ଆଫୋର୍ଡେବଲ ହାଉସିଂ ପ୍ରକଳ୍ପ, ୭ହଜାର ଲୋକଙ୍କୁ ମିଳିବ ଘର

ଭୁବନେଶ୍ୱର: ଉନ୍ନୟନମୂଳକ କାର୍ଯ୍ୟରେ ଉଚ୍ଛେଦ ହୋଇଥିବା ତଥା ଅନ୍ୟ କାରଣରୁ ଗୃହ ହରାଇଥିବା ଲୋକଙ୍କୁ ଶସ୍ତାରେ ଘର ପ୍ରଦାନ କରାଯିବ। ଆଫୋର୍ଡେବଲ୍‌‌ ହାଉସିଂ ପ୍ରକଳ୍ପ ମାଧ୍ୟମରେ ଏଭଳି ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏଥିରେ ୭ହଜାର ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏହି କଲୋନୀରେ ପାର୍କ, କମ୍ୟୁନିଟି ସେଣ୍ଟର, ମନ୍ଦିର ଆଦିର ବ୍ୟବସ୍ଥା ରହିବ। ରାଜଧାନୀରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭ହଜାର ଗୃହ ନିର୍ମାଣ କରାଯିବ। ଆଫୋଡେବଲ ହାଉସିଂ ପ୍ରକଳ୍ପରେ ୭ […]

ଭୁବନେଶ୍ୱର: ଉନ୍ନୟନମୂଳକ କାର୍ଯ୍ୟରେ ଉଚ୍ଛେଦ ହୋଇଥିବା ତଥା ଅନ୍ୟ କାରଣରୁ ଗୃହ ହରାଇଥିବା ଲୋକଙ୍କୁ ଶସ୍ତାରେ ଘର ପ୍ରଦାନ କରାଯିବ। ଆଫୋର୍ଡେବଲ୍‌‌ ହାଉସିଂ ପ୍ରକଳ୍ପ ମାଧ୍ୟମରେ ଏଭଳି ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏଥିରେ ୭ହଜାର ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏହି କଲୋନୀରେ ପାର୍କ, କମ୍ୟୁନିଟି ସେଣ୍ଟର, ମନ୍ଦିର ଆଦିର ବ୍ୟବସ୍ଥା ରହିବ। ରାଜଧାନୀରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭ହଜାର ଗୃହ ନିର୍ମାଣ କରାଯିବ। ଆଫୋଡେବଲ ହାଉସିଂ ପ୍ରକଳ୍ପରେ ୭ ହଜାର ୟୁନିଟ୍‌‌ ଘର ପ୍ରସ୍ତୁତ ହୋଇଥିବା ବେଳେ ମାର୍ଚ୍ଚ ସୁଦ୍ଧା ସବୁ ଘରକୁ ଆଲଟମେଣ୍ଟ ଜରିଆରେ ପ୍ରଦାନ କରାଯିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବେ ୩ରୁ ୪ ହାଉସିଂ ପ୍ରକଳ୍ପ ହାତକୁ ନେଇଥିବାବେଳେ ଖୁବଶୀଘ୍ର କେୟାର୍‌‌ ହସ୍ପିଟାଲ ନିକଟରେ ଥିବା ନୀଳମାଧବ ନିବାସକୁ ଲୋକାର୍ପିତ କରାଯିବ। ସେହିପରି ଘାଟିକିଆରେ ଚାଲୁ ରହିଥିବା ହାଉସିଂ ପ୍ରୋଜେକ୍ଟକୁ ମଧ୍ୟ ସର୍ବସାଧାରଣଙ୍କ ଲାଗି ଲୋକର୍ପଣ କରିବାକୁ ବିଡିଏ ଯୋଜନା କରିଥିବା ଉପାଧ୍ୟକ୍ଷ ବଲୱନ୍ତ ସିଂହ କହିଛନ୍ତି। ଅନ୍ୟପକ୍ଷରେ ଫେବୃଆରୀ ଶେଷ ସୁଦ୍ଧା ବାବାସାହେବ ଆମ୍ବେଦକର ବସ୍‌‌ ଟର୍ମିନାଲ (ବିଏସ୍‌ବିଟି)କୁ ମଧ୍ୟ ଲୋକର୍ପିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବିଡିଏ ଦ୍ୱାରା ହାତକୁ ନିଆଯାଇଥିବା ଟିପି ସ୍କିମ୍‌‌ ମଧ୍ୟ ଆଗକୁ ବଢ଼ୁଛି। ବିଡିଏ ସିଭିଲ୍‌‌ ଟିମ୍‌‌ ସହ ପୂର୍ତ୍ତ ଓ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଏବେ ତମାଣ୍ଡୋ-ପାଇକରାୟପୁର ମୌଜାରେ ରାସ୍ତା ନିର୍ମାଣ ଜାରି ରଖିଛନ୍ତି, ପର୍ଯ୍ୟାୟକ୍ରମେ ଏହାର ବିକାଶ ହେବ। ଏହାପରେ ବିଡିଏ ହୋଲ୍‌‌ ସେଲ୍‌ଫ ମାର୍କେଟ ସ୍ଥାନାନ୍ତରଣ ସହ ଟ୍ରକ୍‌‌ ଟର୍ମିନାଲ ଲାଗି ମଧ୍ୟ କାମ ଆରମ୍ଭ କରିବ।

