ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ପୁନରୁଦ୍ଧାର ତଥା ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକାମ୍ର ପ୍ରକଳ୍ପ (ଏକାମ୍ର କ୍ଷେତ୍ର ଆମିନିଟିଜ୍ ଆଣ୍ଡ ମନୁମେଣ୍ଟ ରିଭାଇଭାଲ୍ ଆକ୍ସନ୍) କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାରମ୍ପରିକ ଯଜ୍ଞ ନୀତିରେ ଏକାମ୍ର ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହି ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାକୁ ଥିବା ବେଳେ ୨୮ ତାରିଖର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏହି ମହୋତ୍ସବ ପାଇଁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁସାଗର ପୁଷ୍କରିଣୀ ଓ ଅନ୍ୟାନ୍ୟ ଛୋଟ ଛୋଟ ମନ୍ଦିରଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଉଛି।
ଜୁନ୍ ୨୭ ଓ ୨୮ ତାରିଖ ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ହରିହରନ୍, ଅନନ୍ତ ସୁବ୍ରମଣି, ଅଭିଲିପ୍ସା ପଣ୍ଡା, ଅନନ୍ୟା ନନ୍ଦ, ନୀଳାଦ୍ରି କୁମାର ଏବଂ ଅନ୍ୟ ସୁନାମଧନ୍ୟ କଳାକାରମାନଙ୍କ ମନଛୁଅାଁ ସଙ୍ଗୀତ ପରିବେଷଣ କରିବେ। ଅନ୍ୟପକ୍ଷରେ ଏହି ମହୋତ୍ସବ ନିମନ୍ତେ ପ୍ରଶାସନ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୨୬ ତାରିଖରୁ ଭୂମିପୂଜନର ଅଙ୍କୁରୋପଣ ଆରମ୍ଭ କରାଯିବ। ଏହା ପରେ ଆସନ୍ତା ୨୭ ତାରିଖରେ ପ୍ରାତଃ କଳସ, ଗୁରୁ ପୂଜନ, ଦୀପ ସ୍ଥାପନ, ପଞ୍ଚକର୍ମ, ସୂର୍ଯ୍ୟପୂଜା ଓ ଗୋ ପୂଜା ଇତ୍ୟାଦି କରାଯାଇ ଅଗ୍ନି ସ୍ଥାପନ ଓ ଯଜ୍ଞ କର୍ମ ଇତ୍ୟାଦି କରାଯିବ।
ସେହିଭଳି ୨୮ ତାରିଖରେ ଶିଳାନ୍ୟାସ ହୋଇ ଶିଳାପ୍ରସ୍ତର ସ୍ଥାପନ ହେବା ସହ ଯଜ୍ଞର ପୂର୍ଣ୍ଣାହୂତି ହେବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ମଧ୍ୟରେ ଏକାମ୍ର ନଗରୀର ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ପୁନରୁଦ୍ଧାର କାର୍ଯ୍ୟ ସାମିଲ ରହିଛି। ଏହା ସହ ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ାର ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ। ଏଥି ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରିକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାର୍ଶ୍ବରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ।
କେଉଁବାଟେ ଯିବେ
– ସମସ୍ତ ପ୍ରକାରର ଭାରିଯାନ କିମ୍ବା ପର୍ଯ୍ୟଟକ ବସ୍ ରବି ଟକିଜ ଛକ ଦେଇ ସାନିଟୋରିୟମ ଛକ ନିକଟରେ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନରେ ଗାଡ଼ି ରଖିବେ।
– ରଥରୋଡ୍ ଦେଇ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନଗୁଡ଼ିକ ବଢ଼େଇ ବାଙ୍କରେ ଥିବା ମୁନ୍ନା ମେଡିକାଲ ଛକ ଠାରୁ ଡାହାଣ ପଟରେ ବିଏମ୍ସି ହସ୍ପିଟାଲ ରାସ୍ତାରେ ଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ଗାଡ଼ିଗୁଡିକ ପାର୍କିଂ କରିବେ।
