ପ୍ରିମାଚ୍ୟୁର ବର୍ଥ: ଜାଣନ୍ତୁ ସମୟ ପୂର୍ବରୁ ଶିଶୁ ଜନ୍ମ ହେବାର ମୁଖ୍ୟ କାରଣ ଓ ପ୍ରତିକାର

ଆଧୁନିକ ଜୀବନଶୈଳୀ ଓ ସ୍ୱାସ୍ଥ୍ୟଗତ ଜଟିଳତା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁ ଜନ୍ମ ହେବା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଡାକ୍ତରଙ୍କ ଅନୁଯାୟୀ, ଗର୍ଭାବସ୍ଥାର ୩୭ ସପ୍ତାହ ପୂର୍ବରୁ ଶିଶୁ ଜନ୍ମ ହେବାକୁ ପ୍ରିମାଚ୍ୟୁର ବର୍ଥ କୁହାଯାଏ, ଯାହା ଶିଶୁର ସ୍ୱାସ୍ଥ୍ୟ ଓ ବିକାଶ ଉପରେ ଗୁରୁତର ପ୍ରଭାବ ପକାଇଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରିମାଚ୍ୟୁର ବର୍ଥର ଅନେକ କାରଣ ରହିଥାଏ। ଏଥିମଧ୍ୟରେ ଗର୍ଭବତୀ ମହିଳାଙ୍କଠାରେ ଉଚ୍ଚ ରକ୍ତଚାପ (Hypertension), ମଧୁମେହ (Diabetes) ଏବଂ ଶରୀରରେ ପୋଷକ ତତ୍ତ୍ୱର ଅଭାବ ମୁଖ୍ୟ। ଏହା ବ୍ୟତୀତ ମାନସିକ ଚାପ ଓ ପୂର୍ବରୁ କୌଣସି ଜଟିଳ ରୋଗ ଥିଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ। ସଂକ୍ରମଣ ମଧ୍ୟ ଏକ ବଡ଼ କାରଣ ହୋଇପାରେ।

ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ଏବଂ ସେମାନଙ୍କର ଫୁସଫୁସ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ। ଫଳରେ ସେମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଇସିୟୁ (NICU) ରେ ରଖିବାକୁ ପଡିପାରେ। ଏହା ଶିଶୁର ଭବିଷ୍ୟତ ବିକାଶରେ ବାଧା ସୃଷ୍ଟି କରିପାରେ, ତେଣୁ ଗର୍ଭାବସ୍ଥା ସମୟରେ ମା'ର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଏଥିରୁ ରକ୍ଷା ପାଇବା ପାଇଁ ଗର୍ଭବତୀ ମହିଳାମାନେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସୁଷମ ଖାଦ୍ୟ ଖାଇବା ସହ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଏବଂ ମାନସିକ ଚିନ୍ତାରୁ ଦୂରେଇ ରହିବା ଏକ ସୁସ୍ଥ ଶିଶୁ ଜନ୍ମ କରିବାରେ ସାହାଯ୍ୟ କରେ। କୌଣସି ପ୍ରକାରର ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ଜରୁରୀ ଅଟେ।

About The Author: Suryakanta