ଭୁବନେଶ୍ୱରରେ ମଣିପାଲ୍ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି ଏବଂ ଅତ୍ୟାଧୁନିକ PET/CT ସେବା ଉପଲବ୍ଧ

ଭୁବନେଶ୍ୱର: ଓଡ଼ିଶାରେ କ୍ୟାନସର ରୋଗର ଉନ୍ନତ ଚିହ୍ନଟ, ରୋଗର ମୂଲ୍ୟାଙ୍କନ ଏବଂ ଚିକିତ୍ସାର ଅଗ୍ରଗତି ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ “ମଣିପାଲ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି” ସହ ଅତ୍ୟାଧୁନିକ PET/CT ସ୍କାନିଂ ସୁବିଧାର ଉପଲବ୍ଧ କରାଯାଇଛି। ଏହି ସୁବିଧା ମାଧ୍ୟମରେ ରୋଗୀଙ୍କ ଶରୀରର ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗର ଗଠନ ସହ ସେଗୁଡ଼ିକର କାର୍ଯ୍ୟକ୍ଷମତା ସମ୍ପର୍କରେ ସଠିକ୍ ତଥ୍ୟ ମିଳିବା ସହ ଡାକ୍ତର ମାନଙ୍କୁ କ୍ୟାନସର ଚିକିତ୍ସାର ବିଭିନ୍ନ ପର୍ଯ୍ୟାୟରେ ଉଚିତ ଚିକିତ୍ସା ନିଷ୍ପତ୍ତି ନେବାରେ ସହାୟତା ମିଳିବ।

ଏହା ସହିତ ମଣିପାଲ ହସ୍ପିଟାଲ ପକ୍ଷରୁ ନୂତନ ଆଉଟ୍ ପେସେଣ୍ଟ ବିଭାଗ (OPD) ସେବା ମଧ୍ୟ ଆରମ୍ଭ କରାଯାଇଛି। ଏହା ଫଳରେ ରୋଗୀମାନେ ଗୋଟିଏ ସ୍ଥାନରେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ବିଭିନ୍ନ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ସୁବିଧା ସହଜରେ ପାଇପାରିବେ।

ଏହି ଅବସରରେ ମଣିପାଲ ହସ୍ପିଟାଲର ଚିଫ୍ ପିପୁଲ୍ ଅଫିସର ପାର୍ଥ ଦାସ ଏବଂ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ସାଉଥ୍ ଇଷ୍ଟ କ୍ଲଷ୍ଟର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ସମେତ ବରିଷ୍ଠ ପରିଚାଳନା କର୍ମକର୍ତ୍ତା, ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀମାନେ ଉପସ୍ଥିତ ଥିଲେ।

PET/CT ସ୍କାନିଂରେ ଦୁଇ ପ୍ରକାରର ଇମେଜିଂ ପ୍ରଯୁକ୍ତିକୁ ଏକା ସାଙ୍ଗରେ ବ୍ୟବହାର କରାଯାଏ। PET ସ୍କାନ୍ କ୍ୟାନସର ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗ କିପରି କାମ କରୁଛି ତାହା ଦର୍ଶାଉଥିବା ବେଳେ CT ସ୍କାନ୍ ଶରୀରର ଆଭ୍ୟନ୍ତରୀଣ ଗଠନର ସ୍ପଷ୍ଟ ଚିତ୍ର ପ୍ରଦାନ କରିଥାଏ। ଏହି ଦୁଇଟି ପ୍ରଯୁକ୍ତିର ସମନ୍ୱୟ ଦ୍ୱାରା ରୋଗ କେଉଁଠି ରହିଛି ଏବଂ ତାହା ଶରୀରକୁ କିପରି ପ୍ରଭାବିତ କରୁଛି ସେ ସମ୍ପର୍କରେ ଡାକ୍ତରମାନେ ଅଧିକ ସଠିକ୍ ସୂଚନା ପାଇପାରିବେ।
ଏହି ଅତ୍ୟାଧୁନିକ PET/CT ସୁବିଧା ମାଧ୍ୟମରେ କ୍ୟାନସର ରୋଗର ଅସ୍ୱାଭାବିକ ସ୍ଥାନ ଚିହ୍ନଟ, ରୋଗ କେତେ ଦୂର ବ୍ୟାପିଛି ତାହାର ମୂଲ୍ୟାଙ୍କନ ଏବଂ ଚିକିତ୍ସା ସମୟରେ ରୋଗର ପରିବର୍ତ୍ତନକୁ ନିୟମିତ ଭାବେ ନଜର ରଖିବାରେ ଡାକ୍ତରମାନଙ୍କୁ ସହାୟତା ମିଳିବ।

