କ୍ୟାରିୟର, ଇଣ୍ଡଷ୍ଟ୍ରି ପଲିଟିକ୍ସ ଓ 'ଥାପ୍ପଡ଼ କାଣ୍ଡ' ଉପରେ ମୁହଁ ଖୋଲିଲେ ଗୋବିନ୍ଦା: ବଲିଉଡକୁ ଶୁଣାଇଲେ ଖରାପ କଥା

୯୦ ଦଶକର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ନିଜର କ୍ୟାରିୟର ଏବଂ ଇଣ୍ଡଷ୍ଟ୍ରିର ରାଜନୀତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ ନିଜ ଜୀବନର କଠିନ ସମୟ, ବିଶେଷ କରି ଚର୍ଚ୍ଚିତ 'ଥାପ୍ପଡ଼ କାଣ୍ଡ' ଏବଂ ସୋସିଆଲ ମିଡିଆରେ ବ୍ୟାପିଥିବା ଗୁଜବ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ନିକଟରେ ମୁକେଶ ଖାନ୍ନା-ଙ୍କ ପୋଡକାଷ୍ଟରେ ଯୋଗ ଦେଇ ସେ ବଲିଉଡର କଳା ସତ୍ୟ ସାମ୍ନାକୁ ଆଣିଛନ୍ତି।
ଥାପ୍ପଡ଼ କାଣ୍ଡ ଏବଂ ବଦଳିଥିବା ଭାଗ୍ୟ
ମୁକେଶ ଖାନ୍ନାଙ୍କ ପୋଡକାଷ୍ଟରେ ଗୋବିନ୍ଦା କହିଛନ୍ତି ଯେ ଏକ ଥାପ୍ପଡ଼ କାଣ୍ଡ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ସେ କହିଛନ୍ତି, "ଜଣେ ବ୍ୟକ୍ତି ମୋ ସହ ଖରାପ ବ୍ୟବହାର କରୁଥିଲା, ତେଣୁ ମୁଁ ତାକୁ ଚାପୁଡ଼ା ମାରିଥିଲି। ସେହି ମାମଲା ମୋ ପାଇଁ ବହୁତ ଲକି ସାବ୍ୟସ୍ତ ହୋଇଥିଲା। ମାମଲାଟି ୯ ବର୍ଷ ଧରି ଚାଲିଥିଲା। ଶେଷରେ ମୁଁ ସେହି ବ୍ୟକ୍ତିର ଏକ ଭିଡିଓ ରେକର୍ଡ କରି କୋର୍ଟରେ ପେଶ କରିଥିଲି |" ତେବେ ଏହି ଘଟଣାରୁ ତାଙ୍କୁ ଇଣ୍ଡଷ୍ଟ୍ରିର ପ୍ରକୃତ ଚେହେରା ଦେଖିବାକୁ ମିଳିଥିଲା। ଗୋବିନ୍ଦା କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ଏହି ସମୟରେ ଇଣ୍ଡଷ୍ଟ୍ରିର କୌଣସି ବ୍ୟକ୍ତି ତାଙ୍କ ସମର୍ଥନରେ ଛିଡ଼ା ହୋଇନଥିଲେ, ଏପରିକି ଯେଉଁମାନେ ତାଙ୍କ ଯୋଗୁଁ ନାମ କମାଇଥିଲେ, ସେମାନେ ମଧ୍ୟ ନୀରବ ରହିଥିଲେ। ଏଥିଯୋଗୁଁ ତାଙ୍କର ବିଶ୍ୱାସ ଭାଙ୍ଗିଯାଇଥିଲା।
ଇଣ୍ଡଷ୍ଟ୍ରି ପଲିଟିକ୍ସ ଉପରେ କ୍ଷୋଭ
ଗୋବିନ୍ଦା ନିଜର କ୍ୟାରିୟର ପତନ ପାଇଁ ନିଜେ ଦାୟୀ ବୋଲି ସୋସିଆଲ ମିଡିଆରେ ଚାଲିଥିବା ଖବରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "କେବେ କେବେ ମୁହଁ ଖୋଲିବା ଜରୁରୀ ହୋଇପଡ଼େ। ଯଦି ଆପଣ ଚୁପ୍ ରହିବେ, ତେବେ ଲୋକେ ଭାବିବେ ଯେ ପ୍ରକୃତରେ ଆପଣଙ୍କର କିଛି ଦୋଷ ଅଛି |" ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ତାଙ୍କ କ୍ୟାରିୟରକୁ ନଷ୍ଟ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସେ ହିଁ ସଜାଇଥିଲେ। ଗୋବିନ୍ଦାଙ୍କ ମତରେ ତାଙ୍କୁ ବିନା କାରଣରେ ଗାଳି ଶୁଣିବାକୁ ପଡ଼ିଛି। ସେ ନିଜର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ ମୁଁ ଲୋକାଲ ଟ୍ରେନରେ ସିଟ୍ ପାଇବା ପାଇଁ ମଧ୍ୟ ଗାଳି ଶୁଣିଛି। ବିନା କାରଣରେ ଆମେ ଗାଳି ଖାଇଛୁ, ତେଣୁ କେହି ଆମକୁ କଣ ବଦନାମ କରିପାରିବେ?
ବଲିଉଡର ଦୋଗଲାପଣକୁ ନିନ୍ଦା
ବଲିଉଡ ଶବ୍ଦ ହିଁ ଭୁଲ ବୋଲି ଗୋବିନ୍ଦା କହିଛନ୍ତି। ତାଙ୍କ ମତରେ ଏଠାରେ ଲୋକଙ୍କୁ ରୋଗ ଆପେ ଆପେ ହୁଏ ନାହିଁ ବରଂ ରୋଗ ଦିଆଯାଏ। ଏମାନେ ଭଲ ଲୋକ ନୁହଁନ୍ତି। କିଛି ଭଲ ଏବଂ ସମ୍ଭ୍ରାନ୍ତ ଲୋକ ଅଛନ୍ତି। ମୁଁ କହୁଛି ଯାହାକୁ ଯେମିତି ରୋଜଗାର କରିବାର ଅଛି କରନ୍ତୁ, କିନ୍ତୁ କାହାର ହୃଦୟରେ ରହି ତାଙ୍କୁ ଧୋକା ଦିଅନ୍ତୁ ନାହିଁ। ସୂଚନାଯୋଗ୍ୟ ଯେ, ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ ଓ ପତ୍ନୀ ସୁନୀତା ଆହୁଜା-ଙ୍କୁ ନେଇ ମଧ୍ୟ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଛି। ତେବେ ଗୋବିନ୍ଦା ଏବେ ନିଜର ଅତୀତକୁ ପଛରେ ପକାଇ ପ୍ରଶଂସକମାନଙ୍କ ହୃଦୟରେ ଆଜି ମଧ୍ୟ ରାଜ କରୁଛନ୍ତି |

 

About The Author: Suryakanta