ସଭାପତିଙ୍କ ସାମ୍ନାରେ ମାଡ୍‌ପିଟ୍‌ ହେଉଛି, ତା’ପରେ ବିଜେପି ସରକାର ଗଠନ କଥା କହିବା ହାସ୍ୟାସ୍ପଦ : ନରସିଂହ ମିଶ୍ର

ବଲାଙ୍ଗୀର : ଗତକାଲି ବଲାଙ୍ଗୀରରେ ରାଜ୍ୟ ସଭାପତିଙ୍କ ସାମ୍ନାରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ସମୟରେ ବଳରାମ ସିଂହ ଯାଦବ ଓ ସଙ୍ଗୀତା ସିଂହଦେଓଙ୍କ ଗୋଷ୍ଠୀ ମଧ୍ୟରେ ବାଡ଼ିଆପିଟା ହୋଇଥିଲେ । ପରିସ୍ଥିତି ଏପରି ହୋଇଛି ଯେ ଲୋକଲଜ୍ଜା ଭୟରେ ରାଜ୍ୟ ସଭାପତି ଶ୍ରୀ ସାମଲ ସ୍ୱାଗତ ଶୋଭାଯାତ୍ରା ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଯାହାକୁ ନେଇ ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଜେପିକୁ କଟାକ୍ଷ କରିଛନ୍ତି। […]

ବଲାଙ୍ଗୀର : ଗତକାଲି ବଲାଙ୍ଗୀରରେ ରାଜ୍ୟ ସଭାପତିଙ୍କ ସାମ୍ନାରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ସମୟରେ ବଳରାମ ସିଂହ ଯାଦବ ଓ ସଙ୍ଗୀତା ସିଂହଦେଓଙ୍କ ଗୋଷ୍ଠୀ ମଧ୍ୟରେ ବାଡ଼ିଆପିଟା ହୋଇଥିଲେ । ପରିସ୍ଥିତି ଏପରି ହୋଇଛି ଯେ ଲୋକଲଜ୍ଜା ଭୟରେ ରାଜ୍ୟ ସଭାପତି ଶ୍ରୀ ସାମଲ ସ୍ୱାଗତ ଶୋଭାଯାତ୍ରା ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଯାହାକୁ ନେଇ ଆଜି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବିଜେପିକୁ କଟାକ୍ଷ କରିଛନ୍ତି।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି ବିଜେପି ଯାହାକିଛି କରୁଛି ସେଇଟା ସଇତାନ ବେଦପାଠ । ତାଙ୍କ ଚିନ୍ତାଧାରା ଗୋଟିଏ ପ୍ରକାର ଆଉ କାର୍ଯ୍ୟ ଠିକ୍ ଓଲଟା । ରାଜ୍ୟ ସଭାପତିଙ୍କୁ ନେତା ମାନୁ ନାହାନ୍ତି। ରାଜ୍ୟ ସଭାପତିଙ୍କ ଉପସ୍ଥିତରେ ହାତାହାତି ହେଉଛନ୍ତି ନେତା ହେଲେ ରାଜ୍ୟ ସଭାପତି ତାଗିଦ୍‌ ନକରି ଜାଗା ଛାଡୁଛନ୍ତି। ସେଠାରେ ମୁଁ ଯଦି ଥାନ୍ତି ଉଭୟକୁ ଦୁଇ ଚାପୁଡା ଦେଇଥାନ୍ତି ବୋଲି କହିବା ସହ ନରସିଂହ କରିଛନ୍ତି ବିଜେପି ରାଜ୍ୟ ସଭାପତିଙ୍କ ସତସାହସ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବିଜେପି ଦଳରେ ସବୁ ଅସାମାଜିକ ଲୋକ ଭର୍ତି ହୋଇକି ଅଛନ୍ତି ।

