ରେଷ୍ଟୁରାଣ୍ଟରେ ଅସଦାଚରଣ ମାମଲା: ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କଲେ ଅଭିନେତ୍ରୀ, ନ୍ୟାୟ ପାଇଁ କଲେ ଗୁହାରି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଜଣେ ଟେଲି ଅଭିନେତ୍ରୀଙ୍କ ସହ ହୋଇଥିବା ଅସଦାଚରଣ ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣିଥରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ତିନି ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସେ ସୋସିଆଲ୍ ମିଡିଆରେ କ୍ଷୋଭ ପ୍ରକାଶ କରିବା ସହ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଘଟଣାକୁ ୩ ଦିନ ବିତିଥିଲେ ବି ପୋଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ। FIR ଦେଇ ACPଙ୍କୁ ଅନେକ ଥର କଲ୍ କରିବା ସତ୍ତ୍ବେ ପଦକ୍ଷେପ ଶୂନ୍ ରହିଥିବା ଅଭିନେତ୍ରୀ ପ୍ରକାଶ କରିଛନ୍ତି ।

ଅଭିଯୁକ୍ତଙ୍କର ରାଜନୀତିକ ସଂପୃକ୍ତି ଥିବା ତାଙ୍କ ପାଖରେ ପ୍ରମାଣ ଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି, ମୋ ଘରକୁ ଆସି ବୟାନ ରେକର୍ଡ ପାଇଁ ପୋଲିସକୁ କହିଛି। ଏବେବି ମୁଁ ଭୟଭୀତ। ବାହାରକୁ ଯିବାକୁ ମୋର ସାହସ ନାହିଁ। ଏହା କ'ଣ ମହିଳାଙ୍କ ପ୍ରତି ସୁରକ୍ଷା ଓ ସମ୍ମାନ କହି ରୋଷ ଝାଡ଼ିଛନ୍ତି ଅଭିନେତ୍ରୀ ।

ପ୍ରକାଶ ଥାଉ କି, କିଛି ଦିନ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳା ସୁରକ୍ଷା ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏବେ ଏହି ଘଟଣା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସର ଏହି ଢିଲା ମନୋଭାବ ସାଧାରଣରେ ମଧ୍ୟ ଅସନ୍ତୋଷ ସୃଷ୍ଟି କରିଛି।

About The Author: Madhusudan Das