ଭାରତୀୟ ବୀମା ନିଗମ(ଏଲଆଇସି) ପକ୍ଷରୁ ଆରମ୍ଭ କରାଯାଇଥିବା ଆଇପିଓ ଗତ ୯ ତାରିଖରେ ଶେଷ ହୋଇଛି। ଆସନ୍ତା ୧୭ ତାରିଖରେ ଏହାକୁ ଷ୍ଟକ ଏକ୍ସଚେଞ୍ଜ ତାଲିକାଭୁକ୍ତ କରାଯିବ। ତେବେ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲଆଇସି ଶେୟାରର ସ୍ଥାୟୀ ମୂଲ୍ୟ ୯୪୯ ଟଙ୍କା ଘୋଷଣା କରାଯାଇଛି। ଆଇପିଓ ଇସ୍ୟୁ ସମୟରେ ଏଲଆଇସି ପିଲିସିଧାରୀମାନେ ପ୍ରତି ଶେୟାରକୁ ୮୮୯ ଟଙ୍କା ଏବଂ ସାଧାରଣ ନିବେଶକମାନେ ୯୦୪ ଟଙ୍କାରେ କିଣିଥିଲେ। ତେବେ ଆଇପିଓର ସର୍ବୋଚ୍ଚ ସୀମା ମୂଲ୍ୟ କେନ୍ଦ୍ର ସରକାର ୯୪୯ ଟଙ୍କା ସ୍ଥିର କରିଥିବା ଶୁକ୍ରବାର ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ବୀମା ନିଗମରେ ରହିଥିବା ସରକାରୀ ଅଂଶଧନ ମଧ୍ୟରୁ ୩.୫ ପ୍ରତିଶତ ଅଂଶ କେନ୍ଦ୍ର ସରକାର ଆଇପିଓ ଜାରି କରି ବିକ୍ରି କରିଥିଲେ। ପ୍ରତି ଶେୟାର ପିଛା ମୂଲ୍ୟ ୯୦୨ ରୁ ୯୪୯ ଟଙ୍କା ମଧ୍ୟରେ ରଖାଯାଇ ମୋଟ ୨୨.୧୩ କୋଟି ଶେୟାର ବିକ୍ରି କରାଯାଇଥିଲା। ତେବେ ଏଲଆଇସି କର୍ମଚାରୀଙ୍କୁ ଶେୟାର ପିଛା ୪୫ ଟଙ୍କା ଏବଂ ପଲିସିଧାରୀଙ୍କୁ ୬୦ ଟଙ୍କା ରିଆତି ଦିଆଯାଇଥିଲା।