ବିଶ୍ୱର ପ୍ରଥମ ଟ୍ରିଲିୟନେୟାର ହେବେ ଏଲନ୍‌ ମସ୍କ, ମୋଟ୍ ସମ୍ପତ୍ତି ୭୫୦ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ

ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଶିଳ୍ପପତି ଏଲନ୍‌ ମସ୍କଙ୍କର ମୋଟ ସମ୍ପତ୍ତି ବଢି ୭୫୦ ବିଲିୟନ ଡଲାର ଅତିକ୍ରମ କରିଛି। ଏହା ଭାରତର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାର ଠାରୁ ମଧ୍ୟ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ  (ଆରବିଆଇ)ଙ୍କ ଅନୁସାରେ ୧୨ ଡିସେମ୍ବରରେ ସମାପ୍ତ ହୋଇଥିବା ସପ୍ତାହରେ ଭାରତର ମୋଟ ବୈଦେଶିକ ମୁଦ୍ରାଭଣ୍ଡାର ୬୮୮.୯୪୯ ବିଲିୟନ ଡଲାର ରହିଛି। ଏଡାଛଡା ମସ୍କଙ୍କ ସମ୍ପତ୍ତି ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳର ଜିଡିପିଠାରୁ ଅଧିକ ହୋଇଛି। ତାଙ୍କର ନିଟ୍ ସମ୍ପତ୍ତି ମୂଲରେ ମାତ୍ର  ୪ ଦିନରେ ୧୫୦ ବିଲିୟନ ଡଲାର (୧୩.୪୬ ଲକ୍ଷ କୋଟି ଟଙ୍କା) ବୃଦ୍ଧି ପାଇଛି। ସମ୍ପତି ଏହି ସ୍ତରରେ ପହଞ୍ଚିବାରେ ମସ୍କ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି। ପୂର୍ବରୁ, ଡିସେମ୍ବର ୧୬ରେ ତାଙ୍କର ସମ୍ପତ୍ତି ପରିମାଣ ୬୦୦  ବିଲିୟନ ଡଲାର ୫୪ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଥିଲା। ତାଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ଡେଲାୱେର ସୁପ୍ରିମକୋର୍ଟର ନିଷ୍ପତ୍ତିରୁ ଆସିଥିଲା, ଯାହା ମସ୍କଙ୍କ ୫୬ ବିଲିୟନ ଟେସଲା ପେ ପ୍ୟାକେଜକୁ ୧୩୯ ବିଲିୟନ ଡଲାରକୁ ବୃଦ୍ଧି କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଡେଲାୱେର ସୁପ୍ରିମକୋର୍ଟ ଶୁକ୍ରବାର ମସ୍କଙ୍କ ୨୦୧୮ ବେତନ ପ୍ୟାକେଜ ଲାଗୁ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଡେଲାୱେର କୋର୍ଟ ଟେସ୍‌ଲା ପକ୍ଷରୁ ମସ୍କଙ୍କୁ ଦିଆଯାଉଥିବା ବେତନ ପ୍ୟାକେଜକୁ ୨୦୨୪ରେ ରଦ୍ଦ କରିଦେଇଥିଲା। ୨୦୧୮ ପ୍ୟାକେଜ୍ ଶୁକ୍ରବାର ଟେସ୍‌ଲା ଷ୍ଟକ୍ ମୂଲ୍ୟ ଆଧାରରେ ପାଖାପାଖି ୧୩୯ ବିଲିୟନ ଡଲାର ଥିଲା। ଯଦି ମସ୍କ ଏହି ବେତନ ପ୍ୟାକେଜର ସମସ୍ତ ଷ୍ଟକ୍ ବିକଳ୍ପ ଉପଯୋଗ କରନ୍ତି ତାଙ୍କ ଭାଗ ପାଖାପାଖି ୧୨.୪%ରୁ ବଢି ୧୮.୧% ହୋଇଯିବ। ସମ୍ପତ୍ତିରେ ହୋଇଥିବା ତାଜା ବୃଦ୍ଧି ମସ୍କଙ୍କୁ ବିଶ୍ୱର ପ୍ରଥମ ଟ୍ରିଲିୟନେୟର ହେବା ଲାଗି ମାର୍ଗ ସୁଗମ କରିଛି। 

ଫୋର୍ବସ ଅନୁସାରେ ସୋମବାର ମସ୍କଙ୍କ ମୋଟ ସମ୍ପତ୍ତି ପାଖାପାଖି ୬୭୭ ବିଲିୟନ ଡଲାର ରହିଥିଲା। ମସ୍କଙ୍କ ସମ୍ପତ୍ତିରେ ଏପରି ବୃଦ୍ଧି ତାଙ୍କ ସ୍ପେସ୍ କମ୍ପାନୀ ସ୍ପେସ୍-ଏକ୍ସ ଯୋଗୁ ହୋଇଛି। ସ୍ପେସ୍-ଏକ୍ସ ଆଗାମୀ ବର୍ଷ ୧.୫ ଟ୍ରିଲିୟନ ଡଲାରର ଆଇପିଓ ଆଣିବାକୁ ପ୍ରସ୍ତୁତି କରୁଛି। ନିକଟରେ କମ୍ପାନୀର ମୂଲ୍ୟାୟନ ୮୦୦ ବିଲିୟନ ଡଲାରକୁ ପହଞ୍ଚିଛି। ମସ୍କଙ୍କ ନିକଟରେ ସ୍ପେସ-ଏକ୍ସର ପାଖାପାଖି ୪୨% ଅଂଶିଦାରୀ ରହିଛି। କମ୍ପାନୀର ମୂଲ୍ୟାୟନ ବୃଦ୍ଧି ଯୋଗୁ ମସ୍କଙ୍କ ସମ୍ପତ୍ତିରେ ୧୬୮ ବିଲିୟନ ଡଲାର ବୃଦ୍ଧି ହୋଇଛି।

About The Author: Madhusudan Das