ବିକ୍ରି ହେଲା ଏଲ୍‌ଆଇସି ଅଂଶଧନ; ୩୧,୫୫୨ କୋଟି ଟଙ୍କା ରାଜସ୍ବ ସଂଗ୍ରହ

ନୂଆଦିଲ୍ଲୀ: ବିକ୍ରି ହୋଇଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅଂଶଧନ। ଅଫର ଫର୍ ସେଲ୍ (ଓଏଫ୍‌ଏସ୍‌) ଜରିଆରେ ବୀମା କମ୍ପାନୀର ୬.୫% ଅଂଶଧନ ବିକ୍ରି କରିଛନ୍ତି କେନ୍ଦ୍ର ସରକାର। ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ଏଲ୍‌ଆଇସିରେ ସରକାରଙ୍କର ୯୬.୫% ଅଂଶଧନ ରହିଥିଲା, ଯେତେବେଳେ କି ସର୍ବସାଧାରଣଙ୍କର କେବଳ ୩.୫% ଅଂଶଧନ ଥିଲା।  ଓଏଫ୍‌ଏସ୍‌ରେ ୩୧,୫୫୨ କୋଟି ଟଙ୍କା ମୂଲ୍ୟର ମୋଟ ୮୨ କୋଟିରୁ ଅଧିକ ସେୟାର ଆବଣ୍ଟିତ କରାଯାଇଥିଲା। ତେବେ ଏଲ୍‌ଆଇସିରେ ଥିବା ସରକାରଙ୍କ ଅଂଶଧନକୁ ବଡ଼ ରିଆତି ମୂଲ୍ୟରେ ବିକ୍ରି କରାଯାଇଥିବା ଜଣାପଡିଛି। ବିକ୍ରି ପାଇଁ ସରକାର ଆଣିଥିବା ଏହି ଅଫର ଫର୍ ସେଲ୍‌କୁ ବମ୍ପର ସବସ୍କ୍ରିପସନ ମିଳିଛି। ହେଲେ ଅଂଶଧନ ବିକ୍ରି ପରେ ଏଲ୍‌ଆଇସିର ସେୟାର ମୂଲ୍ୟରେ ୯% ହ୍ରାସ ଘଟିଛି।

ଅଫର ଫର୍ ସେଲ୍‌ରେ ଏଲ୍‌ଆଇସିର ସେୟାର ପିଛା ମୂଲ୍ୟ ୩୮୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା,ଯେତେବେଳେ କି ଓଏଫ୍‌ଏସ୍‌ ଘୋଷଣା ପୂର୍ବରୁ ଏହାର ସେୟାର ପିଛା ମୂଲ୍ୟ ୪୨୮.୫୦ ଟଙ୍କା ରହିଥିଲା। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ସରକାର ଏଲ୍‌ଆଇସିର ଅଂଶଧନକୁ ୧୦.୯% କମ୍‌ ମୂଲ୍ୟରେ ବିକ୍ରି କରିଛନ୍ତି। ଏହି ସେଲ୍‌ ଜରିଆରେ ସରକାରଙ୍କୁ  ୩୧,୫୫୨ କୋଟିରୁ ଅଧିକ ଟଙ୍କାର ରାଜସ୍ବ ମିଳିଛି। ଏଲ୍‌ଆଇସି ଅଂଶଧନ ବିକ୍ରି ପାଇଁ ପ୍ରସ୍ତାବିତ ଓଏଫ୍‌ଏସ୍‌ ଦୁଇ ଦିନ ମଧ୍ୟରେ ସମାପ୍ତ ହୋଇଛି। ପ୍ରାରମ୍ଭରେ କମ୍ପାନୀର ୨.୫% ଅଂଶଧନ ବ୍ରିକି ଯୋଜନା ରଖାଯାଇଥିବାବେଳେ ପରେ ଏହାକୁ ୬.୫% ଯାଏ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ, ଶେଷ ପର୍ଯ୍ୟନ୍ତ ସରକାର ଏଲ୍‌ଆଇସିରୁ କେତେକ ପ୍ରତିଶତ ଅଂଶଧନ ବିକ୍ରି କରିବେ ତାହାକୁ ସାର୍ବଜନୀନ କରି ନ ଥିଲେ। ଶେଷରେ ଏହି ସେଲ୍‌କୁ ନିବେଶକମାନଙ୍କଠାରୁ ବେଶ ଭଲ ପ୍ରତିକ୍ରିୟା ମିଳିଛି।  ଅଫର ଫର୍ ସେଲ୍ (ଓଏଫ୍‌ଏସ୍‌) ମାଧ୍ୟମରେ ଏଲ୍‌ଆଇସିର ସେୟାର କମ୍ ମୂଲ୍ୟରେ ଉପଲବ୍ଧ ହେବା ଜଣାପଡିବା ପରେ, ଖୋଲା ବଜାରରେ କ୍ରୟ ମନ୍ଥର ହୋଇଯାଇଥିଲା, ଯାହା ଫଳରେ ସେୟାର ମୂଲ୍ୟ ଓଏଫ୍‌ଏସ୍‌ ମୂଲ୍ୟର ନିକଟତର ହୋଇଥିଲା।  ଏଲ୍‌ଆଇଇସିର ଏହି ଅଫର ଫର୍ ସେଲ୍‌ରେ ସରକାର ‘ଗ୍ରୀନ୍ ସୁ ଅପ୍‌ସନ୍‌‘ ବ୍ୟବହାର କରିଛନ୍ତି।

About The Author: Madhusudan Das