ନିଲାମ ହେବ ରାଜ୍ୟର ୪୯ ଖଣି: ଜାନୁଆରୀ ୩ ତାରିଖରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟର ୪୯ଟି ଖଣି ନିଲାମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ଖଣି ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ୪୯ଟି ଖଣିକୁ ଚିହ୍ନଟ କରାଯାଇଥିବା ବେଳେ ଆସନ୍ତା ୩ ତାରିଖରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ପ୍ରସ୍ତୁତି ପାଇଁ ପ୍ରସ୍ତାବିତ ଖଣି ବିଷୟରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ସୂଚନା ଅନୁସାରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଖଣି ଗୁଡ଼ିକର ବାର୍ଷିକ ନିଲାମ କ୍ୟାଲେଣ୍ଡରର ପ୍ରସ୍ତୁତି ତଥା ପ୍ରକାଶନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ନିଜ ନିଜର କ୍ୟାଲେଣ୍ଡର ପ୍ରସ୍ତୁତ ସହ ଏହାକୁ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ରାଜ୍ୟର ପ୍ରମୁଖ ଖଣିଜ ବ୍ଲକ୍‌  ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ଏକ ତାଲିକା ପ୍ରସ୍ତାବ ଦେଇଛନ୍ତି। ଏଥିରେ ୪୯ଟି ଖଣିର ତାଲିକା ଥିବାବେଳେ ଏହାକୁ ମିଳିତ ଭାବେ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ, ଓଏମସି, ଜିଏସଆଇ ଓ ଏମଇସିଏଲ ଅନ୍ୱେଷଣ ସହ ପ୍ରସ୍ତୁତ କରିଛନ୍ତି ।

ପ୍ରସ୍ତାବିତ ନିଲାମ ସୂଚୀରେ କେନ୍ଦୁଝରର ୧୬ଟି ଖଣି ଥିବାବେଳେ ସୁନ୍ଦରଗଡର ୧୨ଟି, ରାୟଗଡାର ୩ଟି, ମୟୂରଭଞ୍ଜର ୨ଟି ତଥା ସମ୍ବଲପୁର, କଳାହାଣ୍ଡି ଓ ବରଗଡ଼ର ୧ଟି ଲେଖାଏଁ ବ୍ଲକ ରହିଛି । ଏହି ୩୫ଟି ଖଣି ମଧ୍ୟରେ ବକ୍ସାଇଟ, ଲୁହାପଥର୍‌, ମାଙ୍ଗାନିଜ, ଡୋଲୋମାଇଟ, ଲାଇମଷ୍ଟୋନ, ଲାଟେରାଇଟ, ତମ୍ବା ଓ ସୁନା ଆଦି ମୂଲ୍ୟବାନ୍‌ ଖଣି ରହିଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୪ଟି କ୍ରିଟିକାଲ ଖଣିଜ ବ୍ଲକ(କମ୍ପୋଜିଟ ଲାଇସେନ୍ସ) ମଧ୍ୟ ଅନ୍ତର୍ଭୁକ୍ତ ଅଛି। ତନ୍ମଧ୍ୟରେ କଳାହାଣ୍ଡିର ୨ଟି ଓ ରାୟଗଡାରେ ୧ଟି ଗ୍ରାଫାଇଟ ଖଣି ଥିବାବେଳେ ମୟୂରଭଞ୍ଜର ଏକ ସୁନା ଖଣି ମଧ୍ୟ ଅନ୍ତର୍ଭୁକ୍ତ ଅଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ଟି କ୍ରିଟିକାଲ ଖଣିଜ ବ୍ଲକ(ଏକ୍ସପ୍ଲୋରେସନ ଲାଇସେନ୍ସ) ମଧ୍ୟ ସାମିଲ କରିଛି ଖଣି ବିଭାଗ। ଅପରପକ୍ଷେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୬ଟି କ୍ରିଟିକାଲ ଖଣିଜ ବ୍ଲକ(ମାଇନିଂ ଲିଜ) ସାମିଲ ଥିବାବେଳେ ଏଥିରେ ବଲାଙ୍ଗୀର ୩ଟି, ଦେବଗଡ, ନୟାଗଡ ଓ ରାୟଗଡାର ଗୋଟିଏ ଲେଖାଏଁବ୍ଲକ ସାମିଲ ରହିଛି। ଏସବୁ ବ୍ଲକ ଗୁଡ଼ିକ ମୁଖ୍ୟତଃ ମାଙ୍ଗାନିଜ, ଗ୍ରାଫାଇଟ, ବେସ ମେଟାଲ(କପର, ନିକେଲ, ଗୋଲ୍ଡ, ସିଲଭର) ଓ ଗ୍ରାଫାଇଟ ପରି ଖଣି ସାମିଲ ରହିଛି। ସେହିପରି ଭାବେ ୨୦୨୬-୨୭ ପାଇଁ ଅତିରିକ୍ତ ୨ଟି ଖଣିଜ ବ୍ଲକ(କମ୍ପୋଜିଟ ମେଟାଲ)କୁ ମଧ୍ୟ ତାଲିକାରେ ସାମିଲ କରାଯାଇଥିବା ଜଣାପଡ଼ିଛି।

About The Author: Madhusudan Das