ନୂଆଦିଲ୍ଲୀ : ଗତ ୪ ତାରିଖରେ ଫିଲ୍ମ ପୁଷ୍ପା-୨ର ସ୍କ୍ରନିଙ୍ଗ ସମୟରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଆଜି ଗିରଫ କରାଯାଇଥିଲା। ହାଇଦ୍ରାବାଦ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ସହ ନାମପଲ୍ଲୀ କୋର୍ଟରେ ହାଜର କରିଥିଲା, ଯାହା ପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। କିନ୍ତୁ ଏହାପରେ ଅଲ୍ଲୁ ଅର୍ଜୁନ ତେଲେଙ୍ଗାନା ହାଇକୋର୍ଟର ଦ୍ବାରସ୍ଥ ହୋଇ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। ତେଲେଙ୍ଗାନା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। କିନ୍ତୁ ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କର କଣ ଭୁଲ ଥିଲା? ତାଙ୍କୁ କଣ ପାଇଁ ଗିରଫ କରାଗଲା? ତାକୁ ନେଇ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅଲୁ ଅର୍ଜୁନ ପୁଲିସ ଦ୍ବାରା ଗିରଫ ହେବା ପରେ କହିଥିଲେ ଯେ ପୁଲିସ ତାଙ୍କ ଶୋଇବା ଘରେ ପଶି ତାଙ୍କୁ ଗିରଫ କରିଛି। ଯାହକୁ ନେଇ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ହାଥରସ୍ ଦଳାଚକଟା ଘଟଣାକୁ ଦର୍ଶାଇ ସମସ୍ତଙ୍କ ପାଇଁ ଆଇନ କାହିଁକି ସମାନ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ଗତ ଜୁଲାଇ ମାସରେ ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟି ୧୨୧ ଲୋକଙ୍କ ଜୀବନ ଯାଇଥିଲା। ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ଚାଲିଥିବା ଏକ ସତ୍ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଥିଲେ। ସେତେବେଳେ ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।
ସେଠାରେ ସାକାର ହରି ବାବା(ଭୋଲ୍ ବାବା)ଙ୍କର ଏକ ଦିନିଆ ସତସଙ୍ଗ ଚାଲିଥିଲା । ସେଠାରେ ପିଲାମାନଙ୍କ ସହିତ ପୁରୁଷ ଏବଂ ମହିଳାମାନେ ବାବାଙ୍କ ଉପଦେଶ ଶୁଣୁଥିଲେ। ସତ୍ସଙ୍ଗ ଶେଷ ହେବା ପରେ ଲୋକମାନଙ୍କ ସେହି ପେଣ୍ଡାଲ ଭିତରେ ଅଟକାଇ ରଖିଦିଆଯାଇଥିଲା। କୁହାଗଲା କି ବାବା ଯିବା ପରେ ଅନ୍ୟମାନଙ୍କୁ ଯିବାକୁ ଅନୁମତି ମିଳିବ। ଯେତେବେଳେ ଭୋଲେ ବାବା ସତସଙ୍ଗ ପରେ ଚାଲିଗଲେ, ଶହ ଶହ ଭକ୍ତ ତାଙ୍କ ପାଦରୁ ଧୂଳି ସଂଗ୍ରହ କରିବାକୁ ଦଉଡିବାକୁ ଲାଗିଲେ। ତେବେ ପ୍ରବଳ ଭିଡ ସହ ବର୍ଷା ହୋଇଥିବା କାରଣରୁ ପେଣ୍ଡାଲ ଭିତରେ କିଛି ସ୍ଥାନରେ ପାଣି ମଧ୍ୟ ଜମି ରହିଥିଲା। ଯାହା ଫଳରେ ସତ୍ସଙ୍ଗ ଶେଷ ହେବା ବାବା ବାହାରିବା ବେଳେ ସେଠାରେ ଜମା ହୋଇଥିବା ଲୋକମାନେ ବାହାରିବା ସମୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଯେଉଁଥିରେ ୧୨୧ ଲୋକଙ୍କ ଜୀବନ ଯାଇଥିଲା। କିନ୍ତୁ ଏହି ଘଟଣାରେ ସଂପୃକ୍ତ ଭୋଲ୍ ବାବାଙ୍କ ନାମରେ ମଧ୍ୟ ଏଫଆଇଆର ପଞ୍ଜୀକୃତ ହୋଇନଥିଲା।
ସବୁଠୁ ବଡ଼ କଥା ହେଉଛି ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଯାହା ପରେ ଦଳାଚକଟାରେ ୧୨୧ ଜଣଙ୍କ ଜୀବନ ଚାଲିଯାଇଥିଲା। ଘଟଣା ଘଟିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏସଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରି ଏବେ ସରକାରଙ୍କୁ ରିପୋର୍ଟ ପଠାଯାଇଥିଲା। ଯେଉଁଥିରେ ୩୨୦୦ ପୃଷ୍ଟାର ରିପୋର୍ଟ ଦିଆଯାଇଥିଲା। ଏଥିରେ ସତସଙ୍ଗର ଆୟୋଜନ କରିଥିବା ବ୍ୟକ୍ତିଙ୍କ ସମେତ ୧୧ ଜଣଙ୍କୁ ଅଭିଯୁକ୍ତ କରାଯାଇଛି, କିନ୍ତୁ ଭୋଲ୍ ବାବାଙ୍କୁ ଅଭିଯୁକ୍ତ ତାଲିକାରେ ମଧ୍ୟ ରଖାଯାଇନଥିଲା।
