ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନକୁ ‘ବ୍ଲକ୍’ କିମ୍ବା ଟ୍ରାକ୍ କରିବାରେ ସକ୍ଷମ ହେବେ। କାରଣ କେନ୍ଦ୍ର ସରକାର ଚଳିତ ସପ୍ତାହରେ ଏକ ନୂଆ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି।
ଏହି ଟେକ୍ନୋଲୋଜିର ଏକ ସ୍ବତନ୍ତ୍ରତା ହେଉଛି ଯେ, ଏଥିରେ ଆଇଏମ୍ଇଆଇ ନମ୍ବର ପରିବର୍ତ୍ତନ କରାଯାଇଥିଲେ ବି ସିଷ୍ଟମ କାମ କରିବ। ଚଳିତମାସ ୧୭ରେ ବିଶ୍ୱ ଟେଲିକମ୍ ଦିବସ ଅବସରରେ କେନ୍ଦ୍ର ସରକାର ଏହି ନୂଆ ମୋବାଇଲ୍ ବ୍ଲକିଂ ଏବଂ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବେ। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ସଞ୍ଚାର ସାଥି ପୋର୍ଟାଲ୍ (ସିଇଆର୍) ବ୍ୟବସ୍ଥାର ଶୁଭାରମ୍ଭ କରାଇବେ। ଏହା ମାଧ୍ୟମରେ ଲୋକମାନେ ଚୋରି କିମ୍ବା ହଜିଯାଇଥିବା ଫୋନକୁ ବ୍ଲକ୍ ଏବଂ ଟ୍ରାକ କରିବାରେ ସକ୍ଷମ ହେବେ।
କେନ୍ଦ୍ର ଟେଲିମାଟିକ୍ସ ବିଭାଗ (ସି-ଡଟ୍) ବର୍ତ୍ତମାନ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତର ପୂର୍ବ ଅଞ୍ଚଳର କିଛି ଟେଲିକମ୍ କାର୍ଯ୍ୟାଳୟରେ ଏହି ସିଷ୍ଟମର ପାଇଲଟ୍ ପ୍ରକଳ୍ପ ଚଳାଉଛି, ଯାହା ବର୍ତ୍ତମାନ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାକୁ ପ୍ରସ୍ତୁତ। ଏହାବ୍ୟତୀତ ସଞ୍ଚାର ସାରଥି ପୋର୍ଟାଲ ଗରିଆରେ ମଧ୍ୟ ମୋବାଇଲ ଚୋରା କାରବାରର ଯାଞ୍ଚ କରିହେବ। ସି-ଡଟ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ରାଜକୁମାର ଉପାଧ୍ୟାୟ କହିଛନ୍ତି ଯେ ମୋବାଇଲ୍ ବ୍ଲକିଂ ଏବଂ ଟ୍ରାକିଂ ସିଷ୍ଟମ ସମଗ୍ର ଦେଶରେ ଆରମ୍ଭ ହେବାକୁ ପ୍ରସ୍ତୁତ। ଚଳିତ ତ୍ରୈମାସରେ ଏହାକୁ ସମଗ୍ର ଦେଶରେ ନିୟୋଜିତ କରାଯିବ। ଏହା ସହିତ ଲୋକମାନେ ସେମାନଙ୍କର ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନକୁ ବ୍ଲକ୍ ଏବଂ ଟ୍ରାକ୍ କରିବାରେ ସକ୍ଷମ ହେବେ। ଏହା ସହିତ ସେ କହିଛନ୍ତି ଯେ, ‘ସିଷ୍ଟମରେ ଏକ ଇନ-ବିଲ୍ଟ ମେକାନିଜିମ୍ ବା ବ୍ୟବସ୍ଥା ରହିଛି ଯାହା ମୋବାଇଲ୍ ଚୋରା ଚାଲାଣକୁ ମଧ୍ୟ ଯାଞ୍ଚ କରିବ। ତେବେ ଏହା କେବେ ଆରମ୍ଭ ହେବ ତାହା ସେ ନିଶ୍ଚିତ କରିନାହାଁନ୍ତି। ସମସ୍ତ ଟେଲିକମ୍ ନେଟୱାର୍କରେ କ୍ଲୋନେଡ୍ ମୋବାଇଲ୍ ଫୋନର ବ୍ୟବହାରକୁ ଚିହ୍ନିବା ପାଇଁ ଏଥିରେ ନୂଆ ଫିଚର ଯୋଡାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ ମୋବାଇଲ୍ ଉପକରଣର ବିକ୍ରି ପୂର୍ବରୁ ଆନ୍ତର୍ଜାତୀୟ ମୋବାଇଲ୍ ଉପକରଣ ପରିଚୟ (ଆଇଏମଇଆଇ-୧୫ ଅଙ୍କ ସଂଖ୍ୟା) ପ୍ରକାଶ କରିବା ସରକାର ବାଧ୍ୟତାମୂଳକ କରିଛନ୍ତି। ଆଇଏମଇଆଇ ନମ୍ବର ପରିବର୍ତ୍ତନ କରିବା ପରେ ମଧ୍ୟ ଫୋନ୍କୁ ଟ୍ରାକ୍ କରାଯାଇପାରିବ। ବର୍ତ୍ତମାନ ଅପରାଧୀମାନେ ମୋବାଇଲ୍ ଚୋରି କରିବା ପରେ ଡିଭାଇସ୍ର ଆଇଏମ୍ଇଆଇ ନମ୍ବର ପରିବର୍ତ୍ତନ କରିଦେଉଛନ୍ତି, ଯେଉଁ କାରଣରୁ ମୋବାଇଲ୍ ଟ୍ରାକ କିମ୍ବା ବ୍ଲକ୍ କରାଯାଇପାରୁନାହିଁ। ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ ଆଇଏମଇଆଇ ନମ୍ବର ବଦଳାଇବା ପରେ ମଧ୍ୟ ଏହି ପୋର୍ଟାଲ ଡିଭାଇସ୍କୁ ଟ୍ରାକ ଏବଂ ବ୍ଲକ କରିବାରେ ସକ୍ଷମ ହେବ। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୪.୭୦ ଲକ୍ଷ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫେନ୍କୁ ଏହି ପୋର୍ଟାଲ ମାଧ୍ୟମରେ ବ୍ଲକ୍ କରାଯାଇଛି। ଏହାସହିତ ୨.୪୦ ଲକ୍ଷରୁ ଅଧିକ ମୋବାଇଲ୍ ଫୋନ୍କୁ ଟ୍ରାକ କରାଯାଇଛି। ପୋର୍ଟାଲ ସହାୟତାରେ ୮୦୦୦ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଛି। ନିକଟରେ କର୍ଣ୍ଣାଟକ ପୋଲିସ ପୋର୍ଟାଲ ସହାୟତାରେ ୨୫୦୦ରୁ ଅଧିକ ହଜିଯାଇଥିବା ମୋବାଇଲକୁ ଉଦ୍ଧାର କରି ସେଗୁଡିକର ମାଲିକଙ୍କୁ ଦେଇଛି।