ମହାବାତ୍ୟାକୁ ୨୬ ବର୍ଷ; ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ

୧୯୯୯ ମସିହା ଅକ୍ଟୋବର ୨୯ ।  ଓଡ଼ିଶାବାସୀ କେବେବି ଭୁଲି ପାରିବେନି ଏହି ଦିନଟିକୁ।  ପୂରା ଓଡ଼ିଶାକୁ ଗ୍ରାସ କରିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ୧୯୯୯ ମହାବାତ୍ୟା ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ବିଶେଷକରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ରଚିଥିଲା ତାଣ୍ଡବଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୩୫୦ କିମି ବେଗର ପବନ, ସମୁଦ୍ର ଜୁଆର ଓ ବର୍ଷାର ଏକ ମିଳିତ ସଂହାରଲୀଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ।  ଘୁ ଘୁ ଗର୍ଜନ କରି ମାଡ଼ି ଆସୁଥିଲା ପବନ ଓ ଜୁଆର। ମୂଷଳଧାରାରେ ବର୍ଷୁଥିଲା ବର୍ଷା । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସବୁଆଡ଼େ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର।  ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । 

ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା । ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ । ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳି ନ ଥିଲା ।  ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ, ଛାରଖାର ହୋଇ ଯାଇଥିଲା ଉପକୂଳ । ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଦିନଗୁଡ଼ିକୁ ଭୁଲିପାରି ନାହାନ୍ତି । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡ଼ିଯାଏ ୧୯୯୯ ମହାବାତ୍ୟା କଥା ।  ୧୯୯୯ ଅକ୍ଟୋବର ୨୫ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ଏହା ଅତ୍ୟନ୍ତ ଉଗ୍ରରୂପ ଧାରଣ କରି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସିଥିଲା। ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନେମୋମିଟର ବି ଫେଲ୍ ମାରିଥିଲା । ମାପି ପାରିନଥିଲା ମହାବାତ୍ୟାରେ ବୋହୁଥିବା ପବନର ବେଗକୁ । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା। ଜଗତସିଂହପୁର ସମେତ ଅଧା ଓଡ଼ିଶା ଛାରଖାର ହୋଇଯାଇଥିଲା ମହାବାତ୍ୟାରେ। ଓଡ଼ିଶା ପ୍ରତିବର୍ଷ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସବୁଠୁ ପ୍ରଳୟଙ୍କରୀ । ମହାବାତ୍ୟାକୁ ଏହାରି ଭିତରେ ୨୬ ବର୍ଷ ବିତିଯାଇଛି । କିନ୍ତୁ ଏମିତି କେଉଁ ବର୍ଷର ଅକ୍ଟୋବର ମାସ ନାହିଁ, ଲୋକେ ବାତ୍ୟାକୁ ନେଇ ଆତଙ୍କିତ ନ ଥିବେ।  ୨୬ ବର୍ଷ ପରେ ବି ମହାବାତ୍ୟା ଛାଡ଼ିଯାଇଥିବା ପଦଚିହ୍ନକୁ ଲୋକେ ଭୁଲି ପାରୁନାହାନ୍ତି।

About The Author: Madhusudan Das