ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ରେଡ୍’ ୨୦୧୮ରେ ଆସିଥିଲା। ଏହି ଚଳଚ୍ଚିତ୍ରଟି ସିନେପ୍ରେମୀକୁ ବେଶ୍ ପସନ୍ଦ ଆସିଥିଲା। ସେବେଠାରୁ ଦର୍ଶକେ ଏହାର ସିକ୍ବେଲକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ କରାଯାଇ ଏହାର ରିଲିଜ୍ ଡେଟ୍ ବିଷୟରେ ଘୋଷଣା କରାଯାଇଛି। ଅଜୟ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ‘ରେଡ୍-୨’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି।
ଅଜୟ ଏହାର ପୋଷ୍ଟର୍ ସେୟାର୍ କରି ଲେଖିଛନ୍ତି- ‘ନୂଆ ସହର, ନୂଆ ଫାଇଲ୍, ଅମୟ ପଟ୍ଟନାୟକଙ୍କ ଏକ ନୂଆ ‘ରେଡ୍’। ୧ ମେ, ୨୦୨୫ରେ ସିନେମା ହଲ୍ରେ ଦେଖାହେବ’ ଅଜୟଙ୍କ ଏହି ପୋଷ୍ଟ ପରେ ଦର୍ଶକେ ଏବେ ‘ରେଡ୍-୨’କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ପୋଷ୍ଟରରେ ଅଜୟ ବେଶ୍ ଗୁରୁ ଗମ୍ଭୀର ଅନ୍ଦାଜରେ ନଜର ଆସିବା ସହ ତାଙ୍କ ପଛପଟେ ବହୁତଗୁଡ଼ିଏ ଫାଇଲ୍ ଥିବାର ଦେଖାଯାଇଛି। ଏହା ସ୍ପଷ୍ଟ ଭାବେ ଏକ ନୂଆ ରେଡ୍ ବା ଚଢ଼ାଉକୁ ଇଙ୍ଗିତ କରୁଛି। ଏଥିରେ ଅଜୟଙ୍କ ସହ ରୀତେଶ ଦେଶମୁଖ, ବାଣୀ କପୁର ସୌରଭ ଶୁକ୍ଳା ପ୍ରମୁଖ ନଜର ଆସିବେ। ସେହିଭଳି ରାଜକୁମାର ଗୁପ୍ତା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।