ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି ! ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ

ଡେଲାଙ୍ଗ: ମଧ୍ୟାହ୍ନ ଭୋଜନରେ ଝିଟିପିଟି ସନ୍ଦେହ, ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନେ ଖାଦ୍ୟ ଖାଉଥିବା ବେଳେ ସେଥିରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିଥିଲେ । ସେହି ଖାଦ୍ୟ ଖାଇ କିଛି ଛାତ୍ରଛାତ୍ରୀ ବାନ୍ତି କରିବା ସହ ଅସୁସ୍ଥ ଅନୁଭବ କରିଥିଲେ । ତେବେ ପରେ ପ୍ରାୟ ୩୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି ।

ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ପିଲାଙ୍କୁ ତୁରନ୍ତ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ) କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି।

ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବହୁ ସଂଖ୍ୟାରେ ଅଭିଭାବକ ଏବଂ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ରୁଣ୍ଡ ହୋଇଥିଲେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଦାୟିତ୍ୱହୀନତା ପାଇଁ ସ୍କୁଲର ରୋଷେୟା ଏବଂ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏହି ଘଟଣାକୁ ଗୁରୁତର ସହ ନେଇ ବିଭାଗୀୟ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

About The Author: Madhusudan Das