ସାର୍ବଭୌମତ୍ୱ ପ୍ରତି ବିପଦ

ଗତ ତିନିମାସ ମଧ୍ୟରେ ଦେଶରେ ଏଭଳି କେତେକ କ୍ଷୀଣ ଅଥଚ ସୁଦୂରପ୍ରଭାବଶାଳୀ ସ୍ୱର ଉଠିଛି, ଯାହା ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି କୁହାଯାଇପାରେ। ଗତ ଜୁଲାଇ ମାସର ପ୍ରଥମାର୍ଦ୍ଧରେ ସ୍ୱତନ୍ତ୍ର ଭିଲ୍‌‌ ପ୍ରଦେଶ ଗଠନ ପାଇଁ ସ୍ୱର ଉଠିଥଥିବା ବେଳେ ଗତ ସେପ୍ଟେମ୍ବର ମାସରେ ତ୍ରିପୁରା-ମିଜୋରାମ୍‌‌ରେ ସ୍ଥାନୀୟ ପାରମ୍ପରିକ ଅଧିବାସୀଙ୍କ ଅସନ୍ତୋଷର ବହ୍ନି ଏବଂ ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ନାଗାଲାଣ୍ଡକୁ ଅଧିକ ସ୍ୱାୟତ୍ତ କ୍ଷମତା ଓ ସ୍ୱାଧୀନତା ସପକ୍ଷରେ ଉଠିଥିବା […]

ଗତ ତିନିମାସ ମଧ୍ୟରେ ଦେଶରେ ଏଭଳି କେତେକ କ୍ଷୀଣ ଅଥଚ ସୁଦୂରପ୍ରଭାବଶାଳୀ ସ୍ୱର ଉଠିଛି, ଯାହା ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି କୁହାଯାଇପାରେ। ଗତ ଜୁଲାଇ ମାସର ପ୍ରଥମାର୍ଦ୍ଧରେ ସ୍ୱତନ୍ତ୍ର ଭିଲ୍‌‌ ପ୍ରଦେଶ ଗଠନ ପାଇଁ ସ୍ୱର ଉଠିଥଥିବା ବେଳେ ଗତ ସେପ୍ଟେମ୍ବର ମାସରେ ତ୍ରିପୁରା-ମିଜୋରାମ୍‌‌ରେ ସ୍ଥାନୀୟ ପାରମ୍ପରିକ ଅଧିବାସୀଙ୍କ ଅସନ୍ତୋଷର ବହ୍ନି ଏବଂ ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ନାଗାଲାଣ୍ଡକୁ ଅଧିକ ସ୍ୱାୟତ୍ତ କ୍ଷମତା ଓ ସ୍ୱାଧୀନତା ସପକ୍ଷରେ ଉଠିଥିବା ସ୍ୱର ଭାରତୀୟ ଅଖଣ୍ଡତା ଓ ସ୍ଥିରତାକୁ ଅନେକ ପ୍ରଶ୍ନବାଚୀର ବଳୟ ଭିତରକୁ ଠେଲି ଦେଉଛି। ବିଶେଷକରି ଅଶାନ୍ତ ମଣିପୁର ଓ ବାଂଲାଦେଶର ଅସ୍ଥିର ରାଜନୀତି ଭାରତର ସାର୍ବଭୌମ ପ୍ରତି ଉଠିଥିବା ପ୍ରଶ୍ନଚିହ୍ନକୁ ଆହୁରି ସଘନ କରିଛି।

ଗତ ଜୁଲାଇ ୧୮ ତାରିଖରେ ରାଜସ୍ଥାନର ମାନଗଡ଼଼ ଧାମରେ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଗୁଜରାଟ ଓ ମହରାଷ୍ଟ୍ରର ୪୯ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଭିଲ୍‌‌ ପ୍ରଦେଶ ଗଠନ ପାଇଁ ପୁଣି ଥରେ ଦାବି ଜୋର ଧରିଛି। ଜାଲିୱାନାୱାଲାବାଗ ଘଟଣାର ପ୍ରାୟ ୬ ବର୍ଷ ପୂର୍ବରୁ ୧୯୧୩ ନଭେମ୍ବର ୧୭ ତାରିଖରେ ‘ଆଦିବାସୀ ଜାଲିଆନାୱାଲବାଗ୍‌‌’ ଭାବରେ ବିଦିତ ମାନଗଡ଼଼଼ ହତ୍ୟାକାଣ୍ଡରେ ଶହ ଶହ ଭିଲ୍‌‌ ଆଦିବାସୀ ବ୍ରିଟିଶ୍‌‌ ଗୁଳିରେ ଟଳି ପଡ଼ିଥିଲେ। ତେଣୁ ସହିଦ ଭିଲ୍‌‌ମାନଙ୍କର ସମ୍ମାନାର୍ଥେ ସ୍ୱତନ୍ତ୍ର ଭିଲ୍‌‌ ପ୍ରଦେଶ ଗଠନ ପାଇଁ ୧୯୧୩ ମସିହାରୁ ଗୋବିନ୍ଦ ଗୁରୁଙ୍କ ଦ୍ୱାରା ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। କିନ୍ତୁ ସ୍ୱାଧୀନତା ପରେ ଆଦିବାସୀମାନେ ବହୁଧା ବିଭକ୍ତ ହୋଇଯିବାରୁ ସ୍ୱର ଥମିଗଲା। ଏବେ ଏହି ଆନ୍ଦୋଳନକୁ ୨୦୧୭ରେ ଭାରତୀୟ ଟ୍ରାଇବାଲ୍‌‌ ପାର୍ଟି ପୁଣି ଥରେ ଜୋରଦାର କରିଛି। ୨୦୧୧ ଜନଗଣନା ଅନୁଯାୟୀ ଏହି ଅଞ୍ଚଳରେ ଆଦିବାସୀଙ୍କ ସଂଖ୍ୟା ରାଜସ୍ଥାନ ଜନସଂଖ୍ୟାର ୧୪% ଥିବାରୁ କ୍ରମଶଃ ଝାଡ଼ଖଣ୍ଡ ପଦାଙ୍କ ଅନୁସରଣ କରି ସ୍ୱତନ୍ତ୍ର ଭିଲ୍‌‌ ପ୍ରଦେଶ ଗଠନ ଦାବି ଉପରୋକ୍ତ ଚାରି ରାଜ୍ୟକୁ ବ୍ୟାପିବାରେ ଲାଗିଛି।

ତ୍ରିପୁରା-ମିଜୋରାମ୍‌‌ ସମେତ ବାଂଲାଦେଶ ସୀମାନ୍ତରେ ରହୁଥିବା ଚକ୍‌‌ମା ଜନଜାତି ଗୋଷ୍ଠୀର ଲୋକଙ୍କୁ ମୋହରା କରାଯାଉଥିବା ଅଭିଯୋଗ ଆଣି ସେମାନେ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତ ସେପ୍ଟେମ୍ବର ମାସରେ ପତ୍ର ଲେଖିଛନ୍ତି। ବିଶେଷକରି ଚିଟ୍ଟାଗଙ୍ଗ ପାର୍ବତ୍ୟମାଳାରେ ଏହି ମୂଳ ଆଦିବାସୀଙ୍କ ଉପରେ ବାଂଲାଦେଶ ସେନା ଓ ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ବଢ଼଼ିବାରେ ଲାଗିଛି। ଉପାସନା ପୀଠଗୁଡ଼ିକ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିପାରୁନାହିଁ। ସ୍ୱାଭାବିକ ଭାବେ ଜନଜାତିଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି ଏବଂ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚକ୍‌‌ମା ସମ୍ପ୍ରଦାୟ ବାଂଲାଦେଶର ଚିଟାଗଙ୍ଗ ପାହାଡ଼ିଆ ଅଞ୍ଚଳ ସମେତ ଚୀନ୍‌‌, ମ୍ୟାାଁମାର, ମିଜୋରାମ୍‌‌ର ଉତ୍ତର-ପୂର୍ବ ପାହାଡ଼ି ଇଲାକା, ଭାରତ-ବାଂଲାଦେଶ ସୀମାନ୍ତ, ତ୍ରିପୁରାର ଉତ୍ତର ଓ ଦାକ୍ଷିଣାତ୍ୟ ଜିଲ୍ଲା, ଅରୁଣାଚଳ ପ୍ରଦେଶ, ଆସାମ୍‌‌, ପଶ୍ଚିମବଙ୍ଗର କେତେକ ଜିଲ୍ଲା ଆଦିରେ ବିସ୍ତାରିତ ଭାବେ ରହିଛନ୍ତି। ସେମାନେ ସବୁବେଳେ ଅବହେଳିତ କିନ୍ତୁ ଐକ୍ୟବଦ୍ଧ। ଚିଟାଗଙ୍ଗ ସମେତ ଭାରତ-ବାଂଲା-ମ୍ୟାଁମାର ସୀମାନ୍ତର କେତେକ ଅଞ୍ଚଳକୁ ନେଇ ଆମେରିକା ଈଶାଇ ରାଷ୍ଟ୍ରର ପରିକଳ୍ପନା କରୁଥିବାରୁ ଏବେ ସେଠାରେ ଏଭଳି ଅସ୍ଥିରତା ସୃଷ୍ଟିର ଯୋଜନା କରୁଥିବା ମଧ୍ୟ ଅବିଶ୍ୱସନୀୟ ନୁହେଁ। ଏବେ ଚକ୍‌‌ମା ସମ୍ପ୍ରଦାୟର ଅସନ୍ତୁଷ୍ଟମାନଙ୍କୁ ପ୍ରଲୋଭିତ କରି ଚୀନ୍‌‌ ସେଥିରୁ ଫାଇଦା ଉଠାଇବା ଆଶଙ୍କା ଅଧିକ। ବାଂଲାଦେଶ ଓ ମଣିପୁରର ଆଶାନ୍ତ ପରିବେଶରୁ ବାହ୍ୟ ଶକ୍ତି ଫାଇଦା ଉଠାଇଲେ ଚୋକ୍‌‌ମାମାନେ ମଧ୍ୟ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବି କରିବା ଅସମ୍ଭବ ନୁହେଁ।

