ବଲାଙ୍ଗୀର: ବଡ଼ ଭାଇକୁ ପିଟିପିଟି ମାରିଦେଲା ସାନ ଭାଇ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ଜଣେ ସାନ ଭାଇ ନିଜ ବଡ଼ ଭାଇକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କୁ ବାଲିପଟା ଗ୍ରାମର ଭ୍ରମରରାଜ ମାଝୀ ଭାବେ ଚିହ୍ନଟ କରାଯାଇଥିବା ବେଳେ ଅଭିଯୁକ୍ତ ସାନ ଭାଇର ନାମ ପ୍ରେମାନନ୍ଦ ମାଝୀ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଭ୍ରମରରାଜ ଏବଂ ପ୍ରେମାନନ୍ଦ ଘରେ ରାତ୍ରି ଭୋଜନ ସାରିବା ପରେ ଶୋଇବା ପାଇଁ ନିଜର ଚାଷ ଜମିରେ ଥିବା ଏକ ଫାର୍ମ ହାଉସକୁ ଯାଇଥିଲେ। ସେଠାରେ କୌଣସି ଏକ ଅଜ୍ଞାତ ବିଷୟକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ପ୍ରେମାନନ୍ଦ ନିଜର ନିୟନ୍ତ୍ରଣ ହରାଇ ଏକ ଖଟ କାଠରେ ଭ୍ରମରରାଜଙ୍କୁ ଆକ୍ରମଣ କରିଥିଲେ। ସେ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ହିଁ ଭ୍ରମରରାଜଙ୍କ ମୃତ୍ୟୁ ହୋଇଥିଲା।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପ୍ରେମାନନ୍ଦ ନିଜେ ଗ୍ରାମକୁ ଯାଇ ବଡ଼ ଭାଇକୁ ମାରିଦେଇଥିବା ବିଷୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ମୃତକଙ୍କ ପିତା ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ମାଝୀଙ୍କୁ ଅଟକ ରଖିଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।