ଲୁଣ ଭାବି ଥିମେଟ୍‌ ଖାଇଦେଲେ ୩ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ୱର: ଖେଳୁଥିବା ବେଳେ ଥିମେଟ୍‌ ଖାଇ ୩ ଜଣ ଶିଶୁ ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଘଟିଛି ଏପରି ଅଘଟଣ । ଖେଳୁଥିବା ବେଳେ ୩ ଜଣ ଶିଶୁ ଅଜାଣତରେ ଥିମେଟ ଖାଇ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଉକ୍ତ ଗ୍ରାମର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ(୮), ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫), ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ସାଙ୍ଗ ହୋଇ ବୋହୁବୋହୂକା ଖେଳୁଥିଲେ ଏବଂ ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ। ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ । ଘରର ସମସ୍ତ ପରିବାର ଲୋକେ ଉକ୍ତ ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ। ଘରକୁ ଫେରିବା ପରେ  ଶିଶୁ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

About The Author: Madhusudan Das