୧୯୬୩ ମସିହାରେ ଭାରତ ସରକାର ଓ ନାଗା ପିପୁଲ୍‌‌ କନ୍‌‌ଭେନ୍‌‌ସନ ମଧ୍ୟରେ ୧୬ – ୧୬ ପଏଣ୍ଟ ରାଜିନାମା ଆଧାରରେ ଆସାମଠାରୁ ଅଲଗା ହୋଇ ଗଠିତ ସ୍ୱତନ୍ତ୍ର ନାଗାଲାଣ୍ଡକୁ ସ୍ୱତନ୍ତ୍ରତା ଓ ସ୍ୱାୟତ୍ତତା ଦାବିର ସ୍ୱର ପୁଣି ତେଜିୟାନ୍‌‌ ହୋଇଛି। ଚୁକ୍ତିନାମା ଅନୁଯାୟୀ ନାଗାଲାଣ୍ଡର ଛଅଟି ଜିଲ୍ଲାକୁ ସ୍ୱାୟତ୍ତ ଶାସନ କ୍ଷମତା ୧୦ ବର୍ଷ ପାଇଁ ଦିଆଯାଇଥିଲା। ଏହି କ୍ଷମତା ବଳରେ ୩୫ ସଦସ୍ୟ ବିଶିଷ୍ଟ ଆଞ୍ଚଳିକ ପରିଷଦ ଗଠିତ ହୋଇଥିଲା। ଏହି ପରିଷଦ ବିଧାନସଭାକୁ ଜନପ୍ରତିନିଧି ଚୟନ କରୁଥିଲେ। ଚୁକ୍ତି ଅବଧି ସମାପ୍ତ ପରେ ୧୯୭୩ରେ ସେଠାରେ ପ୍ରତ୍ୟକ୍ଷ ବିଧାନସଭା ନିର୍ବାଚନ ଅନୁଷଠିତ ହେଲା। କିନ୍ତୁ ଏବେ ପୁଣି ଥରେ ସେହି କ୍ଷମତା ଓ ବ୍ୟବସ୍ଥା ପୁନଃବାହାଲ ପାଇଁ ଦାବି ଜୋର ଧରିଛି। ନାଗାଲାଣ୍ଡର ୬ଟି ଜିଲ୍ଳା କାଇଫିରେ, ଲୋଙ୍ଗଲେଙ୍ଗ, ମନ୍‌‌, ନୋକଲାକ୍‌‌, ଶାମାଟର ଓ ହୁଏନ୍‌‌ସାଂ ସେଠାକାର ଆଦିମ ଅଧିବାସୀ ସମ୍ପ୍ରଦାୟ କୋନ୍ୟାକ୍‌‌, ଖିଆମ୍‌‌ନିୟୁନଗାଁ, ଚାଙ୍ଗ, ସାଙ୍ଗଟାମ୍‌‌, ଟିଖିର, ଫୋମ୍‌‌ ଓ ୟିମ୍‌‌ଖିୟୁଙ୍ଗକୁ ପ୍ରତିନିଧିତ୍ୱ କରେ। ସେହି ଆଦିମ ଅଧିବାସୀମାନେ ନାଗାଲାଣ୍ଡର ମୋଟ ଜନସଂଖ୍ୟାର ୩୦% ଏବଂ ୬୦ ଆସନ ବିଶିଷ୍ଟ ବିଧାନସଭାର ଏକ-ତୃତୀୟାଂଶକୁ ପ୍ରତିନିଧିତ୍ୱ କରନ୍ତି। ସେଠାକାର ପ୍ରଭାବଶାଳୀ ଗୋଷ୍ଠୀ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍‌‌ ଅର୍ଗାନାଇଜେସନ୍‌‌(ଇଏନ୍‌‌ପିଓ) ୨୦୧୦ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟାଳୟକୁ ନାଗାଲାଣ୍ଡର ସ୍ୱାୟତ୍ତତା ଦାବିରେ ଏକ ସ୍ମାରକପତ୍ର ଦେଇଥିଲା। ଦୀର୍ଘ ଦଶନ୍ଧି ଧରି ବିଚାରାଧୀନ ରହିବା ପରେ ୨୦୨୩ ଅଗଷ୍ଟ ମାସରେ ସେଠାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ବେଳେ ଏହି ପ୍ରସଙ୍ଗ ପୁଣି ଥରେ ତେଜୀୟାନ ହେଲା। ଦାବି ପୂରଣ ନ ହେଲେ ଛଅଟି