ଭୁବନେଶ୍ବର: ଓଡ଼ିଶାରେ ସଂଗଠିତ ଅପରାଧ ହାର ଉଦ୍ବେଗଜନକ ଥିବା ବେଳେ ଛୋଟ ମୋଟ ଅପରାଧୀ ଡନ୍ ହେବା ପାଇଁ ଅବା ଗ୍ୟାଙ୍ଗ ଗଢ଼ିବା ପାଇଁ ବିଭିନ୍ନ ଉପାୟରେ ବଳ ଗୋଟାଉଛନ୍ତି। ଅନେକ ସମୟରେ ଅସାମାଜିକ ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଥିବାର ଜନଜୀବନ ଭୟ ଓ ଅଶଙ୍କା ମଧ୍ୟରେ ରହୁଛନ୍ତି । ଏଥିପାଇଁ ଜାତୀୟ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ରିପୋର୍ଟରେ ଓଡ଼ିଶାର ଚିତ୍ର ଖରାପ ହେଉଛି। ଅପରାଧୀଙ୍କ ଉପରେ ଲଗାମ କଷିବା ପାଇଁ ରାଜ୍ୟ ସରକାର ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦେଉଛନ୍ତି। ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ତଥାପି ଅପରାଧୀଙ୍କ ମନରେ ଆଇନ୍ ପ୍ରତି ଭୟ କମ୍ ରହୁଛି। କିନ୍ତୁ ଏବେ ଆଉ ତାହା ଚଳିବ ନାହିଁ । କାରଣ ରାଜ୍ୟ ସରକାର ଅପରାଧୀ ତଥା ଅସାମାଜିକ ବ୍ୟକ୍ତିଙ୍କ ପାଇଁ କଠୋର ଆଇନ୍ ଆଣିବାକୁ ଯାଉଛନ୍ତି। ଉଭୟ ପେଶାଦାର ଅପରାଧୀ ଏବଂ ସରକାରୀ ଚାକିରୀରେ ଥିବା ଅପରାଧୀଙ୍କ ପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିବ। ‘ଓଡ଼ିଶା ଗୁଣ୍ଡା ଏବଂ ଅସାମାଜିକ କାର୍ଯ୍ୟକଳାପ (ନିରୋଧ) ଆଇନ୍, ୨୦୨୧ ପ୍ରଣୟନ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହାର ଚିଠା ପ୍ରସ୍ତାବ ଏବେ ଆଇନ୍ ବିଭାର ବିଚାରାଧୀନ ଥିବା ବେଳେ ଅନୁମୋଦନ ମିଳିବା ପରେ ରାଜ୍ୟ କ୍ୟାବିନେଟ୍ରେ ଉପସ୍ଥାପନ କରାଯିବ। କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେସନରେ ବିଲ୍ ଉପସ୍ଥାପନ ହେବା ସମ୍ଭାବନା ଅଛି ।
ନିକଟରେ ପ୍ରକାଶିତ ଏନ୍ସିଆରବି ରିପୋର୍ଟ ୨୦୨୦ ଅନୁସାରେ ଓଡ଼ିଶାରେ ମହିଳାମାନଙ୍କ କ୍ଷେତ୍ରରେ ଅପରାଧ ହାର ଅଧିକ ରହିଛି। ଗତ ସାତ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ କ୍ଷେତ୍ରରେ ଅପରାଧ ହାର ଚିନ୍ତାଜନକ ଥିବା ରିପୋର୍ଟରେ କୁହାଯାଇଥିଲା। ସେହିପରି ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଅପରାଧ ହାର କିଛି କମ୍ ନାହିଁ । ଶିଶୁମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନ ଅଧୀନରେ ସମୁଦାୟ ୨୨୦୨ ମାମଲା ରୁଜୁ ହୋଇଛି। ସେହିପରି ୩୬୬୬ଟି ଶିଶୁ ଅପହରଣ ମାମଲା ସହିତ ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଅପରପକ୍ଷେ ୨୦୨୦ରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଅପରାଧ ମାମଲାରେ ୮ ପ୍ରତିଶତ ଅଭିବୃଦ୍ଧି ଘଟିଛି ବୋଲି କୁହାଯାଇଛି। ଏହା ବ୍ୟତୀତ ଡକାୟତି, ଲୁଟ୍, ମରଣାନ୍ତକ ଆକ୍ରମଣ ସଂଘବଦ୍ଧ ଆକ୍ରମଣ, ଜମି ଜବରଦଖଲ ଠକେଇ, ମାନବ ଚାଲାଣ, ଯୌନ ଶୋଷଣ ଘଟଣା ଚିନ୍ତାଜନକ ବୋଲି କୁହାଯାଉଛି।
ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସର ଦକ୍ଷତା ବୃଦ୍ଧି ସହିତ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ବେ ଅପରାଧୀଙ୍କ ଉପରେ ଲଗାମ କଷିବାରେ ପୁଲିସ ସମ୍ପୂର୍ଣ ଭାବେ ସଫଳ ହୋଇପାରୁ ନାହିଁ । ଏହି ପରିପ୍ରେକ୍ଷୀରେ କଠୋର ଆଇନ ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟିସୋସିଆଲ ଆକ୍ଟିଭିଟିସ (ପ୍ରିଭେନ୍ସନ୍) ଆକ୍ଟ ଢାଞ୍ଚାରେ ଓଡ଼ିଶା ସରକାର ନୂଆ ଆଇନ୍ ଆଣିବାକୁ ଯାଉଥିବା ଜଣାପଡ଼ିଛି।
ପ୍ରସ୍ତାବିତ ଚିଠା ଆଇନ ଅନୁସାରେ, ଉକ୍ତ ସ୍ବତନ୍ତ୍ର ଆଇନ୍ରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ପାଇଁ ସର୍ବନିମ୍ନ ୭ ବର୍ଷରୁ ୧୦ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିବ। ସେହିପରି ଅପରାଧ ଦମନ ପାଇଁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର କ୍ଷମତା ମିଳିବ । ଯଦି ଅପରାଧୀ ବେଆଇନ୍ ଭାବେ ସମ୍ପତ୍ତି ଅର୍ଜନ କରିଥାନ୍ତି ତେବେ କୋର୍ଟଙ୍କ ହସ୍ତକ୍ଷେପ ପୂର୍ବରୁ ଜିଲ୍ଲାପାଳ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କ୍ଷମତା ପାଇବେ। ସେହିପରି ଦୋଷୀ ସରକାରୀ ଅଧିକାରୀଙ୍କୁ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ। ସରକାରୀ କର୍ମଚାରୀ ଅପରାଧରେ ସହଯୋଗ କରୁଥିବା ପ୍ରମାଣ ମିଳିଲେ ମଧ୍ୟ ତାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଅପରାଧୀଙ୍କ ସମ୍ପତ୍ତି କୌଣସି ବ୍ୟକ୍ତିଙ୍କ ପାଖରେ ଥିଲେ ତାହା ସରକାର ଜବତ କରିବା ନେଇ ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି। ସେମାନଙ୍କର ଅପରାଧ ଅର୍ଜିତ ସମ୍ପତ୍ତିକୁ ମଧ୍ୟ ବାଜ୍ୟାପ୍ତି କରାଯାଇପାରିବ। ଓଡ଼ିଶା ଗୁଣ୍ଡା ଏବଂ ଅସାମାଜିକ କାର୍ଯ୍ୟକଳାପ (ନିରୋଧ) ଆଇନ୍, ୨୦୨୧ ଅଧୀନରେ ପଞ୍ଜିକୃତ ମାମଲା ସ୍ବତନ୍ତ୍ର କୋର୍ଟରେ ବିଚାର କରାଯିବ। ଏହା ପୂର୍ବରୁ ରାଜ୍ୟ ସରକାର ଏବେ ଦେଶର ୭ଟି ରାଜ୍ୟରେ ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ୍ କାର୍ଯ୍ୟକାରୀ ହୋଇଛି। ଚିଠା ପ୍ରସ୍ତାବ ଅନୁସାରେ ବିଚାରପତିଙ୍କ ରୁଦ୍ଧଦ୍ବାର ପ୍ରକୋଷ୍ଠରେ ସ୍ବତନ୍ତ୍ର ଆଇନ ଆଧାରରେ ମାମଲାର ବିଚାର କରାଯିବ ।
