ଭୁବନେଶ୍ୱର: ଯୁକ୍ତ ଦୁଇ ଫେଜ୍-୧ ନାମଲେଖାର ସ୍ପଟ୍ ମେଧା ତାଲିକା ପ୍ରକାଶିତ । ସ୍ପଟ୍ ମେଧା ତାଲିକାରେ ମୋଟ ୨୫,୩୩୨ ଛାତ୍ରଛାତ୍ରୀ ସ୍ଥାନୀତ । ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ପାଇ ନ ଥିବା ୩,୭୮୬ ପିଲା ମଧ୍ୟ ସ୍ଥାନୀତ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଯୁକ୍ତ ଦୁଇ ଇ-ନାମଲେଖା ପ୍ରକ୍ରିୟା ଅଧୀନରେ ପ୍ରଥମ ପର୍ଯ୍ୟାୟ ସ୍ପଟ୍ ନାମଲେଖା ପାଇଁ ସମୁଦାୟ ୨୫,୩୩୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩,୭୮୬ ଜଣ ନୂଆ ପ୍ରାର୍ଥୀ ଅଟନ୍ତି, ଯେଉଁମାନେ ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇପାରିନଥିଲେ।
ବିଭିନ୍ନ ଷ୍ଟ୍ରିମ୍ ବା ବିଭାଗ ଅନୁଯାୟୀ ଦେଖିଲେ କଳା ବିଭାଗରେ ସର୍ବାଧିକ ୧୪,୧୮୦ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ଏହା ପରେ ବିଜ୍ଞାନ ବିଭାଗରେ ୭,୨୨୬ ଜଣ, ବାଣିଜ୍ୟରେ ୨,୬୦୧ ଜଣ, ଧନ୍ଦାମୂଳକ (ଭୋକେସ୍ନାଲ୍) ବିଭାଗରେ ୧,୦୬୮ ଜଣ ଏବଂ ସଂସ୍କୃତରେ ୨୫୭ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନ ମିଳିଛି। ସ୍ପଟ୍ ରାଉଣ୍ଡ ପାଇଁ ମୋଟ ୪୮,୫୩୬ ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫,୩୩୨ ଜଣ ମନୋନୀତ ହୋଇଛନ୍ତି ଓ ଅବଶିଷ୍ଟ ୨୩,୨୦୪ ଜଣ ବାଦ୍ ପଡ଼ିଛନ୍ତି।