ଏହି ଅବସରରେ ମଣିପାଲ ହସ୍ପିଟାଲର ଚିଫ୍ ପିପୁଲ୍ ଅଫିସର ପାର୍ଥ ଦାସ କହିଛନ୍ତି, “ମଣିପାଲ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି ଓ ନୂତନ OPD ସେବା ଆରମ୍ଭ ମାଧ୍ୟମରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ରୋଗୀ ମାନଙ୍କ ପାଇଁ ଉନ୍ନତ ରୋଗ ନିର୍ଣ୍ଣୟ, ବିଶେଷଜ୍ଞ ଚିକିତ୍ସା ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାକୁ ଘର ପାଖରେ ଉପଲବ୍ଧ କରାଇବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। PET/CT ସ୍କାନ୍ ଡାକ୍ତରମାନଙ୍କୁ ଟିସୁର ଗଠନ ଓ କାର୍ଯ୍ୟକ୍ଷମତା ସମ୍ପର୍କରେ ମୂଲ୍ୟବାନ ସୂଚନା ଦେଇଥାଏ, ଯାହା ରୋଗ ଚିହ୍ନଟ, ଚିକିତ୍ସା ଯୋଜନା ଓ ନିରୀକ୍ଷଣରେ ସହାୟକ ହୋଇଥାଏ। ନୂତନ OPD ସେବା ସହ ଆମର ଲକ୍ଷ୍ୟ ହେଉଛି ରୋଗୀମାନଙ୍କୁ ନିଜ ଘର ନିକଟରେ ବିଶେଷଜ୍ଞ ପରାମର୍ଶ ଓ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା।”

ସେହିପରି ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ସାଉଥ୍ ଇଷ୍ଟ କ୍ଲଷ୍ଟର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “କ୍ୟାନସର ରୋଗ ଚିକିତ୍ସାରେ PET/CT ସ୍କାନ୍ ବିଶେଷ ଉପଯୋଗୀ। ଏହା ଅଙ୍ଗପ୍ରତ୍ୟଙ୍ଗର ଗଠନ ସହ ଟିସୁର କାର୍ଯ୍ୟକ୍ଷମତାରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଦର୍ଶାଇଥାଏ। ଏହା ଡାକ୍ତରମାନଙ୍କୁ ଅସ୍ୱାଭାବିକ ସ୍ଥାନ ଚିହ୍ନଟ, ରୋଗର ବ୍ୟାପକତା ନିର୍ଣ୍ଣୟ ଏବଂ ଚିକିତ୍ସା ସମୟରେ ହେଉଥିବା ପରିବର୍ତ୍ତନର ମୂଲ୍ୟାଙ୍କନରେ ସହଯୋଗ କରିଥାଏ । ଓଡ଼ିଶାର ରୋଗୀମାନଙ୍କୁ ଉନ୍ନତ PET/CT ସ୍କାନ୍ ପାଇଁ ରାଜ୍ୟ ବାହାରକୁ ଯିବାର ଆବଶ୍ୟକତା ରହିବ ନାହିଁ।”

About The Author: Sakala Desk