ପ୍ରତ୍ୟେକ ଜୋନ୍‌‌ରେ ହେବ ପାଠାଗାର
କାହାଣୀ ଉତ୍ସବରେ ଲୋକଙ୍କ ବହି ପ୍ରତି ଥିବା ଭଲପାଇବାକୁ ଅନୁଭବ କରିଛି ବିଡିଏ। ଏହାକୁ ଦୃଷ୍ଟିରେ ରଖି ବିଡିଏ ଏବେ ସହରରେ ଥିବା ଲାଇବ୍ରୋରୀ (ପାଠାଗାର)ଗୁଡ଼ିକର ପୁନରୁଦ୍ଧାର ସହ ସବୁ ଜୋନ୍‌‌ରେ ପାଠଗାର ନିର୍ମାଣ କରିବାକୁ ଯୋଜନା ରଖିଛି। ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରେକୃଷ୍ଣ ମହତାବ ରାଜ୍ୟ ପାଠଗାରର ପୁନରୁଦ୍ଧାର ନେଇ ଭିତ୍ତପ୍ରସ୍ତର ସ୍ଥାପନ କରିବେ। ସେହିପରି ଦକ୍ଷିଣ ପୂର୍ବ ଜୋନର ଲାଇବ୍ରେରୀ ଭାବେ ବାପୁଜୀ ନଗରରେ ଥିବା ଆଇପିଏସ୍‌‌ଇ କୋଠାର ୨ମହଲାରେ ଜୋନ୍‌‌ ପାଠାଗାର ଉଦ୍‌‌ଘାଟନ କରାଯିବ। ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ପ୍ରତ୍ୟେକ ଜୋନରେ ପାଠାଗାର ରହିବ। ଯାହାଦ୍ୱାରା ସହରବାସୀଙ୍କ ରିଡିଂ ହାବିଟ୍‌‌ ବଢ଼଼ିବ ବୋଲି ବିଡିଏ ଭିସି ଶ୍ରୀ ସିଂହ କହିଛନ୍ତି।

