ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ପ୍ରେମିକର ସାଙ୍ଗକୁ ଧରିବାକୁ ରାଜ୍ୟ ବାହାରେ ଦୁଇଟି ଟିମ୍‌

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୨ମାସ ବିତିଗଲାଣି। ଏହି ଘଟଣାରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକୁ ଯାଜପୁର ପୁଲିସ ଗିରଫ କରିସାରିଛି। ତେବେ ଝରାଫୁଲଙ୍କ ମୃତ୍ୟୁ କିପରି ଘଟିଲା ଯାଜପୁର ପୁଲିସ ଆଜି ଯାଏଁ ସ୍ପଷ୍ଟ କରିନି। ଏହି ଚର୍ଚ୍ଚିତ ଘଟଣାଟି ରହସ୍ୟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ରାକେଶର ସହଯୋଗୀ ଶକ୍ତିଶେଖର ଧରାପଡ଼ି ନ ଥିବାରୁ ଘଟଣା ଉପରୁ ପରଦା ହଟିବାରେ ବିଳମ୍ବ ହେଉଛି। ଏଥିସହିତ […]

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୨ମାସ ବିତିଗଲାଣି। ଏହି ଘଟଣାରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁକୁ ଯାଜପୁର ପୁଲିସ ଗିରଫ କରିସାରିଛି। ତେବେ ଝରାଫୁଲଙ୍କ ମୃତ୍ୟୁ କିପରି ଘଟିଲା ଯାଜପୁର ପୁଲିସ ଆଜି ଯାଏଁ ସ୍ପଷ୍ଟ କରିନି। ଏହି ଚର୍ଚ୍ଚିତ ଘଟଣାଟି ରହସ୍ୟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ରାକେଶର ସହଯୋଗୀ ଶକ୍ତିଶେଖର ଧରାପଡ଼ି ନ ଥିବାରୁ ଘଟଣା ଉପରୁ ପରଦା ହଟିବାରେ ବିଳମ୍ବ ହେଉଛି।

ଏଥିସହିତ ସେ ଧରାପଡ଼ି ନ ଥିବାରୁ ମାମଲାର ଚାର୍ଜସିଟ ଦାଖଲ କରିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ସେହିପରି ଶକ୍ତିଶେଖର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଥିବା ସହ ତା’ର ବୟାନ ଆଧାରରେ ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୁଲିସ ଆଶା ରଖିଛି। ମାତ୍ର ଶକ୍ତିଶେଖର ୨ମାସ ହେଲା ଫେରାର୍‍ ହୋଇଯାଇଛି। ତାକୁ ଧରିବା ଲାଗି ପୁଲିସର ଏକାଧିକ ଟିମ୍‍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ହେଲେ ସେ ରାଜ୍ୟ ବାହାରକୁ ଫେରାର୍‍ ହୋଇଯାଇଥିଲା। ଏହି ଘଟଣା ଉପରୁ ପରଦା ନ ହଟିବାରୁ ଯାଜପୁର ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିବା ଲାଗି ଯାଜପୁର ପୁଲିସ ଅଣ୍ଟା ଭିଡ଼ିଛି। ଶକ୍ତିଶେଖରକୁ ଧରିବା ଲାଗି ପୁଣି ଥରେ କମିସନରେଟ ପୁଲିସ ସହଯୋଗ ଲୋଡିଛି ଯାଜପୁର ପୁଲିସ। ଏଥିଲାଗି ଯାଜପୁର ଏବଂ କମିସନରେଟ ପୁଲିସର ୫ଜଣିଆ ଟିମ୍‍ ଗଠନ କରାଯାଇଛି। ଶକ୍ତିଶେଖର ଅନ୍ୟ ରାଜ୍ୟକୁ ଫେରାର୍‍ ହୋଇଯାଇ ଥିବାରୁ ୫ଜଣିଆ ଟିମ୍‍ ସେଠାରେ ଡେରା ପକାଇଛି। ଦିନେ କିମ୍ବା ଦୁଇ ଦିନ ଭିତରେ ତାକୁ ଧରିବାରେ ସ୍ୱତନ୍ତ୍ର ଟିମ୍‍ ସକ୍ଷମ ହେବ। ଏହାପରେ ଝରାଫୁଲଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହାକୁ କମିସନରେଟ ପୁଲିସର ଜଣେ ଉଚ୍ଚପଦସ୍ତ ଅଧିକାରୀ ମନିଟରିଂ କରୁଛନ୍ତିି। ଏଥିସହିତ ଝରାଫୁଲର ମୋବାଇଲକୁ ରାକେଶ କିମ୍ବା ଶକ୍ତିଶେଖର ନଷ୍ଟ କରି ଦେଇଥିବା ପୁଲିସ ସନ୍ଦେହ କରୁଛି। ଏନେଇ ଯାଜପୁର ଏସ୍‍ଡିପିଓ ତଥା ତଦନ୍ତକାରୀ ଅଧିକାରୀ ଚିନ୍ମୟ ନାୟକ କହିଛନ୍ତି ଖୁବ୍‍ଶୀଘ୍ର କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ। ଏଥିସହିତ ଶକ୍ତିଶେଖର ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

About The Author: The Sakala