ତୀର୍ଥ ବୁଲାଇ ନେବାକୁ କହି ୫୦ କୋଟି ଠକେଇ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୂନ ଲଗାଇଛି ଆଦାମ୍‌‌ ଟୁରିଷ୍ଟ ଟ୍ରାଭେଲ

ଭୁବନେଶ୍ୱର : ତୀର୍ଥ ବୁଲାଇନେବା ଆଳରେ ମୁମ୍ବଇର ଏକ ଟ୍ରାଭେଲ୍‌ ସଂସ୍ଥା ଓଡ଼ିଶାରୁ ୫୦ କୋଟି ଟଙ୍କା ଠକି ନେଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଏହି ଠକେଇର ଶିକାର ହୋଇଛନ୍ତି। ମୀର ଖୁରସିଦ ଅଲ୍ଲୀଙ୍କ ସମେତ ୩୦ଜଣ ଏନେଇ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଇଓଡବ୍ଲ୍ୟୁ ମୁମ୍ବଇର ଅଲ୍ ଆଦମ୍‌ ଟୁରିଷ୍ଟ ଟ୍ରାଭେଲ୍ସ ସଂସ୍ଥାର […]

ଭୁବନେଶ୍ୱର : ତୀର୍ଥ ବୁଲାଇନେବା ଆଳରେ ମୁମ୍ବଇର ଏକ ଟ୍ରାଭେଲ୍‌ ସଂସ୍ଥା ଓଡ଼ିଶାରୁ ୫୦ କୋଟି ଟଙ୍କା ଠକି ନେଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଏହି ଠକେଇର ଶିକାର ହୋଇଛନ୍ତି। ମୀର ଖୁରସିଦ ଅଲ୍ଲୀଙ୍କ ସମେତ ୩୦ଜଣ ଏନେଇ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଇଓଡବ୍ଲ୍ୟୁ ମୁମ୍ବଇର ଅଲ୍ ଆଦମ୍‌ ଟୁରିଷ୍ଟ ଟ୍ରାଭେଲ୍ସ ସଂସ୍ଥାର ମାଲିକ ଫିରଦୋସ୍‌ ବି. ଅବଦୁଲ ମୋବିନ, ନାବିଲ ଅବ୍‌‌ଦୁଲ ମୁବିନ୍‌‌, ସାଇନା ଅଞ୍ଜୁମ୍‌‌ ସାଇଖା ଏବଂ ମହମ୍ମଦ ବିସ୍‌‌ମିଲ୍ଲା ସାଇକା ନାମରେ ମାମଲା ରୁଜୁ କରିଛି। ଏହି ଟ୍ରାଭେଲ୍ ସଂସ୍ଥା ପଶ୍ଚିମ ମୁମ୍ବାଇ ହୋଇଥିବାରୁ ଖୁବ୍‌‌ ଶୀଘ୍ର ସେଠାରୁ ଇଓଡବ୍ଲ୍ୟୁର ଏକ ଟିମ୍‌‌ ଯିବ ବୋଲି ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ୨୦୧୯ ମସିହାରେ ଧାମନଗର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବ୍ୟକ୍ତି ଆଦମ୍‌‌ ଟୁରିଷ୍ଟ ଟ୍ରାଭେଲ୍ସ ଦ୍ୱାରା ୨୭ ହଜାର ୭୮୭ ଟଙ୍କାରେ ଉମାରା ତୀର୍ଥ ପାଇଁ ସାଉଦି ଆରବ ଯାଇଥିଲେ। ସେମାନେ ସେଠାରୁ ଫେରିବା ପରେ ଏ ସଂପର୍କରେ ସଂପର୍କୀୟମାନଙ୍କୁ ଜଣାଇଥିଲେ। ଏତେ କମ୍‌ ଖର୍ଚ୍ଚରେ ତୀର୍ଥ ଯାଇ ହେଉଥିବାରୁ ସେମାନେ ବି ତୀର୍ଥ ଯିବାକୁ ଅଣ୍ଟା ଭିଡ଼ିଥିଲେ। ସଂସ୍ଥାର ମାଲିକ ଫିରଦୋସ୍‌ଙ୍କ ପୁଅ ନାବିଲ ଅବ୍‌‌ଦୁଲର ଆକାଉଣ୍ଟକୁ ସେମାନେ ଜଣ ପିଛା ୨୧ ହଜାର ୭୮୬ ଟଙ୍କା ହିସାବରେ ମୋଟ ୩ ଲକ୍ଷ ୧୯ ହଜାର ୭୧୬ ଟଙ୍କା ପଠାଇଥିଲେ। କିନ୍ତୁ ୨୦୨୦ରେ କୋଭିଡ୍‌ର ଲହର ଆସିବାରୁ ସଂସ୍ଥା ପକ୍ଷରୁ ସେତେବେଳେ ଗସ୍ତ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ଭିତରେ ସଂସ୍ଥା ପକ୍ଷରୁ ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଇଚ୍ଛୁକ ଥିବା ଅନ୍ୟ କିଛି ଯାତ୍ରୀଙ୍କୁ ଯୋଗାଡ଼ କରିବାକୁ କୁହାଯାଇଥିଲା। ସେମାନଙ୍କ କଥାରେ ଭଳି ପର୍ଯ୍ୟାୟକ୍ରମେ ୩୦ ଜିଲ୍ଲାର ପାଖାପାଖି ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ଏଥିରେ ଯୋଡ଼ି ହୋଇ ତୀର୍ଥ ଯିବା ପାଇଁ ଟଙ୍କା ଦେଇଥିଲେ।

ଏଭଳି ଭାବେ ସଂସ୍ଥା ପାଖାପାଖି ୫୦ କୋଟି ଟଙ୍କା ସଂଗ୍ରହ କରିନେଇଥିଲା। କିନ୍ତୁ ଏତେ ଟଙ୍କା ପାଇବା ପରେ ମଧ୍ୟ ୨ବର୍ଷ ଧରି କୋଭିଡ୍‌ ଆଳରେ ସମୟ ଗଡ଼ାଇବା ପରେ ଆଉ ଧରାଛୁଆଁ ଦେଇନଥିଲା। ତେଣୁ କିଛି ଲୋକ ସଂସ୍ଥା ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ମୁମ୍ବଇ ଯାଇଥିଲେ ହେଁ ସେଠା‌ରେ ସଂସ୍ଥାର ସେଭଳି କୌଣସି ଅଫିସ୍‌ ନଥିବା ଜାଣିବାକୁ ପାଇଥିଲେ। ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଏନେଇ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଛନ୍ତି।

About The Author: The Sakala