ଭୁବନେଶ୍ବର: ଅନୁଗୁଳ ଜିଲ୍ଲାର ୫ବର୍ଷର କୋମଳମତି ଝିଅକୁ ଧର୍ଷଣ ଓ ହତ୍ୟା ସରକାର ନୀରବକୁ ନେଇ କଂଗ୍ରେସ ପକ୍ଷରୁ ଗୃହରେ ମୁଲତବି ପ୍ରସ୍ତାବରେ ଭାଗନେଇ କଂଗ୍ରେସ ବିଧାୟକ ଅଶୋକ ଦାସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଡବଲ ଇଞ୍ଜିନ ସରକାରରେ ୮ ପ୍ରତିଶତ ନାରୀ ନିର୍ଯାତନା ବୃଦ୍ଧି ପାଇଛି। ୮ ମାସରେ ବିଜେପି ସରକାରରେ ୫୪ ଜଣ ମହିଳା ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି। ୧୮୦୧ ମହିଳା ନିର୍ଯାତନାର ଶୀକାର ହୋଇଛନ୍ତି। ୨୦ହଜାର ୬୦ ଜଣ ମହିଳା ନିଖୋଜ ଅଛନ୍ତି। ୯୯ ପ୍ରତିଶତ ମହିଳା ନିର୍ଯାତନା ମାମଲାର ତଦନ୍ତ ଚାଲିଛି। ବିଜେପି ସରକାର ସମୟରେ ମହିଳାଙ୍କ ଆଖିରେ ଲୁହ। ଘରେ ରାସ୍ତାଘାଟ ସବୁଠି ମହିଳା ଅସୁରକ୍ଷିତ ଓ ଭୟଭୀତ ଅବସ୍ଥାରେ ଅଛନ୍ତି। ମହିଳା ସୁରକ୍ଷା ପାଇଁ ଗୃହ କମିଟି ଗଠନ କରାଯାଉ। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ନାବାଳିକା ଗର୍ଭବତୀ, ଚିତ୍ରକୋଣ୍ଡା ନାବାଳିକା ଛୁଆଁ ଜନ୍ମ କଲେ। ଏଭଳି ଘଟଣା ବଢିବାରେ ଲାଗିିଛି ବୋଲି ସେ କହିଥିଲେ।
ଏଥିସହ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ରଖିଥିବା ତଥ୍ୟରେ ତାଳମେଳ ରହୁନାହିଁ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଥିଲେ। ଆମେ ନାରୀଙ୍କୁ ସୁରକ୍ଷା ଦେଉଛୁ ନା କାଗଜ କଲମରେ ରଖି ଉପହାସ କରୁଛୁ। ମାଆ ମାନଙ୍କୁ ଯଥେଷ୍ଟ ସମ୍ମାନ ଆମ ପରମ୍ପରା। କିନ୍ତୁ ଓଡ଼ିଆ ଅସ୍ମିତା କହି ମାଆ ମାନଙ୍କୁ ଅସୁରକ୍ଷିତରେ ପକାଇ ଦେଇଛନ୍ତି ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି।
ସେହିପରି ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନାରୀମାନେ ଆଜି ଅସୁରକ୍ଷିତ ଓ ଭୟଭୀତ। ୮ ମାସରେ ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଛି। ରାଜ୍ୟରେ କେହି ବି ସୁରକ୍ଷିତ ନୁହେଁ। ସରକାର ସବୁ କଥାକୁ ଲୁଚାଇବାକୁ ଚାହୁଛନ୍ତି। ବିଜେପି କର୍ମୀମାନେ ଥାନାକୁ ଲିଜ ନେଇଛନ୍ତି। ମହିଳା, ନାବାଳିକା, ଆଦିବାସୀ, ଦଳିତ ସବୁ ଅସୁରକ୍ଷିତ। ଆଦିବାସୀ ହଷ୍ଟେଲକୁ ବାପାମାଆମାନେ ଝିଅକୁ ଛାଡିବାକୁ ଡରୁଛନ୍ତି ବୋଲି ପ୍ରମିଳା ମଲ୍ଲିକ ଅଭିଯୋଗ କରିଛନ୍ତି।