ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି ଓ ବିଶ୍ୱାସ କରୁଥିଲେ ବାଲେଶ୍ୱର ବସ୍ତା ସଦାନନ୍ଦପୁରର ପଙ୍କଜକାନ୍ତ ପଣ୍ଡା। ଚାକିରି ଜୀବନ ଭିତରେ ଯେବେ ବି ସୁଯୋଗ ମିଳୁଥିଲା ପତ୍ନୀ ସୁପ୍ରଭାଙ୍କୁ ସାଥିରେ ଧରି ପୁରୀ ପଳାଇ ଆସୁଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ ଭାବବିହ୍ୱଳ ହୋଇପଡୁଥିଲେ। ଠାକୁରଙ୍କ ସେବା କରିବାକୁ ମନ ଚାହୁଁଥିଲା, ହେଲେ ସେମିତି ସୁଯୋଗ ନ ଥିଲା। କିନ୍ତୁ ଦାରୁବିଗ୍ରହଙ୍କ ପ୍ରତି ସର୍ବଦା ସମର୍ପଣ ଭାବ ରଖିଥିଲେ ପଙ୍କଜକାନ୍ତ। ପତ୍ନୀ ସୁପ୍ରଭା ବି ଠାକୁରଙ୍କ ପ୍ରତି ନିଷ୍ଠା ଓ ଭକ୍ତି ଭାବ ରଖିଥିଲେ। ଉଭୟଙ୍କର ଗୋଟିଏ ମାନସିକତା ଥିଲା ସବୁ ତ ଭଗବାନଙ୍କର, କ’ଣ ବା ଏ ମଣିଷର ? କାହିଁକି ଅର୍ଥ, ଲୋଭ, ମୋହ ମାୟାରେ ପଡ଼ିବେ। କୌଣସି ସନ୍ତାନସନ୍ତତି ନ ଥିବା ପଙ୍କଜକାନ୍ତ ଏବଂ ସୁପ୍ରଭାଙ୍କ ଇଚ୍ଛା ଥିଲା ଶ୍ରୀମନ୍ଦିରକୁ କିଛି ଦାନ କରିବେ। ହେଲେ ଏହି ସୁଯୋଗ ଆସିବା ବେଳକୁ କର୍କଟ ରୋଗରେ ସ୍ୱାମୀ ଚାଲିଗଲେ। ତେଣୁ ସ୍ୱାମୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଶନିବାର ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି ସୁପ୍ରଭା। ସାଥୀରେ ପୁତୁରା ଚିନ୍ମୟ କୁମାର ଶତପଥୀଙ୍କୁ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚି ଏହି ଚେକ୍ ପ୍ରଦାନ କରିଛନ୍ତି।
ପୁତୁରା ଚିନ୍ମୟ କୁହନ୍ତି, ପିଉସା ପିଉସୀଙ୍କର କୌଣସି ସନ୍ତାନ ନାହାନ୍ତି। ପିଉସା ସରକାରୀ ଚାକିରି କରିଥିଲେ। କିନ୍ତୁ ଦୁଇଜଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୁବ୍ ଭକ୍ତି ଓ ବିଶ୍ୱାସ କରନ୍ତି। ସୁଯୋଗ ମିଳିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ଏମିତି ହଠାତ୍ ୨ଜଣ ଶ୍ରୀମନ୍ଦିରକୁ କିଞ୍ଚÒତ ଦାନ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାରି ମଧ୍ୟରେ ପିଉସା କର୍କଟ ରୋଗରେ ପୀଡ଼ିତ ହେଲେ। ଏଥିପାଇଁ ସେ କେମୋ ନେଉଥିଲେ। ୨୦୨୦ରେ କୋଭିଡ଼ ପାଇଁ ମନ୍ଦିର ବନ୍ଦ ଥିବାବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଜିଦ୍ ଧରିଥିଲେ। ୨୦୨୧ ଜାନୁୟାରୀ ମାସରେ ଶ୍ରୀମନ୍ଦିର ଖୋଲିବା ଦିନ ହିଁ ଅସୁସ୍ଥତା ସତ୍ତ୍ବେ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ। ୨୦୨୧ ଫେବୃୟାରୀ ୪ରେ ପିଉସାଙ୍କର ଦେହାନ୍ତ ହୋଇଥିଲା। କଟକରେ ତାଙ୍କର ଥିବା ଏକ ଜାଗା ଶ୍ରୀମନ୍ଦିରକୁ ଦେବା ପାଇଁ ପିଉସୀ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ଜମି ଦେଲେ କ’ଣ କାମରେ ଆସିବ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ି ସେହି ଜମିକୁ ବିକି ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଲେ। କଟକରେ ଥିବା ଜମିକୁ ବିକ୍ରି କରି ଗାଁ ସ୍କୁଲ ପାଇଁ ୧୫ ଲକ୍ଷ ଏବଂ ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସୁପ୍ରଭାଙ୍କ ପୁତୁରା ଚିନ୍ମୟ ସୂଚନା ଦେଇଛନ୍ତି। ତେବେ ଶ୍ରୀମନ୍ଦିର ପାଇଁ ଏହି ଛୋଟିଆ ସମର୍ପଣ ଭେଟି ଦେଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ସୁପ୍ରଭା।