ଅନ୍ୟପଟେ ସେହି ସମୟରେ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ ଦୁର୍ଘଟଣା ସମୟରେ ଭୋଲେ ବାବା ଓ ତାଙ୍କ ସେବକମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସେହି ସ୍ଥାନରୁ ପଳାୟନ କରିଥିଲେ। ଏପରିକି ଘଟଣା ପରେ ଶହ ଶହ ଲୋକ ମେଡିକାଲରେ ପଡିଥିଲେ ମଧ୍ୟ ମାନବିକତା ଦେଖାଇ ସେହି ଭୋଲେ ବାବା ମଧ୍ୟ ଲୋକଙ୍କ ପାଖକୁ ଆସିନଥିଲେ। ଗଣମାଧ୍ୟମରେ ଏନେଇ ବହୁ ବାର ଚର୍ଚ୍ଚା ହେବା ପରେ ଲୋକଲଜ୍ଜାକୁ ଡରି ଘଟଣାର ଦୁଇ ଦିନ ପରେ ଏକ ସମବେଦନା ପତ୍ର ଜାରି କରିଥିଲେ ଉକ୍ତ ବାବା।
ଏପଟେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ କ୍ଷେତ୍ରରେ ଘଟଣାଟି ହେଉଛି ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ପାଇଁ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରକୁ ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ତେଲଙ୍ଗାନା ପୁଲିସକୁ ଅବଗତ କରାଯାଇ ନଥିଲା ।ଥିଏଟର ମ୍ୟାନେଜମେଣ୍ଟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆସୁଥିବା ନେଇ ଅବଗତ ଥିଲେ ମଧ୍ୟ ପୁଲିସକୁ ସୂଚନା ଦେଇନଥିଲେ। ଯାହା ଫଳରେ ଅଭିନେତାଙ୍କ ଟିକିଏ ଝଲକ ଦେଖିବାକୁ ସନ୍ଧ୍ୟା ଥିଏଟରରେ ବହୁ ଜନସମାଗମ ହୋଇଥିଲା । ଏଠାରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳା ଶ୍ୱାସରୁଦ୍ଧ ହୋଇ ଜୀବନ ହରାଇଥିବାବେଳେ ତାଙ୍କର ଆଠ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ପରିବାରର ଅଭିଯୋଗ ପରେ ପୁଲିସ ଡିସେମ୍ବର ୫ ରେ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା । ଯେଉଁ ମାମଲରେ ଆଜି ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା।
ଅଲ୍ଲୁ ଅର୍ଜୁନ ଗିରଫକୁ ନେଇ ବଢିଲା ବିବାଦ
ଯେପରିଫିଲ୍ମ ପୁଷ୍ପା-୨ ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରୁଛି, ଏହାର ମୁଖ୍ୟ ଚରିତ୍ର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ସମାନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ହାଇଦ୍ରାବାଦରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ସ୍ବାମୀ କହିଛନ୍ତି ‘ମୋ ପୁଅ ମୋତେ ସେହି ଦିନ ସାନ୍ଧ୍ୟା ଥିଏଟରରେ ଫିଲ୍ମ ଦେଖାଇବାକୁ କହିଥିଲେ। ଏହି ଦୁର୍ଘଟଣା ପାଇଁ ଅଲୁ ଅର୍ଜୁନଙ୍କର କୌଣସି ଦୋଷ ନାହିଁ । ଆବଶ୍ୟକ ହେଲେ ମୁଁ ମାମଲା ପ୍ରତ୍ୟାହାର କରିବି। ମୁଁ ଅଲ୍ଲୁ ଅର୍ଜୁନଙ୍କ ଗିରଫ ବିଷୟରେ ପୁଲିସଠାରୁ ନୁହେଁ ମୋ ମୋବାଇଲରୁ ନ୍ୟୁଜ୍ ଦେଖି ଜାଣିଲି।
ସେପଟେ ଅଲ୍ଲୁ ଅର୍ଜୁନଙ୍କ ଗିରଫ ହେବାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି YSRCP ଏବଂ କେ.ଚନ୍ଦ୍ରଶେଖରଙ୍କ ପାର୍ଟି ବିଆରଏସ ଅଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି।
ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି ଅଲ୍ଲୁ ଅର୍ଜୁନ
ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ଘଟଣା ନେଇ ଅଲ୍ଲୁ ଅର୍ଜୁନ ଜାଣିବା ପରେ ଗତ ୭ ତାରିଖରେ ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଏହି ଘଟଣାକୁ ନେଇ ଦୁଃଖି ପ୍ରକାଶ କରିବା ସହ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ ଅଲ୍ଲୁ ଅର୍ଜୁନ। ଏଥି ସହିତ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି ମଧ୍ୟ ଘୋଷଣା କରିଥିଲେ।