ଏକାମ୍ର ଉତ୍ସବ ସଫଳ ପାଇଁ ଧନ୍ୟବାଦ
ଚଳିତବର୍ଷର ସିଟି ଫେଷ୍ଟ ‘ଏକାମ୍ର ଉତ୍ସବ’ର ସଫଳ ଆୟୋନ ପାଇଁ ବିଡିଏ ଭିସି ଧନ୍ୟବାଦ ଜଣାଇଛନ୍ତି। ବିଡିଏ ଭିସି ବଲୱନ୍ତ ସିଂ ଭୁବନେଶ୍ୱରବାସୀ ଏବଂ ଉପସ୍ଥିତ ଗଣମାଧ୍ୟମ କର୍ମଚାରୀଙ୍କୁ ଶୁକ୍ରବାର ଏକ ହୋଟଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଧନ୍ୟବାଦ ଜଣାଇଛନ୍ତି। ଉତ୍ସବ ଆୟୋଜନରେ ବିଡିଏର ଭୂମିକା ସହ ଆୟୋଜନରେ ଦେଖାଦେଇଥିବା ଚ୍ୟାଲେଞ୍ଜକୁ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ସମ୍ମିଳନୀରେ ବିଡିଏ ସଚିବ କବୀନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ମାସକରେ ଖୋଲିବ ଦକ୍ଷିଣପାର୍ଶ୍ବ ସମାନ୍ତରାଳ ରାସ୍ତା
ଏକ ମାସ ମଧ୍ୟରେ ଖୋଲିବ ଦକ୍ଷିଣ ପାର୍ଶ୍ବ ସମାନ୍ତରାଳ ରାସ୍ତା। ଏହାମଧ୍ୟରେ ପଟିଆ ବିଗ୍‌‌ ବଜାରରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଡମଣାରୁ ସାଇନ୍ସ ପାର୍କ ପଛ ପାଖ ରାସ୍ତାର ନିର୍ମାଣ ଶେଷ ପର୍ଯ୍ୟାୟରେ। ଏହାକୁ ଚଳିତମାତ ଶେଷ ସୁଦ୍ଧା ଲୋକାର୍ପଣ କରିଦିଆଯିବ। ୬.୫ କିଲୋମିଟର ଏହି ରାସ୍ତା ଆଚାର୍ଯ୍ୟ ବିହାରଠାରୁ ପଟିଆ ବିଗ୍‌‌ ବଜାର ପର୍ଯ୍ୟନ୍ତ ଏବଂ ପଟିଆ ବିଗ୍‌‌ ବଜାରରୁ ପଟିଆ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲମ୍ବିଛି। ଯାହାର ପ୍ରକଳ୍ପ ମୂଲ୍ୟ ରହିଥିଲା ୨୩୯କୋଟି ଟଙ୍କା। ନିର୍ମାଣାଧୀନ ରାସ୍ତାର ଉଭୟ ପାର୍ଶ୍ବ ଏବଂ ମେଡିଆନ୍‌‌ରେ ପୁରୁଣା ଗଛ ତଥା ଚାରା ଲଗାଇବାକୁ କୁହାଯାଇଛି। ଏଥିସହିତ ରାସ୍ତାର ଉଭୟ ପାର୍ଶ୍ବରେ ଆବଶ୍ୟକ ସ୍ଥଳେ ବୃକ୍ଷରୋପଣକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଜୟଦେବ ବିହାରଠାରୁ ନନ୍ଦନକାନନ ରାସ୍ତାରେ ଗୁରୁତର ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେଉଛି। ଜାଭିୟର ଛକରୁ କିଟ୍‌‌ ସ୍କୋୟାର(ଭାୟା-ସରକାରୀ ପଲିଟେକନିକ୍‌‌-ରେଲ ବିହାର-ଉତ୍କଳ ହସ୍ପିଟାଲ-ଓଇଆରସି ବିଲ୍ଡିଂ-ଟ୍ରାଇଡେଣ୍ଟ-ଇନଫୋସିଟି ଛକ ଏବଂ ଶିଖରଚଣ୍ଡୀ ଛକ) ହୋଇ ଏହି ରାସ୍ତା ନିର୍ମାଣ ହେଉଛି। ଏହି ରାସ୍ତାଟି ପଥରଗଡ଼ିଆ-ଗଣିତ ସଂସ୍ଥାନ ଦେଇ ଚନ୍ଦକା ରାସ୍ତାକୁ ମଧ୍ୟ ଯୋଗାଯୋଗ କରିବ। ୭ଟି ଷ୍ଟ୍ରେଚ୍‌‌ ଜରିଆରେ ୧୩ କି.ମି ରାସ୍ତା ନିର୍ମାଣ କରାଯାଇଛି। ଏହାର ମଧ୍ୟ ଆଗାମୀ ୪ମାସ ମଧ୍ୟରେ ନିର୍ମାଣ ଶେଷ ହେବାର ଯୋଜନା ରହିଛି।

