ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ସିଙ୍ଗିଙ୍ଗ୍ ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ୧୨’ର ବିଜେତା ହୋଇଛନ୍ତି ଉତ୍ତରାଖଣ୍ଡର ପୱନଦୀପ ରାଜନ୍ । ସେ ଅନ୍ୟ ପାଞ୍ଚଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ପୁରସ୍କାର ସ୍ୱରୂପ ପୱନଦୀପଙ୍କୁ ୨୫ ଲକ୍ଷ ଟଙ୍କା ସହ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର୍ ପ୍ରଦାନ କରାଯାଇଛି। ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ପୱନଦୀପ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଥିଲେ। ୨୦୨୦ ନଭେମ୍ବର ୨୮ରେ ୧୫ଜଣ କଣ୍ଠଶିଳ୍ପୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ ରିୟଲିଟି ଶୋ’ର ଦ୍ବାଦଶ ସଂସ୍କରଣ ସ୍ବାଧୀନତା ଦିବସରେ ଶେଷ ହୋଇଛି । ଏହି ଶୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କାମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି । ପ୍ରଥମ ଥର ପାଇଁ ଫାଇନାଲରେ ୫ ଜଣଙ୍କ ବଦଳରେ ୬ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଥିଲା । ଏହି ଶୋ’ର ଚତୁର୍ଥ ସ୍ଥାନରେ ମହମ୍ମଦ ଦାନିଶ,ପଞ୍ଚମରେ ନିହାଲ ଏବଂ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ। ୧୨ ଘଣ୍ଟା ଧରି ଚାଲିଥିବା ଫାଇନାଲ୍ ଏପିସୋଡରେ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମାଲହୋତ୍ରା ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ଦି ଗ୍ରେଟ୍ ଖଲି ମଧ୍ୟ ଶୋ’ରେ ଅତିଥି ଭାବରେ ଯୋଗ ଦେଇଥିଲେ। ଶୋ’ର ବିଚାରପତି ହିମେଶ ରେଶମିଆ, ସୋନୁ କକ୍କର ଏବଂ ଅନୁ ମଲିକ ଥିଲେ। ଆଦିତ୍ୟ ନାରାୟଣ ଏହି ଶୋ’କୁ ସଂଚାଳନ କରିଥିଲେ। ଶୋ’ ପ୍ରାରମ୍ଭରୁ ହିଁ ଅରୁଣିତା ଓ ପୱନଦୀପଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଅନେକବାର ଜଜ୍ମାନଙ୍କ ଷ୍ଟାଣ୍ଡିଂ ଅଡିସନ୍ ପାଇବାରେ ସଫଳ ହୋଇଥିଲେ ପୱନଦୀପ।
ପୱନଦୀପ ରାଜନ୍ ଉତ୍ତରାଖଣ୍ଡର ବଣପାହାଡ଼ ଘେରା ଚମ୍ପାୱତ୍ ଜିଲ୍ଲାର ବାସିନ୍ଦା। ସେ ଜଣେ ଭଲ ବାଦ୍ୟଯନ୍ତ୍ର ଶିଳ୍ପୀ ମଧ୍ୟ। ସେ ଗିଟାର୍, ତବଲା, ଢ଼ୋଲକ୍, ଡ୍ରମସ୍ ଓ ପିଆନୋ ବଜାଇବାରେ ଧୁରୀଣ। ଏହା ପୂର୍ବରୁ ୨୦୧୫ରେ ସେ ମ୍ୟୁଜିକ ରିୟଲିଟି ଶୋ’ ‘‘ଦ ଭଏସ୍ ଅଫ୍ ଇଣ୍ଡିଆ’’ରେ ବିଜେତା ହୋଇଥିଲେ। ପୱନଦୀପଙ୍କ ଏହି ଯାତ୍ରା ଏତେ ସହଜ ନ ଥିଲା। ଇଣ୍ଡିଆନ୍ ଆଇଡଲ୍ ମଞ୍ଚ ପାଇଁ ଦୀର୍ଘ ଦିନ ଧରି ପୱନଦୀପ ତାଙ୍କ ସଙ୍ଗୀତ ସାଧନା ଜାରି ରଖିଥିଲେ। ସେ ଜଣେ ଭଲ କମ୍ପୋଜର ଓ ମ୍ୟୁଜିକ୍ ଡାଇରେକ୍ଟର ମଧ୍ୟ । ସେ ଅନେକ ମରାଠୀ ଓ ପାହାଡୀ ଫିଲ୍ମର ମ୍ୟୁଜିକ୍ ଦେଇଛନ୍ତି। ଦେଶ ଓ ବିଦେଶରେ ସେ ଅନେକ ମ୍ୟୁଜିକ୍ କନସର୍ଟରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ‘Rait’ ନାମକ ମ୍ୟୁଜିକ୍ ବ୍ୟାଣ୍ଡର ସେ ଜଣେ ସଦସ୍ୟ ମଧ୍ୟ। ସେ ୧୩ଟି ଦେଶ ଓ ଭାରତର ୧୪ଟି ରାଜ୍ୟ ବୁଲି ପାଖାପାଖି ୧୨୦୦ ଶୋ’ କରିଛନ୍ତି। ତାଙ୍କୁ ଏଥିପାଇଁ ‘ୟୁଥ୍ ଆମ୍ବାସାଡ଼ର୍ ଅଫ୍ ଉତ୍ତରାଖଣ୍ଡ’ର ଟାଇଟଲ୍ରେ ସମ୍ମାନିତ କରାଯାଇଛି। ପୱନଦୀପଙ୍କ ପିତା ସୁରେଶ ରାଜନ୍ ଜଣେ ଲୋକପ୍ରିୟ ଗାୟକ। ପୱନଦ୍ବୀପଙ୍କ ଆଈ ଜଣେ ମଧ୍ୟ ଲୋକଗୀତ ଗାୟିକା। ପରିବାର ସଦସ୍ୟଙ୍କ ଦ୍ବାରା ବହୁମାତ୍ରାରେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ପୱନଦୀପ। ପୱନଦୀପଙ୍କ ଭଉଣୀ ଜ୍ୟୋତିଦୀପ ମଧ୍ୟ ଜଣେ ଗାୟିକା।