ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ରସିକିଆ ଡାକ୍ତରଙ୍କ କଳା କାରନାମା ପଦାରେ ପଡ଼ିଛି। ବିବାହ ପ୍ରତିଶ୍ରୁତି ଦେଇ ମହିଳା ବିଲ୍ଡର୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି। ଖାଲି ସେତିକି ନୁହେଁ, ୨୫ ଲକ୍ଷ ଟଙ୍କା ଓ ଆଇଫୋନ୍‌‌ ଠକି ନେଇଛନ୍ତି। ବିବାହ କରିବାକୁ କହିବାରୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଏଭଳି କାଣ୍ଡ ଭିଆଇଥିବା ଡାକ୍ତରଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି କୋରାପୁଟ ଜୟପୁର ଥାନା ଶ୍ରୀରାମ ନଗରର ଅବିନାଶ ମହାନ୍ତି (୩୨)।

ପୁଲିସ ସୂଚନା ମୁତାବକ, ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ମହିଳା ଜମିବାଡ଼ି ବ୍ୟବସାୟ କରୁଥିବା ବେଳେ ଅବିନାଶ ଗଞ୍ଜାମ ଜିଲ୍ଲା ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାମ କରୁଛନ୍ତି। ଦୁଇ ବର୍ଷ ପୂର୍ବେ ମହିଳାଙ୍କୁ ପାରିବାରିକ ଜୀବନରେ ଝଗଡ଼ା ହେବାରୁ ତାଙ୍କ ସ୍ୱାମୀ ଅଲଗା ହୋଇ ଅନ୍ୟତ୍ର ରହୁଥିଲେ। ସେତିକିବେଳେ ସାମାଜିକ ଗଣମାଧ୍ୟମ ଜରିଆରେ ମହିଳା ଓ ଅବିନାଶ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୨୪ ଡିସେମ୍ବର ୯ ତାରିଖ ଦିନ ଅବିନାଶ କହିବା ମୁତାବକ ମହିଳା ଜଣକ ନିଜ ଲୋକେସନ୍‌‌ ସେୟାର କରିଥିଲେ। ଠିକଣା ପାଇବା ପରେ ରସିକିଆ ଡାକ୍ତର ଅବିନାଶ ମହିଳାଙ୍କ ଘରେ ପହଞ୍ଚି ଯାଇଥିଲେ। ସେଠାରେ ମହିଳା ଓ ଅବିନାଶ ଥଣ୍ଡା ପାନୀୟ ପିଇବା ପରେ ମହିଳା ଜଣକ ବେହୋସ୍‌‌ ହୋଇ ଯାଇଥିଲେ। ସେ ଚେତା ଫେରିପାଇଲା ବେଳକୁ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ଅବିନାଶ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ।

ଏହାରି ଭିତରେ ବିଭିନ୍ନ ଆଳ ଦେଖାଇ ଅବିନାଶ ଟଙ୍କା ମାଗୁଥିବା ବେଳେ ମହିଳା ଜଣକ ମଧ୍ୟ ଦେଉଥିଲେ। ଅବିନାଶ ବିଭିନ୍ନ ପର୍ଯ୍ୟାୟରେ ମହିଳାଙ୍କ ଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ନେଇ ଯାଇଥିଲେ। କେବଳ ସେତିକି ନୁହେଁ, ସୁନା ଚେନ୍‌‌, ବ୍ରେସଲେଟ୍‌‌ ଓ ଆଇଫୋନ୍‌‌ ମଧ୍ୟ ନେଇଥିଲେ। ଗତବର୍ଷ ଡିସେମ୍ବର ୨୮ ତାରିଖ ଦିନ ମହିଳା ଓ ଅବିନାଶ ମିଶି ଦୁବାଇ ଯାଇଥିଲେ। ସେଠାରେ ରହଣି ମଧ୍ୟରେ ଅବିନାଶ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ଆଉ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ବୋଲି ପରବର୍ତ୍ତୀ ସମୟରେ ଅବିନାଶ କହିଥିଲେ। ମହିଳା ଜଣକ ତାଙ୍କ ଉଦ୍ଦେଶ୍ୟ ବୁଝିପାରି ଦେଇଥିବା ଟଙ୍କା ଓ ସୁନାଗହଣା ଫେରସ୍ତ ମାଗିଥିଲେ। ହେଲେ ଅବିନାଶ ଟଙ୍କା ଓ ଅଳଙ୍କାର ଫେରାଇବା ପରିବର୍ତ୍ତ? ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ। ଏନେଇ ମହିଳା ଜଣକ ଏୟାରଫିଲ୍ଡ ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରିଥିଲା। ଉମରକୋଟର ଏକ ଲଜରେ ଅବିନାଶ ଲୁଚିଥିବା ଖବରପାଇ ଏୟାରଫିଲ୍ଡ ପୁଲିସ ଚଢ଼ଉ କରିଥିଲା। ସେଠାରୁ ଅବିନାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

About The Author: Madhusudan Das