶୀଳ ମୂଲ୍ୟରେ କ୍ରୟ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ଏକ ନାମିତ ସଂସ୍ଥା (ଗ୍ରୀଡ୍‌କୋ)କୁ ଅଧିକାର ପ୍ରଦାନ କରାଯିବ। ତେବେ ରାଜ୍ୟ କ୍ୟାବିନେଟର ଉପରୋକ୍ତ ନିଷ୍ପତ୍ତିକୁ ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ଶକ୍ତି ସମୀକ୍ଷକ ମହଲରେ ମତପ୍ରକାଶ ପାଇଛି। 

ଶକ୍ତି ସମୀକ୍ଷକମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଓଡ଼ିଶା ଏବେ ଜିନ୍ଦଲ ଇଣ୍ଡିଆ ପାୱାର ଲିମିଟେଡ୍‌ , ଜିନ୍ଦଲ ଷ୍ଟିଲ୍‌ ୱର୍କ୍ସ ଲିମିଟେଡ, ନବ ଭାରତ ଲିମିଟେଡ୍‌ ଓ ମା’ ଦୁର୍ଗା ଥର୍ମାଲ ପାୱାର୍‌ ଲିମିଟେଡଡ୍‌ ଭଳି ୪ଟି ଆଇପିପିଠାରୁ ତାପଜ ନୀତି ଅନୁସାରେ ଗ୍ରୀଡ୍‌କୋ ବିଦ୍ୟୁତ୍‌ କ୍ରୟ କରୁଛି। ଗ୍ରୀଡ୍‌କୋ ୧୨ ପ୍ରତିଶତ ହିସାବରେ ସେମାନଙ୍କଠାରୁ କେବଳ ପରିବର୍ତ୍ତନଶୀଳ ମୂଲ୍ୟରେ (ଅର୍ଥାତ ଅଧା ମୂଲ୍ୟରେ) ୧୬୬୭ ନିୟୁତ ୟୁନିଟ୍‌ ବିଜୁଳି କ୍ରୟ କରୁଛି। ନୀତିରେ ସଂଶୋଧନ ହେବା ଦ୍ୱାରା ଗ୍ରୀଡ୍‌କୋ ୧୨ ପ୍ରତିଶତ ବଦଳରେ ମାତ୍ର ୫ ପ୍ରତିଶତ ବିଦ୍ୟୁତ୍‌ ପାଇବ। ଅର୍ଥାତ ଓଡ଼ିଶା ପାଉଥିବା ବାର୍ଷିକ ପ୍ରାୟ ୧୦୦୦ ନିୟୁତ ୟୁନିଟରୁ ଅଧିକ ଶସ୍ତା ବିଦ୍ୟୁତ୍‌ ହରାଇବ। ସେଥିପାଇଁ ଓଡ଼ିଶାର ଏକ କୋଟି ଉପଭୋକ୍ତା ବାର୍ଷିକ ଅତିରିକ୍ତ ବୋଝ ୨୦୦ କୋଟି ଟଙ୍କା ବହନ କରିବେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପାଇଁ ପ୍ରତେକ ବିଦ୍ୟୁତ୍‌ ଉପଭୋକ୍ତା ବର୍ଷକୁ ଅତିରିକ୍ତ ୨୦୦ ଟଙ୍କା ବିଦ୍ୟୁତ୍‌ ବିଲ୍‌ ପରିଶୋଧ କରିବେ ବୋଲି ଶକ୍ତି ସମୀକ୍ଷକମାନେ ମତ ଦେଇଛନ୍ତି।

ଏ ନେଇ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଯେ ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀଗୁଡିକ ପାଇଁ ଫିକ୍ସଡ ଚାର୍ଜ (ସ୍ଥିର ମୂଲ୍ୟ) ଓ ଭାରିଏବଲ ଚାର୍ଜ (ପରିବର୍ତ୍ତନଶୀଳ ମୂଲ୍ୟ) ଭଳି ଦ୍ୱିସ୍ତରୀୟ ଟାରିଫ ପ୍ରଚଳନ ଅଛି। ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି ଅନୁସାରେ ଆଇପିପିମାନଙ୍କୁ ଗ୍ରୀଡ୍‌କୋ କେବଳ ପରିବର୍ତ୍ତନଶୀଳ ମୂଲ୍ୟରେ ବିଦ୍ୟୁତ୍‌ କ୍ରୟ କରେ। ଗ୍ରୀଡ୍‌କୋକୁ କୌଣସି ସ୍ଥିର ମୂଲ୍ୟ ଦେବାକୁ ପଡେ଼ ନାହି। ଉତ୍ପାଦନ ଟାରିଫର ସ୍ଥିରମୂଲ୍ୟ ଓ ପରିବର୍ତ୍ତନଶୀଳ ମୂଲ୍ୟର ଅନୁପାତ ମୋଟାମୋଟି ୫୦:୫୦ ଅଟେ। ଆଇପିପି ତାପଜ ବିଦ୍ୟୁତ୍‌ କେନ୍ଦ୍ର ସାଧାରଣତଃ ଘରୋଇ କମ୍ପାନୀ ପ୍ରତିଷ୍ଠା କରୁଛନ୍ତି। ସେଥିପାଇଁ ରାଜ୍ୟ ସରକାର କୋଇଲା ଖଣି, ପାଣି ଓ ଜଙ୍ଗଲ ଜମି ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶାରେ ପ୍ରଦୂଷଣ ବୃଦ୍ଧି ପାଇବା ସହ କୋଇଲା ପାଉଁଶ ଏକ ବଡ଼ ସମସ୍ୟା ହୋଇଛି। ତେଣୁ କ୍ୟାବିନେଟ ନିଷ୍ପତ୍ତି ଜନବିରୋଧୀ ହୋଇଛି। ଉପଭୋକ୍ତାଙ୍କୁ ଶୋଷଣ କରି କମ୍ପାନୀକୁ ଲାଭ ଦେବାପାଇଁ ଏପରି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ତୁରନ୍ତ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

About The Author: Madhusudan Das