ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବୟସଗତ ଭେଦଭାବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଈଶା କୋପିକର। ଫିଲ୍ମଗୁଡ଼ିକରେ ପୁରୁଷ ଏବଂ ମହିଳା କଳାକାରଙ୍କ ପାଇଁ ଥିବା ଭିନ୍ନ ଭିନ୍ନ ମାନଦଣ୍ଡ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି, ଅଧିକ ବୟସର ଅଭିନେତାମାନେ ନିଜଠାରୁ ଅଧା ବୟସର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିପରି ସ୍ୱାଭାବିକ ବୋଲି ଧରିନିଆଯାଏ, ସେ ନେଇ ଈଶା କଡ଼ା ସମାଲୋଚନା କରିଛନ୍ତି।
ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ
ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ଜାରି କରି ଈଶା କୋପିକର କହିଛନ୍ତି ଯେ, "ଏହା ବହୁତ ଆଶ୍ଚର୍ଯ୍ୟଜନକ କଥା ନୁହେଁ କି? ଜଣେ ପୁରୁଷର ବୟସ ବଢ଼ିଲେ ତାହାକୁ ଅଭିଜ୍ଞତା ବୋଲି କୁହାଯାଏ, କିନ୍ତୁ ଜଣେ ମହିଳାର ବୟସ ବଢ଼ିଲେ ତାହାକୁ ଏକ ସମସ୍ୟା ଭାବେ ଦେଖାଯାଏ। ଫିଲ୍ମଗୁଡ଼ିକରେ ଆମେ ଦେଖୁ ଯେ, ହିରୋମାନେ ନିଜଠାରୁ ଅଧା ବୟସର ଝିଅମାନଙ୍କ ସହ ରୋମାନ୍ସ କରୁଛନ୍ତି ଏବଂ ଏହାକୁ ବହୁତ ସାଧାରଣ ବା ନର୍ମାଲ୍ ବୋଲି ଗ୍ରହଣ କରାଯାଉଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କୁ ସେମାନଙ୍କ ବୟସ ଏବଂ ରୂପକୁ ନେଇ ବାରମ୍ବାର ବିଚାର କରାଯାଇଥାଏ।
ବୟସ ବଢ଼ିବା କୌଣସି ଅପମାନ ନୁହେଁ
ମହିଳାମାନଙ୍କ ସମର୍ଥନରେ ଦୃଢ଼ ଯୁକ୍ତି ବାଢ଼ି ଈଶା କହିଛନ୍ତି ଯେ, ଯଦି ଜଣେ ମହିଳା ଷ୍ଟାଇଲିସ୍ ହୋଇଥାଏ ଏବଂ ନିଜର ବ୍ୟକ୍ତିତ୍ୱକୁ ଉଜାଗର କରେ, ତେବେ ତାଙ୍କୁ 'ନିଜ ବୟସ ହିସାବରେ ଆଚରଣ କରିବାକୁ' ଉପଦେଶ ଦିଆଯାଏ। "କିନ୍ତୁ ସତ କଥା ହେଉଛି, ସମୟ ସହିତ ମହିଳାମାନେ ଆହୁରି ଗଭୀର ହୁଅନ୍ତି। ସେମାନଙ୍କର ଆତ୍ମବିଶ୍ୱାସ ଆହୁରି ମଜବୁତ ହୁଏ। ସେମାନଙ୍କର ସୌନ୍ଦର୍ଯ୍ୟ କେବଳ ଚେହେରାରେ ନଥାଏ, ବରଂ ସେମାନଙ୍କ ଜୀବନ ଯାତ୍ରାରେ ପ୍ରତିଫଳିତ ହୁଏ। ମୁହଁର କୁଞ୍ଚନ କେବଳ ବୟସ ଦର୍ଶାଏ ନାହିଁ, ବରଂ ସେମାନଙ୍କର ସଂଘର୍ଷକୁ ମଧ୍ୟ ପ୍ରମାଣିତ କରେ" ବୋଲି ସେ କହିଛନ୍ତି।
ଶେଷରେ, ଦର୍ଶକ ଏବଂ ସମାଜକୁ ବାର୍ତ୍ତା ଦେଇ ଈଶା କୋପିକର ଅନୁରୋଧ କରିଛନ୍ତି ଯେ ବୟସ ବଢ଼ିବା ପ୍ରକ୍ରିୟାକୁ ଏକ ଅପମାନ ଭାବେ ନ ଦେଖି ପ୍ରତ୍ୟେକ ବୟସରେ ମହିଳାମାନଙ୍କୁ ସମ୍ମାନ ଦିଆଯିବା ଉଚିତ୍। ଜଣେ ମହିଳାର ରୂପ ଓ ଚର୍ମକୁ ନୁହେଁ ବରଂ ତାର ଆଭ୍ୟନ୍ତରୀଣ ଶକ୍ତିକୁ ଦେଖିବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି।