ଦ୍ରୁତଗତିରେ ବଢ଼ିଚାଲିଛି ଆଖିଧରା ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ହୋମିଓପ୍ୟାଥି ଚିକିତ୍ସା ଓ ପ୍ରତିଷେଧକ…

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି ଔଷଧ ମଧ୍ୟ ସହାୟକ ହୋଇଥାଏ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ହୋମିଓପ୍ୟାଥି ଗବେଷଣାଗାର ଓ ଅନୁସନ୍ଧାନ ପରିଷଦ (ସି.ସି.ଆର୍‌.ଏଚ୍‌), ନୂଆଦିଲ୍ଲୀଙ୍କ ଦ୍ବାରା ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡ଼ାଠାରେ […]

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି ଔଷଧ ମଧ୍ୟ ସହାୟକ ହୋଇଥାଏ।

ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ହୋମିଓପ୍ୟାଥି ଗବେଷଣାଗାର ଓ ଅନୁସନ୍ଧାନ ପରିଷଦ (ସି.ସି.ଆର୍‌.ଏଚ୍‌), ନୂଆଦିଲ୍ଲୀଙ୍କ ଦ୍ବାରା ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡ଼ାଠାରେ ୧୯୮୫ ମସିହାରେ, ଉତ୍ତର ପ୍ରଦେଶର ଗାଜିଆବାଦ୍‌ରେ ୧୯୮୬-୮୭ ମସିହା ଏବଂ ନୂଆଦିଲ୍ଲୀରେ ୧୯୮୮ ମସିହାରେ ଆଖିଧରା ରୋଗ ପାଇଁ ଅନେକ ଲୋକାଭିମୁଖୀ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ବେଲାଡୋନା-୨୦୦ ଏବଂ ସ୍ଥଳବିଶେଷରେ ଚିକିତ୍ସା ଓ ପ୍ରତିରୋଧକ କ୍ଷେତ୍ରରେ ଇୟୁଫ୍ରାସିୟା ଆଇଡ୍ରପ୍‌ ବେଶ୍‌ ଉପଯୋଗୀ।

ଲକ୍ଷଣ
ଆଖିଧରାର ପ୍ରାଥମିକ ଲକ୍ଷଣ ହେଉଛି, ପ୍ରଥମେ ଆଖି କୁଣ୍ଡେଇ ହୋଇଥାଏ। ଏହାପରେ ଆଖିର ଧଳା ଅଂଶ ଲାଲ୍‌ ଦେଖାଯାଏ। ଏହା ପରେ ଦ୍ବିତୀୟ ଲକ୍ଷଣ ଭାବେ ଆଖିରୁ ପାଣି ବୋହିଥାଏ ଏବଂ ଲେଞ୍ଜରା ବାହାରିଥାଏ। ଯନ୍ତ୍ରଣା ଏବଂ ଦରଜ ମଧ୍ୟ ଅନୁଭୂତ ହୁଏ। ଏହି ସଂକ୍ରମଣ ଅଧିକ ହେଲେ ଆଖି ଫୁଲିଯାଏ ଏବଂ ଆଖି ଖୋଲିହୁଏ ନାହିଁ।

ପ୍ରତିକାର
ଆଖିଧରା ରୋଗକୁ ନ ବ୍ୟାପିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସଚେତନ ବାର୍ତ୍ତାକୁ ସମ୍ପୂର୍ଣ୍ଣ ରୂପେ ମାନିବା ସହ କେବଳ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଲକ୍ଷଣ ଅନୁଯାୟୀ ହୋମିଓପ୍ୟାଥି ଔଷଧ ସେବନ କରିବା ଉଚିତ। ଔଷଧ ଦୋକାନୀଙ୍କ ସହ ପରାମର୍ଶ କରି ଔଷଧ ଗ୍ରହଣ କରିବା ସ୍ବାସ୍ଥ୍ୟ ପ୍ରତି ବିପଦ ହୋଇଥାଏ। ପରିଷ୍କାର ଓ ପରିଚ୍ଛନ୍ନତା ସହିତ ଔଷଧ ସେବନ ଦ୍ବାରା ଏହି ସଂକ୍ରମଣ ଦୂର ହୋଇପାରିବ।

କେତେକ ସାବଧାନତା
ଆଖିରୋଗ ସଂକ୍ରାମକ ହୋଇଥିବାରୁ ଖୁବ୍‌ଶୀଘ୍ର ଅନ୍ୟମାନଙ୍କୁ ବ୍ୟାପିଥାଏ। ତେଣୁ କେତେକ ସାବଧାନତା ଅବଲମ୍ବନ କରିବା ଉଚିତ। ଆଖି ଧରିଥିବା ଲୋକଙ୍କ ବ୍ୟବହୃତ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ବାହାରୁ ଆସିଲେ ହାଲ୍‌କା ଉଷୁମ ପାଣିରେ ଭଲ ଭାବେ ହାତଗୋଡ଼ ଧୋଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଷ୍ଟେରାଲାଇଜ୍‌ କଟନ୍‌ ବା ତୁଳା ବୁଡ଼ାଇ ଆଖିକୁ ୨ରୁ ୩ ଥର ପୋଛନ୍ତୁ। ଚଷମାକୁ ଭଲ ଭାବେ ସଫା କରନ୍ତୁ। ବାରମ୍ବାର ଆଖିରେ ହାତ ଲଗାନ୍ତୁ ନାହିଁ। ଯଦି ଆଖି ଧରିଛି, ସୁଇମିଙ୍ଗ୍‌ ପୁଲ୍‌ ବ୍ୟବହାର କରନ୍ତୁ ନାହିଁ। କାରଣ ଏହାଦ୍ବାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ରୁମାଲ୍‌କୁ ଡିଟରଜେଣ୍ଟରେ ସଫା କରିବା ପରେ ଡେଟଲ୍‌ରେ ବୁଡ଼ାଇ ଖରା ପଡ଼ୁଥିବା ସ୍ଥାନରେ ଶୁଖାନ୍ତୁ। ଆଇ ଡ୍ରପ୍‌କୁ ମଧ୍ୟ ସଫାସୁତରା ସ୍ଥାନରେ ରଖନ୍ତୁ। ଗୋଟିଏ ଆଇଡ୍ରପ୍‌କୁ କେବଳ ଜଣଙ୍କ ପାଇଁ ବ୍ୟବହାର କରନ୍ତୁ।

ବରିଷ୍ଠ ହୋମିଓପ୍ୟାଥି ଡାକ୍ତର ସମରେନ୍ଦ୍ର ମିଶ୍ର
ଦକ୍ଷିଣପୂର୍ବ ରେଲୱେ ହସ୍ପିଟାଲ୍‌, ବନ୍ଧମୁଣ୍ଡା

About The Author: The Sakala