ଦଶପଲ୍ଲା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡକୁ ଓଲଟିଲା ପିକନିକ୍ ବସ୍ । ଦୁର୍ଘଟଣାରେ ୫ମୃତ, ୩୦ରୁ ଅଧିକ ଆହତ । ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର ବୋଲି ସୂଚନା । ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ବ୍ରହ୍ମପୁର ଅଞ୍ଚଳର ପାଖାପାଖି ୫୦ଜଣ ତ୍ରିର୍ଥଯାତ୍ରା ଅନୀଲ ନାମକ ଏକ ଘରୋଇ ବସରେ ଓଡିଶାର ବିଭିନ୍ନ ତ୍ରିର୍ଥ ସ୍ଥାନ ବୁଲିବା ପାଇ ବାହାରିଥିଲେ। ପ୍ରଥମ ଦିନରେ ବ୍ରହ୍ମପୁରରୁ ବାହାରି ସମ୍ବଲପୁର ଏବଂ ବଲାଙ୍ଗୀରର ହରିଶଙ୍କର ଯାଉଥିଲେ। ରାତି ୮ଟା ସମୟରେ ନିଜ ଘର ବ୍ରହ୍ମପୁରରୁ ବାହାରି ଥିବା ସମୟରେ ରାତି 12:30 ସମୟରେ ଦଶପଲ୍ଲା ନିକଟ ଏକ ଢ଼ାବାରେ ଗାଡି ରଖି ଡ୍ରାଇଭର ଓ ପିକନିକ୍ ଯାଉଥିବା ଯାତ୍ରୀମାନେ ଖାଇଥିଲେ। ସେଠାରୁ ଖାଇସାରି କିଛି ବାଟ ଅତିକ୍ରମ କରିବା ପରେ ଖୋର୍ଦ୍ଧା-ବଲାଙ୍ଗିର 57ନମ୍ୱର ଜାତୀୟ ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ରାସ୍ତା କଡକୁ ଭାରସ୍ୟାମ ହରାଇ ଓଲଟି ପଡିଥିଲା ବସ୍ ।
ଖବର ପାଇ ଦଶପଲ୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପଂହଁଚି ବସରେ ଥିବା ଆହାତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ। ଆହାତ ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗ ଗାଡ଼ି ଓ 108 ଆମ୍ବୁଲାନ୍ସରେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ଘଟଣା ସ୍ଥଳରେ ୫ଜଣକଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଚିକିତ୍ସା ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ୭ ଜଣ ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଡ୍ରାଇଭରର ବେପରୁଆ ଗାଡିଚାଳନା କିମ୍ବା ମଦ୍ୟପାନ କରି ବସଟି ଚଳାଉଥିବା ଯୋଗୁଁ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଦଶପଲ୍ଲା ଥାନା ପୋଲିସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛି।