Abhijit Majumdar: ‘ମୁଁ ଯଦି ଆଗ ଚାଲିଯାଏ ଏ ଫଟୋ ପୋଷ୍ଟ କରିବୁ’: ସତ ହେଲା ଅଭିଜିତଙ୍କ କଥା, ବନ୍ଧୁଙ୍କୁ ଝୁରିଲେ ଗୁଡ୍‌ଲି ରଥ

ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକରେ ସମଗ୍ର ଓଲିଉଡ୍ ସ୍ତବ୍ଧ ହୋଇଯାଇଛି। ତାଙ୍କ ବିୟୋଗରେ କଳାକାର, ପ୍ରଶଂସକ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଏହି ସମୟରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ ତଥା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡ଼୍‌ଲି ରଥ ଏକ ଅତ୍ୟନ୍ତ ଭାବବିହ୍ୱଳ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି।

ନିଜର ପ୍ରିୟ ବନ୍ଧୁଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଗୁଡ଼୍‌ଲି ରଥ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅଭିଜିତଙ୍କ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ଅଭିଜିତ ଦିନେ ମଜାରେ ତାଙ୍କୁ କହିଥିଲେ, ‘‘ମୁଁ ଯଦି ଆଗ ଚାଲିଯାଏ, ତେବେ ଏଇ ଫଟୋଟା ପୋଷ୍ଟ କରିବୁ।’’ ଗୁଡ଼୍‌ଲି ଦୁଃଖର ସହ ଉଲ୍ଲେଖ କରିଛନ୍ତି ଯେ, ସେ କେବେ ମଧ୍ୟ ଭାବି ନଥିଲେ ଅଭିଜିତଙ୍କ ସେହି ମଜାଳିଆ କଥାଟି ଦିନେ ଏମିତି ନିଷ୍ଠୁର ସତ୍ୟରେ ପରିଣତ ହେବ।

ଅଭିଜିତଙ୍କ ଅକାଳ ବିୟୋଗରେ ଗୁଡ଼୍‌ଲି ରଥ ଗଭୀର ମର୍ମାହତ ହୋଇଛନ୍ତି। ନିଜର ଶେଷ ପ୍ରତିଶ୍ରୁତି ପାଳନ କରିବା ଭଳି ସେ ସେହି ନିର୍ଦ୍ଦିଷ୍ଟ ଫଟୋଟିକୁ ପୋଷ୍ଟ କରି ଲେଖିଛନ୍ତି, ‘‘ତୋ ଭଳି ବନ୍ଧୁ ହରାଇ ମୁଁ ମର୍ମାହତ। ତୋ କଥା ରଖି ଫଟୋଟା ପୋଷ୍ଟ କରୁଛି।’’ ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ଉଭୟଙ୍କ ବନ୍ଧୁତାକୁ ମନେ ପକାଇ ଅଭିଜିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

About The Author: Sakala Desk