ଯଦି ଜଣେ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା ଥାଏ ତେବେ ତାହା ଗୋଟିଏ ସ୍ବତନ୍ତ୍ର ଅଦାଲରେ ବିଚାର କରାଯିବ। ଚିଠା ପ୍ରସ୍ତାବରେ ସାକ୍ଷୀଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି । ସେମାନଙ୍କ ନାମ ଓ ଠିକଣା ସମ୍ପୂର୍ଣ ଭାବେ ଗୋପନୀୟ ରଖାଯିବ। ଅଦାଲତଙ୍କ ରେକର୍ଡ କିମ୍ବା ରାୟରେ ସେମାନଙ୍କ ନାମ ଉଲ୍ଲେଖ କରାଯିବ ନାହିଁ । ଗୁରୁତ୍ବପୂର୍ଣ୍ଣ ହେଲା ଭାରତୀୟ ପିଙ୍ଗଳ ଦଫା, ଓଡ଼ିଶା ଅବକାରୀ ଆଇନ-୨୦୦୫, ଏନ୍ଡିପିଏସ୍ ଆଇନ-୧୯୮୫, ଅନୈତିକ ବ୍ୟାପାର (ନିରାକରଣ) ଆଇନ ୧୯୫୬, ଶିଶୁ ଯୌନ ଶୋଷଣ (ନିରୋଧ) ଆଇନ-୨୦୧୨, ଗୋ ହତ୍ୟା ସୁରକ୍ଷା ଆଇନ-୧୯୬୦ ଏବଂ ଓଡ଼ିଶା ଅର୍ଥ କରଜ ଆଇନ-୧୯୩୯ ଅଧୀନରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ଏହି ସ୍ଵତନ୍ତ୍ର ଆଇନ୍ ପରିସରକୁ ଆସି ପାରିବ।
ବ୍ୟକ୍ତିଗତ ସୁରକ୍ଷା କିମ୍ବା ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି ଉଦ୍ଦେଶ୍ୟରେ ସଂଗଠିତ ଅପରାଧ ଅବା ସରକାରୀ ସମ୍ପତିକୁ କ୍ଷତି ପହଞ୍ଚାଉଥିବା ଅପରାଧ ଗୁଡ଼ିକୁ ସ୍ବତନ୍ତ୍ର ଆଇନ ପରିସରଭୁକ୍ତ କରାଯାଇପାରିବ। ସେହିପରି ସରକାରୀ କିମ୍ବା ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଆକ୍ରମଣ, ଭୟଭିତ କରି ଋଣ କିମ୍ବା ସୁଧ ଆଦାୟ, ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର, ନକଲି ନୋଟ କାରବାର, ଶିଶୁଙ୍କୁ ନେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ, ସାଇବର୍ ଠକେଇ ସମେତ ଅତିକମ୍ରେ ୫ ବର୍ଷ କାରାଦଣ୍ଡ ବ୍ୟବସ୍ଥା ଥିବା ଆଇପିସି ଧାରାରେ ରୁଜୁ ମାମଲା ସ୍ଵତନ୍ତ୍ର ଆଇନ ଅଧୀନକୁ ଆସିପାରିବ । ଏଥିରେ କୁହାଯାଇଛି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣିତ ଆଇନ ପେଶାଦାର ଏବଂ କୁଖ୍ୟାତ ଅପରାଧୀଙ୍କ ଉପରେ ଲଗାମ କଷିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ସ୍ପଷ୍ଟ ଦିବାଲୋକରେ ଅପରାଧ ଘଟାଇ ସହଜରେ ଆଇନ ହାତରୁ ଖସି ଯାଉଥିବା ଅପରାଧୀଙ୍କ ପାଇଁ ନୂଆ ଆଇନ୍ରେ କଠୋର ବ୍ୟବସ୍ଥା ରହିଛି।
ଏନସିଆରବି ତଥ୍ୟ ଅନୁସାରେ, ୨୦୧୬ରେ ଓଡ଼ିଶାରେ ଅପରାଧ ସଂଖ୍ୟା ୮୧ ହଜାର ୪୬୦ ଥିବା ବେଳେ ୨୦୨୦ରେ ଏହା ୧ ଲକ୍ଷ ୩୪ ହଜାରରେ ପହଞ୍ଚିଛି । ତେଣୁ ସବୁ ଦିଗକୁ ନଜର କରି ସରକାର ଏହି ଗୁଣ୍ଡା ଆଇନ୍କୁ ଆଣିବାକୁ ଯାଉଛନ୍ତି। ଏହି ବିଲ୍କୁ ମଧ୍ୟ ଅନେକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ସମର୍ଥନ କରିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖ୍ କହିଛନ୍ତି ଯେ ଏହି ବିଲ୍ ଆସିବା ପରେ ଅପରାଧିଙ୍କ ମନରେ ଭୟ ପଶିବ ଅଧିକ ଉତ୍ପାତ କରିବା ପୂର୍ବରୁ ଦଶ ଥର ଭାବିବାକୁ ପଡ଼ିବ । ଯାହାଫଳରେ ରାଜଧାନୀରେ ଅପରାଧ ଏକ ପ୍ରକାର କମିବ ବୋଲି ସେ ଆଶଙ୍କା କରିଛନ୍ତି ।