ଭୁବନେଶ୍ୱର: ଏଣିକି ଏଟିଏମ୍ରୁ ଟଙ୍କା ଲୁଟିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୁତ୍ରିମ ବୃଦ୍ଧିମତାର ପ୍ରୟୋଗ କରୁଛନ୍ତି। କମ୍ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ଏଟିଏମ୍ରୁ ଲୁଟ୍ତରାଜି ବଢ଼଼ିଚାଲିଛି। ସପ୍ତାହେ ତଳେ ଭୁବନେଶ୍ୱରରେ ଏଟିଏମ୍ରୁ ନୂଆଧରଣର ଲୁଟ୍ର ଖୁଲାସା ହୋଇଥିଲା। ରିମୋଟ୍ ବେସ୍ ଡିଭାଇସ୍ ଲଗାଇ ଏଟିଏମ୍ ହ୍ୟାକିଂ କରି କାର୍ଡରୁ ଟଙ୍କା ଲୁଟି ନେଇଥିଲେ ଦିଲ୍ଲୀର ଏକ ଗ୍ୟାଙ୍ଗ୍। ଏଥିରେ ସମ୍ପୃକ୍ତି ରହିଥିବା ଆଶଦ ଅଲ୍ଲୀକୁ ଗିରଫ କରାଯାଇ ରିମାଣ୍ଡରେ ଅଣାଯାଇଛି। ଆଶଦ ରିମାଣ୍ଡରେ ଆସିବା ପରେ ଖୋଲିଛି ରହସ୍ୟ। ଦିଲ୍ଲୀ ଏକ ୪ଜଣିଆ ଗ୍ୟାଙ୍ଗ୍ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କୋଲକାତା, ଉତ୍ତରପ୍ରଦେଶ, ବିହାର ସହ ୫ ରାଜ୍ୟରେ ଏଟିଏମ୍ରେ ରିମୋଟ୍ ବେସ୍ ଡିଭାଇସ୍ ଲଗାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଜଣାପଡ଼ିଥିଲେ। ରିମୋଟ୍ ବେସ୍ ଡିଭାଇସ୍କୁ ଏଟିଏମ୍ରେ ଲଗାଇ ଦେଉଥିଲେ। ଟଙ୍କା ଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କ କାର୍ଡ ଏଟିଏମ୍ର ଇନ୍ସର୍ଟ ପ୍ୟାନେଲ୍ରେ ଅଟକି ଯାଉଥିଲେ। ଯେତେବେଳେ ଏଟିଏମ୍ କାର୍ଡଟି ମେସିନ୍ରେ ଅଟକି ଯାଉଥିଲା, ସେଇ ସମୟରେ ଏଟିଏମ୍ କାଉଣ୍ଟର୍ ଭିତରେ ହେଲ୍ପଲାଇନ ନମ୍ବରକୁ କଲ୍ କରିବାକୁ କୁହାଯାଇଥାଏ। ପରେ କାର୍ଡରେ ଲାଗିଥିବା ଚିପ୍କୁ ଏଟିଏମ୍ କାର୍ଡରୁ ବାହାର କରି ଅନ୍ୟ ଏକ ଚିପ୍ ତାଙ୍କ କାର୍ଡରେ ଲଗାଇ ଇନ୍ସର୍ଟ କରି ଟଙ୍କା ଲୁଟି ନେଉଥିଲେ ଲୁଟେରା।
ସେହିଭଳି ଭୁବନେଶ୍ୱରରୁ ରିମୋଟ୍, ଚିପ୍, ହ୍ୟାକିଂ ଭଳି ଏଆଇ ପ୍ରୟୋଗ କରି ଏଟିଏମ୍ରୁ ଟଙ୍କା ଲୁଟି ନେଉଛନ୍ତି ଦୁର୍ବୃତ୍ତ। ବହୁ ମାମଲାରେ ସଫଳତା ହାସଲ କରୁଥିବା ବେଳେ କିଛି କ୍ଷେତ୍ରରେ ଏହି ଉଦ୍ୟମ ବିଫଳ ହୋଇଛି। କେବଳ ଏଆଇ ନୁହେଁ ଆଙ୍ଗୁଠି ଓ ପାତିଆ ଲଗାଇ ଲୁଟିବା, ମେସିନ ଲଗାଇ ତାଡ଼ିବା, ଗ୍ୟାସ୍ କଟର ମେସିନରେ ଏଟିଏମ୍ କାଟି ଲୁଟିବା ଭଳି ନୂଆ ନୂଆ ଶୈଳୀର ବି ଲୁଟ୍ କରୁଥିବାର ଅନେକ ନଜିର ରହିଛି। ସାରା ରାଜ୍ୟ ସମେତ ରାଜଧାନୀରେ ଏଟିଏମ୍ ଲୁଟ୍ ପଛରେ ରାଜ୍ୟ ବାହାର ଅପରାଧୀଙ୍କ ସମ୍ପୃକ୍ତି ରହୁଛି। ବାଂଲାଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ, କୋଲକାତା, କେରଳ, ଦିଲ୍ଲୀରୁ ଅସାମାଜିକ ବ୍ୟକ୍ତିମାନେ ଏଟିଏମ୍ ଲୁଟିବା ଲାଗି ଭୁବନେଶ୍ବରରେ ସାମ୍ରାଜ୍ୟ ଗଢ଼ିଛନ୍ତି। ଏହା କର୍ପୋରେଟ୍ ଢାଞ୍ଚାରେ ଚାଲିଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଅପରାଧୀ ସହଯୋଗ କରୁଛନ୍ତି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, ମେଣ୍ଢାଶାଳ, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ନୂଆପଲ୍ଲୀ, ଭରତପୁର ଥାନା ଅଞ୍ଚଳରେ ପ୍ରାୟ ୩୦ରୁ ଅଧିକ ଏଟିଏମ୍ ଲୁଟ୍ ଉଦ୍ୟମ ବ୍ୟର୍ଥ ହୋଇଛି। ଏଥିସହିତ ସହରରେ ଥିବା ପୁରୁଣା ଏଟିଏମ୍ଗୁଡ଼ିକୁ ଲୁଟେରାଙ୍କ ଟାର୍ଗେଟ୍ରେ ରହିଛି। କେଉଁ ମାମଲାରେ ଟଙ୍କା ମିଳିନି ତ ଆଉ କେଉଁ ମାମଲାରେ ଅଭିଯୁକ୍ତ ବି ଧରାପଡ଼ିନାହାନ୍ତି। ଏଆଇ ସହାୟତାରେ ଲୁଟ୍ କରୁଥିବାରୁ ସୁରାକ୍ ମିଳୁନି।
ୟୁପିରେ ତାଲିମ; ଓଡ଼ିଶାରେ ଲୁଟ୍
ବେକାରୀଙ୍କୁ ନିଯୁକ୍ତିର ଫାଶରେ ପକାଇ ଏଟିଏମ୍ରୁ ଟଙ୍କା ଲୁଟିବାକୁ ଦିଆଯାଉଛି ପ୍ରଶିକ୍ଷଣ। ୧୫ ମିନିଟ୍ରେ ଏଟିଏମ୍ରୁ ଟଙ୍କା ଲୁଟିବାକୁ ତାଲିମ୍ ଦିଆଯାଉଛି। ଉତ୍ତରପ୍ରଦେଶରୁ ଏଭଳି ପ୍ରଶିକ୍ଷଣ ନେଇ ଓଡ଼ିଶାକୁ ଆସୁଛନ୍ତି ଏମିତି ଲୁଟେରା ଗ୍ୟାଙ୍ଗ୍। ପୁଲିସ ହାତରେ ଅଭିଯୁକ୍ତମାନେ ଧରାପଡ଼ିବା ପରେ ଖୋଲିଥିଲା ଏଟିଏମ୍ ତାଡ଼ି ଲୁଟିବାର ଗୁମର। ବେକାର ଯୁବକଙ୍କୁ ଚାକିରି ଦେବାକୁ କହି ଉତ୍ତରପ୍ରଦେଶ ନିଆଯାଉଛି। ପରେ ଏଟିଏମ୍ ଭାଙ୍ଗିବା କିମ୍ବା ଅନ୍ୟ ଉପାୟରେ ଲୁଟ୍ କରିବା ଲାଗି ସ୍ୱତନ୍ତ୍ର ତାଲିମ୍ ଦିଆଯାଉଛି। ନୂଆ ଶୈଳୀରେ କିଭଳି ଏଟିଏମ୍ ଭଙ୍ଗାଯିବ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ସେଠାରୁ ତାଲିମ୍ ନେଇ ଯିବା ପରେ ନିଜ ପରିଚୟ ଲୁଚାଇବା ପାଇଁ ଏଟିଏମ୍ରେ ଲାଗିଥିବା କ୍ୟାମେରା ଉପରେ ମିଷ୍ଟ୍ରି ଲିକ୍ୟୁଇଡ ସ୍ପ୍ରେ କରିଥାନ୍ତି। ୧୫ ମିନିଟରେ ସେମାନେ ଏଟିଏମର କ୍ୟାସ୍ ବକ୍ସ ଭାଙ୍ଗି କେମିତି ସୁରକ୍ଷିତ ଖସିଯିବେ ଏସବୁର ପ୍ରଶିକ୍ଷିଣ ନେଇଥାନ୍ତି। ଆଉ ପ୍ରଶିକ୍ଷଣ ପରେ ୧୫ ଦିନ ଲାଇଭ ଡେମୋ ମଧ୍ୟ ଅଭ୍ୟାସ କରାଯାଏ।