୯୦ ଏକର ଜମିରେ ହ୍ରଦ ପ୍ରୋଜେକ୍ଟ
ଆଗାମୀ ଦିନରେ ସହରରେ କାର୍ଯ୍ୟକାରୀ କରିବାକୁ ଯାଉଛି ଲେକ୍‌‌ ଡେଭ୍‌‌ଲପ୍‌‌ମେଣ୍ଟ ପ୍ରକଳ୍ପ। ଏହି ପ୍ରକଳ୍ପ ଅନୁଯାୟୀ ସହରର ମଧ୍ୟଭାଗରେ ଡ୍ରେନ୍‌‌ ନମ୍ୱର ୧୦ ନିକୋ ପାର୍କ ପଛପଟରେ ୯୦ ଏକର ଜମିରେ ହ୍ରଦ ପୁନଃଉଦ୍ଧାର ହେବା ସହ ସୌନ୍ଦର୍ଯ୍ୟକରଣ କାମ ହେବ। ହ୍ରଦ କୂଳେ କୂଳେ ଏକ ସ୍ୱତନ୍ତ୍ର ଜୋନ୍‌‌ ପ୍ରସ୍ତୁତ କରାଯାଇ ଏଠାରେ ଖାଦ୍ୟ ଷ୍ଟଲ୍‌‌ ଖୋଲାଯିବ। ହ୍ରଦ ବୁଲିବା ସହ ଦର୍ଶକ ମଜାଦାରା ଓଡ଼ିଆ ଖାଦ୍ୟର ଆନନ୍ଦ ଉଠାଇ ପାରିବେ। ଏହା ସହ ଏଠାରେ ସାଇକଲିଂ ଟ୍ରାକ୍‌‌, ୱାକିଂ ଓ ଜଗିଂ ଟ୍ରାକ୍‌‌ ସହ ଓପନ ଜିମ୍‌‌, ବସିବା, ମନୋରଞ୍ଜନ ସହ ସହରବାସୀଙ୍କୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ମିଳିବ। ଏକାମ୍ର ଉତ୍ସବରେ ସହରବାସୀଙ୍କ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରତି ଥିବା ରୁଚିକୁ ଦୃଷ୍ଟିରେ ରଖି ଆଗକୁ ସହରର ଛାତି ଉପରେ ଲୋକାର୍ପିତ ହେବାକୁ ଥିବା ଲେକ୍‌‌ ପ୍ରୋଜେକ୍ଟରେ ଏହି ସୁବିଧା ଦେବାକୁ ବିଡିଏ ଲକ୍ଷ୍ୟ ରଖିଛି।

ସବୁଜିମାରେ ଭରିବ ଖାଲି ସ୍ଥାନ
୨୦୪୮ ମସିହାରେ ସହରର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ। ଏହା ପୂର୍ବରୁ ବିଡିଏ ସହରର ଖାଲି ସ୍ଥାନର ବିକାଶ କାର୍ଯ୍ୟକୁ ଶେଷ କରାଯିବ। ଖାଲି ସ୍ଥାନରେ ଉନ୍ନୟନ କାର୍ଯ୍ୟକୁ ମୁଖ୍ୟତ ୩ ଭାଗରେ ବିଭକ୍ତ କରାଯାଇଛି। କ୍ରୀଡ଼ାର ବିକାଶ, ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ ଓ ହ୍ରଦ ତଥା ଜଳାଶୟଗୁଡ଼ିକର ପୁନଃଉଦ୍ଧାର କରି ନୀଳ ବିକାଶ କରାଯିବ। ସହରକୁ ମନ୍ଦିର ମାଳିନୀ ସହର ସାଙ୍ଗକୁ ସବୁଜିମା ଓ ବାସପଯୋଗୀ ସହର କରିବାକୁ ବିଡିଏ ଲକ୍ଷ୍ୟ ରଖିଛି। ରାଜ୍ୟବାହାରୁ ତଥା କଂଙ୍କ୍ରିଟ୍‌‌ ଜଙ୍ଗଲରୁ ଆସୁଥିବା ଲୋକ ଭୁବନେଶ୍ୱରକୁ ଯେପରି ବ୍ରିଦେବଲ ସିଟି ଭାବେ ସମ୍ବୋଧନ କରିବେ ସେନେଇ ପଦକ୍ଷେପ ନେବାକୁ ବିଡିଏ ରୋଡ ମ୍ୟାପ୍‌‌ ପ୍ରସ୍ତୁତ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଖେଳପଡ଼ିଆ ସହ ଟ୍ରାକ୍‌‌ ନିର୍ମାଣ, ଶ୍ମଶାନ ନିର୍ମାଣ, କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ବିଡିଏ ଲକ୍ଷ୍ୟ ରଖିଛି।

About The Author: The Sakala