ଜିଲ୍ଲାବାସୀ ୨୦୨୪ ସାଧାରଣ ନିବାଚନ ବର୍ଜନ କରିବ ବୋଲି ଇଏନ୍‌‌ପିଓ ଧମକ ଦେଇଥିଲା। କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆପୋସ ଆଲୋଚନା ପରେ ଭୋଟଦାନ ବର୍ଜନ ନିଷ୍ପତ୍ତିରୁ ଇଏନ୍‌‌ପିଓ ଓହରି ଆସିଥିଲା। ପରବର୍ତ୍ତୀ ସମୟରେ ଅନେକ ଥର ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରି ନାହିଁ। ଚଳିତ ବର୍ଷ ପ୍ରାରମ୍ଭରେ କେନ୍ଦ୍ର ସରକର ଏକ ଚିଠା ସ୍ମାରକପତ୍ର ପଠାଇ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିବା ପରେ ଇଏନ୍‌‌ପିଓର ଅସନ୍ତୋଷ ଆହୁରି ବଢ଼଼ିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନାଗାଲାଣ୍ଡର କେତେକ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ବିଧାନପାଳିକା, କାର୍ଯ୍ୟନିର୍ବାହୀ ଓ ଆର୍ଥିକ କ୍ଷମତା ସହିତ ‘ସ୍ପେଶାଲ୍‌‌ ଫ୍ରଣ୍ଟିୟର ନାଗା ଟେରିଟୋରି’ ଗଠନ ପାଇଁ ଆଲୋଚନା ଆରମ୍ଭ ହୋଇଛି। ଏହା ରୂପାୟନ ହେଲେ କାଶ୍ମୀର ପରି ନାଗାଲାଣ୍ଡ ମଧ୍ୟ ସମ୍ବିଧାନର ୩୭୧ ଧାରା(ଏ) ଆଧାରରେ କେତେକ ସ୍ୱତନ୍ତ୍ର କ୍ଷମତା ଉପଭୋଗ କରିବ। ଭାରତର ସାର୍ବଜନୀନ ଆଇନ କାନୁନ ସେଠାରେ ଲାଗୁ ହେବ ନାହିଁ।

ମଣିପୁରରେ ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ଜାରି ଉତ୍ତେଜନା ଓ ହିଂସା ଥମିନାହିଁ। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁଁଁ ଭାରତରେ ଅନୁପ୍ରବେଶ ସମସ୍ୟା ବଢ଼଼ିବାରେ ଲାଗିଛି। ରୋହିଙ୍ଗ୍ୟା ଶରଣାର୍ଥୀ ଅନୁପ୍ରବେଶ ସମସ୍ୟା ସମଗ୍ର ଉତ୍ତର-ପୂର୍ବ ଭାରତ ଓ ବାଂଲାଦେଶ ପାଇଁ ଚିନ୍ତା ବଢ଼଼ାଇ ଚାଲିଛି। ଏଭଳି ସମୟରେ ଭାରତ ପାଇଁ ଉପରୋକ୍ତ ତିନି ଘଟଣା ନୂଆ ସମସ୍ୟା ରୂପେ ଦେଖାଦେଇଛି। ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହୋଇପାରେ।

About The Author: The Sakala