କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ର କେତେକ ଧାରା ସଂଶୋଧନ କରାଯିବାକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣି ଆସନ୍ତା ୨୦୨୩ ଏପ୍ରିଲ ୨୦ରେ ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୂରଲୀଧର ଓ ବିଚାରପତି ଜଷ୍ଟିସ ମୁରାରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ଏହି ଦିନ ମାମଲାରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଆବେଦନକାରୀ ଏହା ଉପରେ ପ୍ରତିଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉକି ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ର ଧାରା ୧୬(୨)ରେ କରାଯାଇଥିବା ସଂଶୋଧନ ଏହି ବିଚାରାଧୀନ ମାମଲାର ରାୟ ଉପରେ ନିର୍ଭର କରିବ ବୋଲି ଖଣ୍ଡପୀଠଙ୍କ ପୂର୍ବ ନିର୍ଦ୍ଦେଶ ରହିଛି। ତେବେ ଏହି ମାମଲାର ରାୟକୁ ଉଭୟ ପକ୍ଷଙ୍କ ଅପେକ୍ଷା ରହିଛି। ମାମଲାରୁ ପ୍ରକାଶଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୪ର ଧାରା ୧୬(୨)ର ସଂଶୋଧନ କରିଥିଲେ ରାଜ୍ୟ ସରକାର। ଏହାକୁ ଗତ ଜାନୁଆରୀରେ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ଏହି ଆଇନର ପୂର୍ବରୁ ଥିବା ଉପରୋକ୍ତ ଧାରା ଅନୁସାରେ ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୌଣସି ଅସ୍ଥାବର ସମ୍ପତ୍ତି ଦଖଲକୁ ନେଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବିକ୍ରି କରିପାରିବ ନାହିଁ କିମ୍ବା କାହାକୁ ଲିଜ୍ ସୂତ୍ରରେ ଦେଇପାରିବ ନାହିଁ।
ଏହାକୁ କୌଣସି ପରିସ୍ଥିତିରେ ସରକାରଙ୍କ ଅନୁମତି ବିନା ବନ୍ଧକ ମଧ୍ୟ ରଖାଯାଇପାରିବ ନାହିଁ। କିନ୍ତୁ ଏହି ଆଇନରେ ସଂଶୋଧନ ଅଣାଯିବା ଦ୍ୱାରା ସମସ୍ତ କ୍ଷମତା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ହାତକୁ ଯାଇଛି। ଏଥିପାଇଁ ଆଉ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ଏହାକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।