– ଗ୍ୟାରେଜ ଛକ ପଟୁ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନଗୁଡ଼ିକ ପୂର୍ବେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଆସି ସେଠାରେ ନିର୍ଦ୍ଧାରିତ ହୋଇଥିବା ପାର୍କିଂସ୍ଥଳରେ ଗାଡ଼ି ରଖିପାରିବେ।
– ରବି ଟକିଜ ଛକ ପଟୁ ଆସୁଥିବା ଦୁଇଚକିଆ ଯାନଗୁଡିକ ମା ଚିତ୍ରାଳୟ ରୋଡରେ ଆସି କଚରା ପିଣ୍ଡି ଠାରୁ କେଦାରଗୌରୀ ମନ୍ଦିର କିମ୍ବା କୋଟି ତୀର୍ଥ ଲେନ୍ରେ ଥିବା ତିରଙ୍ଗା କ୍ଲବ ପାଖରେ ଗାଡ଼ିଗୁଡିକ ପାର୍କିଂ କରିପାରିବେ।
– ତରା ସୁନ୍ଦରୀ ରୋଡ ଦେଇ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନଗୁଡିକ ବି.ଏମ୍ ହାଇସ୍କୁଲ ଫାଟକ ଦେଇ ସ୍କୁଲ ପଡ଼ିଆରେ ଗାଡ଼ିଗୁଡିକ ରଖିପାରିବେ।
– କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନଗୁଡ଼ିକ କେଦାର ଲେନ୍ ଠାରୁ ସବ୍ଷ୍ଟେସନ ରୋଡ ଦେଇ ପୂର୍ବେଶ୍ୱରୀ ମନ୍ଦିର ଯାଏଁ ଯାଇପାରିବ।
– ଗ୍ୟାରେଜ ଛକ କିମ୍ବା ସାମନ୍ତରାପୁର ଛକ ଦେଇ କୌଣସି ପ୍ରକାରର ଭାରିଯାନ ଲିଙ୍ଗରାଜ ମନ୍ଦିର ଆଡ଼କୁ ଯାଇପାରିବେ ନାହିଁ।
ଭୂମିପୂଜା ଲାଗି ସୁରକ୍ଷା କଡ଼ାକଡ଼ି
ଜଗିବେ ୧୪ ପ୍ଲାଟୁନ ପୁଲିସ ଫୋର୍ସ, ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ
ତିନିଦିନ ଧରି ଏକାମ୍ର ଭୂମିପୂଜା ଲାଗି ପ୍ରସ୍ତୁତି ଶେଷ ହୋଇଛି। ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୋମ ଓ ଅନ୍ୟାନ୍ୟ ଉତ୍ସବ ହେବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ଏହି ଭୂମିପୂଜା ଉତ୍ସବରେ ୧୪ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯିବ। ଏଥିସହ ଜଣେ ଅତିରିକ୍ତ ଡିସିପି, ୫ ଜଣ ଏସିପି,୯ ଜଣ ଆଇଆଇସି ସୁରକ୍ଷା ଦାୟିତ୍ୱରେ ରହିବେ। ସେହିପରି ୩ଟି ସିଫ୍ଟରେ ୨୪ ଘଣ୍ଟା ପୁଲିସ ଅଧିକାରୀ ନିୟୋଜିତ ରହିବେ। ମନ୍ଦିର ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ଓ କଣ୍ଟ୍ରୋଲ ରୁମ ଖୋଲିଛି। ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ୍ଶୃଙ୍ଖଳା ଓ ଛିନ୍ତାଇ ରୋକିବା ସହ ପୂରା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ବିଶେଷକରି ଟ୍ରାଫିକ ପରିଚାଳନା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି।
କେଉଁଠି ରଖିବେ ଗାଡ଼ି
– ସାନିଟୋରିୟମ ଛକ: ବସ୍ ଏବଂ ଚାରିଚକିଆ ଯାନ
– ବିଏମ୍ ହାଇସ୍କୁଲ ପଡ଼ିଆ: ଦୁଇଚକିଆ ଓ ଚାରିଚକିଆ ଯାନ
– ହାଟସାହି ବରଗଛ ପାଖରେ ଥିବା ଖୋଲା ସ୍ଥାନ: ଭିଆଇପି ପାର୍କିଂ
– ଏସ୍ଏମ୍ ହାଇସ୍କୁଲ ଠାରୁ ବିଏମ୍ସି ହସ୍ପିଟାଲ ଖୋଲା ସ୍ଥାନ: ଭିଆଇପି ପାର୍କିଂ
– ଲିଙ୍ଗରାଜ ହାଟ ଥାନା ମଝିରେ ଥିବା ଗଳି ସ୍ଥାନ: ଗଣମାଧ୍ୟମ ପ୍ରତିନିଧି, ପୁଲିସ ଓ ଅନ୍ୟ ସରକାରୀ ଯାନବାହନ
– ହାଟ ଓ ଲିଙ୍ଗରାଜ ଥାନା ଦକ୍ଷିଣ ପାର୍ଶ୍ବରେ ଥିବା ସ୍ଥାନ: ଗଣମାଧ୍ୟମ ଓବି ଭ୍ୟାନ