୨୦୦୦ ଟଙ୍କାରୁ ଅଧିକ UPI ନେଣଦେଣ ଉପରେ ଲାଗିପାରେ ଚାର୍ଜ, ସରକାର ଆଣିବେ ନୂଆ ନିୟମ

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କେନ୍ଦ୍ର ସରକାର ଲୋକସଭାରେ ଟିକସ ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍, ୨୦୨୬ ଆଗତ କରିଛନ୍ତି। ଏହି ବିଲ୍ ପାରିତ ହେଲେ ଆଗାମୀ ଦିନରେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର କେତେକ ନିର୍ଦ୍ଦିଷ୍ଟ ୟୁପିଆଇ (UPI) ନେଣଦେଣ ଉପରେ ବ୍ୟବସାୟିକ ଚାର୍ଜ ଆଦାୟ ପାଇଁ ବାଟ ଫିଟିପାରେ।

ଏହି ପ୍ରସ୍ତାବିତ ବିଲ୍ ଅନୁଯାୟୀ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ସିଷ୍ଟମ୍ ଆକ୍ଟ, ୨୦୦୭ରେ ସଂଶୋଧନ ଅଣାଯିବ। ଏହାଦ୍ୱାରା ବ୍ୟାଙ୍କ ଏବଂ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରମାନେ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ ନେଣଦେଣ ଉପରେ ଚାର୍ଜ ଲଗାଇବା ପାଇଁ ଆଇନଗତ ଅଧିକାର ପାଇବେ। ସୂତ୍ରରୁ ପ୍ରକାଶ ଯେ, ଯଦି ଏହା ଲାଗୁ ହୁଏ, ତେବେ କେବଳ ବଡ଼ ବ୍ୟବସାୟୀଙ୍କୁ ଦିଆଯାଉଥିବା ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ହୋଇପାରେ। ତେବେ ଛୋଟ ଦୋକାନୀ, ଟ୍ୟାକ୍ସି କିମ୍ବା ରାସନ୍ ସାମଗ୍ରୀ କିଣିବା ଭଳି ଦୈନନ୍ଦିନ ଛୋଟ ନେଣଦେଣ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଏକ ଆକଳନ ଅନୁଯାୟୀ, ମୋଟ ୟୁପିଆଇ ନେଣଦେଣ ମଧ୍ୟରୁ ୨୦୦୦ ଟଙ୍କାରୁ ଅଧିକ ନେଣଦେଣର ହାର ମାତ୍ର ୫ ପ୍ରତିଶତ ରହିଛି। କିନ୍ତୁ ମୋଟ କାରବାର ମୂଲ୍ୟ କ୍ଷେତ୍ରରେ ଏହାର ଅବଦାନ ପ୍ରାୟ ୬୫ ପ୍ରତିଶତ। ସେହିପରି ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୬ରେ ୟୁପିଆଇ ମାଧ୍ୟମରେ ମୋଟ ୨୯.୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୩.୬୬ ବିଲିୟନ୍ ନେଣଦେଣ ହୋଇଛି, ଯାହା ଭାରତୀୟ ଡିଜିଟାଲ୍ ଅର୍ଥନୀତିରେ ୟୁପିଆଇର ଦବଦବାକୁ ପ୍ରମାଣିତ କରୁଛି।

ଶିଳ୍ପ ବିଶେଷଜ୍ଞଙ୍କ ମତରେ ଏହି ନୂତନ ବିଲ୍ ଆଗାମୀ ଦିନରେ ଏମଡିଆର୍ (MDR) ସଂରଚନା ପାଇଁ ଏକ ଆଇନଗତ ଭିତ୍ତିଭୂମି ଯୋଗାଇବ। ଏହା ଫଳରେ ପେମେଣ୍ଟ ଇକୋସିଷ୍ଟମରେ ଥିବା ଭିତ୍ତିଭୂମି ଖର୍ଚ୍ଚ ଭରଣା ହେବା ସହ ନୂତନ ଜ୍ଞାନକୌଶଳର ବିକାଶକୁ ପ୍ରୋତ୍ସାହନ ମିଳିପାରିବ। ତେବେ ବର୍ତ୍ତମାନ ଏହି ପ୍ରସ୍ତାବ କେବଳ ପ୍ରାଥମିକ ପର୍ଯ୍ୟାୟରେ ରହିଛି ଏବଂ ଏଥିପାଇଁ କୌଣସି ଫି' ମଡେଲ୍ କିମ୍ବା କାର୍ଯ୍ୟକାରୀ ସମୟସୀମା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ହୋଇନାହିଁ।

About The Author: Madhusudan Das