ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ତଦନ୍ତ ଶେଷ କରିବାକୁ ସେବି ସୁପ୍ରିମକୋର୍ଟଙ୍କଠାରୁ ଆହୁରି ୧୫ ଦିନ ମାଗିଛନ୍ତି। ସର୍ବୋଚ୍ଚ ଅଦାଲତରେ ‘ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ’(ସେବି ) ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଏହା ସମ୍ପୃକ୍ତ ମାମଲାରେ ଯଥେଷ୍ଟ ଅଗ୍ରଗତି କରିଛି। କିନ୍ତୁ ରିପୋର୍ଟ ଦାଖଲ କରିବାକୁ ଆଉ ୧୫ ଦିନ ଅଧିକ ସମୟ ଲାଗିବ। ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ଆଜି (ଅଗଷ୍ଟ ୧୪) ଶେଷ ହୋଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ ।
ସେବି କୋର୍ଟଙ୍କୁ କହିଛି ଯେ ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତରେ ବହୁତ ଅଗ୍ରଗତି ହୋଇଛି। ତଦନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି । କିଛି ଷ୍ଟକ୍ ମାର୍କେଟ ଦଲାଲଙ୍କ ଠାରୁ ତଥ୍ୟ ସଂଗ୍ରହ ପାଇଁ ସମୟ ଲାଗିବ। ଆଉ ୧୫ ଦିନ ସମୟ ଦେଲେ ଆମେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବୁ ବୋଲି କହିଛି ସେବି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବି ଆଦାନୀ-ହିଣ୍ଡେନବର୍ଗ ସହ ଜଡିତ ୨୪ଟି ମାମଲାର ଯାଞ୍ଚ କରୁଛି। ଏହି ୨୪ଟି ମାମଲା ମଧ୍ୟରୁ ୧୭ଟିର ତଦନ୍ତ ଶେଷ ହୋଇଛି ଏବଂ ସେବିର ଅଧିକାରୀମାନେ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି ବୋଲି କହିଛି ସେବି ।
ଅନ୍ୟପଟେ ହିଣ୍ଡେନ୍ବର୍ଗ ଏବେ ପୁଣି ଥରେ ଆଦାନୀ ଗ୍ରୁପ୍ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ହିଣ୍ଡେନ୍ବର୍ଗ ଆଦାନୀ ଗ୍ରୁପ ଫ୍ଲାଗସିପ୍ କମ୍ପାନୀ ‘ଆଦାନୀ ପୋର୍ଟ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍’ର ଅଡିଟର ଭାବେ କାମ କରୁଥିବା ଡେଲଏଟ୍ର ଇସ୍ତଫାକୁ ନେଇ ଗୁରୁତର ଅଭିଯୋଗ ଆଣିଛି। ଆଦାନୀ ପୋର୍ଟର ଅଡିଟିଂ ପାଇଁ ଡେଲଏଟ୍କୁ ପର୍ଯ୍ୟାପ୍ତ ସୂଚନା ଦେବାରେ କମ୍ପାନୀ ବିଫଳ ହୋଇଥିବା ହିଣ୍ଡେନ୍ବର୍ଗ କହିଛି।