ଦରକାର ପଡିଲେ ତାଙ୍କ ତାଙ୍କ ଭିତରେ ବଡ଼ିଆପିଟା ହେଉଛନ୍ତି । ସାରା ଦୁନିଆଁ ଦେଖୁଛନ୍ତି ସଭାପତିଙ୍କ ଉପସ୍ଥିତରେ ବଡ଼ିଆପିଟା ହେଉଛନ୍ତି କିନ୍ତୁ ସଭାପତି କହୁଛନ୍ତି ମୁଁ ଦେଖିନି ସବୁ ଠିକ୍ ଅଛି ଏହା ହାସ୍ୟାସ୍ପଦ କଥା । ଯେଉଁ ଦଳର ରାଜ୍ୟ ସଭାପତି ଦିନକୁ ରାତି ବୋଲି କହୁଛନ୍ତି ରାତିକୁ ଦିନ ବୋଲି କହୁଛନ୍ତି ସେମାନଙ୍କୁ ଲୋକେ କେତେ ବିଶ୍ବାସରେ ନେବେ ତାହା ଜଣାପଡୁଛି। ତାହା ପରେ ସେମାନେ ପୁଣି କହୁଛନ୍ତି ଆମେ ସରକାର ଗଠନ କରିବୁ, ତାହା ହାସ୍ୟାସ୍ପଦ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।  ରାଜ୍ୟ ସଭାପତି ସବୁ ଜାଣି ଅଜଣା ହେଉଛନ୍ତି ବିଜେପିର କେତୋଟି ମୁହଁ ସେମାନେ ମଧ୍ୟ ଜାଣିନାହାନ୍ତି ଲୋକେ ବିଜେପି ପ୍ରତ୍ୟାଖ୍ୟାନ କରିସାରିଲେଣି ବୋଲି ନରସିଂହ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଥିଲେ। ସେଠରେ ସେ ଏକ ରାଲି କରିଥିବା ବେଳେ ବଳରାମ ସିଂହ ଯାଦବ ଓ ସଙ୍ଗୀତା ସିଂହଦେଓଙ୍କ ଗୋଷ୍ଠୀ ମଧ୍ୟରେ ବାଡ଼ିଆପିଟା ହୋଇଥିଲା। ଆରଟିଓ ଛକଠାରେ ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଓ ବିଜେପି ନେତା ବଳରାମ ସିଂ ଯାଦବ ନିଜ ସମର୍ଥକଙ୍କ ସହ ମନମୋହନ ଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଅନନ୍ତ ଓ ବଳରାମଙ୍କ ସମର୍ଥକ ଏବଂ ଗୋପାଲଜୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। କଥା କେବଳ ସେତିକିରେ ସୀମିତ ନ ଥିଲା, ଶୋଭାଯାତ୍ରା ଗାଡି ଉପରେ ଠିଆ ହୋଇଥିବା ଗୋପାଲଜୀଙ୍କୁ ତଳକୁ ଭିଡ଼ି ଆଣିଥିଲେ ଅନନ୍ତ। ଫଳରେ ଗୋପାଲଜୀ ତଳେ କଚାଡି ହୋଇ ପଡ଼ିଥିଲେ। ଗୋପାଲଜୀଙ୍କ ସମର୍ଥକ ପ୍ରତିକ୍ରିୟାଶୀଳ ହୋଇ ଅନନ୍ତ ଦାସଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ତାଙ୍କର ସାର୍ଟ ଚିରି ଯାଇଥିଲା। ଅନନ୍ତଙ୍କ ସମର୍ଥକମାନେ ଏକାଠି ହୋଇ ପ୍ରତିପକ୍ଷ ଗୋପାଲଜୀ ଓ ତାଙ୍କ ସମର୍ଥକଙ୍କୁ ମାରପିଟ୍‌‌ ଆରମ୍ଭ କରି ଦେଇଥିଲେ। ଶୋଭାଯାତ୍ରାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଗଲା। ପରିସ୍ଥିତି ଏପରି ହେଲା ଯେ ଉଭୟ ଗୋଷ୍ଠୀର ସମର୍ଥକଙ୍କୁ ରୋକିବାକୁ ପୁଲିସ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ। ଘଟଣାସ୍ଥଳରେ ଏପରି ସ୍ଥିତି ଦେଖି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଶ୍ରୀମତୀ ସିଂହଦେଓ, ପୂର୍ବତନ ବିଧାୟକ କନକବର୍ଦ୍ଧନ ଶୋଭାଯାତ୍ରା ଛାଡ଼ି ପଳାଇଥିଲେ। ପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଥିଲେ।

About The Author: The Sakala